ଋଷ ବିରୋଧରେ କଡ଼ା ଅର୍ଥନୈତିକ କଟକଣା ଲଗାଇଲା ଆମେରିକା, ତୈଳ ଓ ଗ୍ୟାସ ବିକ୍ରି ଉପରେ ରୋକ୍

1 min read

ନୂଆଦିଲ୍ଲୀ: ଋଷ ବିରୋଧରେ କଡ଼ା ଅର୍ଥନୈତିକ କଟକଣା । ପାଶ୍ଚାତ୍ୟ ରାଷ୍ଟ୍ର ସହ ଆର୍ଥିକ ଓ ବାଣିଜ୍ୟକ ସମ୍ପର୍କ ଉପରେ କଟକଣା ଜାରି କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଏହା ସହ ୟୁକ୍ରେନକୁ ଯୁଦ୍ଧାସ୍ତ୍ର ପଠାଯିବା ସହ ଋଷ ବିରୋଧରେ ନାଟୋ ସୈନ୍ୟ ମୁତୟନ କରିବ ବୋଲି ସେ କହିଛନ୍ତି । ରାଷ୍ଟ୍ର ଉଦ୍ଦେଶ୍ୟରେ ଉଦବୋଧନ ଦେଇ ବାଇଡେନ କହିଛନ୍ତି- ୟୁକ୍ରେନ ପ୍ରସଙ୍ଗରେ ଋଷ ବିଶ୍ୱ ସମୁଦାୟର ନିଷ୍ପତ୍ତିକୁ ଅବମାନନା କରିଥିବାରୁ ଏହି କଟକଣା ଜାରି କରାଯାଇଛି ।

ବାଇଡେନଙ୍କ ନିଷ୍ପତ୍ତିର କିଛି ଘଣ୍ଟା ପୂର୍ବରୁ ଜର୍ମାନୀ ଓ ବ୍ରିଟେନ ମଧ୍ୟ ସମଧରଣର ପଦକ୍ଷେପ ନେଇଥିଲେ । ୟୁରୋପ ସହ ଋଷର ଗ୍ୟାସ ପାଇପଲାଇନ ସଂଯୋଗ ପ୍ରକଳ୍ପ ନର୍ଡ ଷ୍ଟ୍ରିମ-2କୁ ବାତିଲ କରିଛନ୍ତି ଜର୍ମାନୀ ଚାନସେଲର ଓଲାଫ ସ୍କଜ । ଋଷର ୫ଟି ବୃହତ ବ୍ୟାଙ୍କ ଓ ୩ ଜଣ ପ୍ରମୁଖ ବ୍ୟବସାୟୀଙ୍କ ବିରୋଧରେ କଟକଣା ଜାରି କରିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ । ଋଷର ୨୭ ପ୍ରମୁଖ ବ୍ୟକ୍ତି, ପ୍ରତିଷ୍ଠାନ ଓ ବ୍ୟାଙ୍କ, ଋଷ ପାର୍ଲାମେଣ୍ଟ ନିମ୍ନ ସଦନ ଡୁମାର ୩୫୧ ସଦସ୍ୟଙ୍କ ଉପରେ ମଧ୍ୟ ୟୁରୋପୀୟ ରାଷ୍ଟ୍ରସଂଘ କଟକଣା ଜାରି କରିଛି ।

ଋଷ ବିରୋଧରେ ଆମେରିକାର କଟକଣା ଯୋଗୁ ଆମେରିକା ଓ ଜର୍ମାନୀର ଅନେକ ବ୍ୟାଙ୍କ ବି କ୍ଷତିଗ୍ରସ୍ତ ହେବା ଆଶଙ୍କା ରହିଛି । କଟକଣାର ଫଳ ସ୍ବରୂପ କେତେକ ଋଷୀୟ ବ୍ୟାଙ୍କକୁ ଆମେରିକା କଳା ତାଲିକାଭୁକ୍ତ କରିବ । ପାଶ୍ଚାତ୍ୟ ରାଷ୍ଟ୍ରମାନେ ଋଷକୁ ବିଭିନ୍ନ ହାଇଟେକ ସାମଗ୍ରୀ ରପ୍ତାନି କରିପାରିବେ ନାହିଁ । ଋଷର ଦୁଇ ବିଶାଳ ତୈଳ ଓ ଗ୍ୟାସ ଯୋଗାଣକାରୀ କମ୍ପାନି ଗାଜପ୍ରମ ଓ ରୋସନେଫ୍ଟରୁ ପାଶ୍ଚାତ୍ୟ ରାଷ୍ଟ୍ର ତୈଳ ଓ ଗ୍ୟାସ କିଣିପାରିବେ ନାହିଁ । ସେପଟେ ଋଷ ସହ ଉତ୍ତମ ସମ୍ପର୍କରେ ଥିବା ଇଟାଲି, ହଙ୍ଗେରୀ ଓ ଅଷ୍ଟ୍ରିଆ ଏହି କଟକଣାକୁ ଗ୍ରହଣ କରିବେ ନାହିଁ ସୂଚନା ମିଳିଛି ।

ତେଣେ ଋଷ ବିରୋଧରେ ଷଣ୍ଢୁଆସି ଆକ୍ରମଣ ଲାଗି ଭିଜନ ପ୍ରସ୍ତୁତ କରିଛନ୍ତି ନାଟୋ ସଦସ୍ୟ । ୟୁକ୍ରେନକୁ ଯୁଦ୍ଧାସ୍ତ୍ର ପଠାଯିବା ନେଇ ଆମେରିକା ଘୋଷଣା କରିଥିବାବେଳେ ପୂର୍ବ ୟୁରୋପର ଅଧିକାଂଶ ରାଷ୍ଟ୍ରରେ ସୈନ୍ୟ ମୁତୟନ ପ୍ରକ୍ରିୟା ଖୁବ୍ ଶୀଘ୍ର ଆରମ୍ଭ ହେବା ସୂଚନା ମିଳିଛି । ବଲଟିକ ଅଞ୍ଚଳର ଏସ୍ତୋନିଆ, ଲାଟଭିଆ ଓ ଲିଥୁଆନିଆରେ ନାଟୋ ନିଜର ପୂର୍ଣ୍ଣକାଳୀନ ସୈନ୍ୟ ଛାଉଣୀ ପ୍ରତିଷ୍ଠା କରିବାକୁ କହିଛନ୍ତି ବାଇଡେନ । ଏହି ସବୁ ଅଞ୍ଚଳରେ F-35 ଷ୍ଟ୍ରାଇକ ଫାଇଟର ଜେଟ, ୨୦ଟି AH-64 ଆଟାକ ହେଲିକପ୍ଟର ମୁତୟନ କରାଯିବ । ବର୍ତ୍ତମାନ ସୁଦ୍ଧା ୟୁରୋପରେ ୯୦ ହଜାରରୁ ଅଧିକ ସୈନ୍ୟଙ୍କୁ ମୁତୟନ କରିଛି ଆମେରିକା ।

 

Leave a Reply