ଗାଜାରେ ୬ ସପ୍ତାହ ଯୁଦ୍ଧ ବିରତି ଚାହୁଁଛି ଆମେରିକା

ଓ୍ବାସିଂଟନ: ଆଗକୁ ପବିତ୍ର ରମଜାନ ମାସ । ଏ ସମୟରେ ଗାଜା ଉପରେ ଇସ୍ରାଏଲ ଆକ୍ରମଣ ବନ୍ଦ କରିବାକୁ ଚାହୁଁଛି ଆମେରିକା । ଏଥିପାଇଁ ଗାଜାରେ ୬ ସପ୍ତାହ ଲାଗି ଯୁଦ୍ଧ ବିରତି ପ୍ରସ୍ତାବ ଉପରେ ଗୁରୁତ୍ବ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ।

ମୁସଲିମ ସମ୍ପ୍ରଦାୟକୁ ରମଜାନ ଅଭିନନ୍ଦନ ଜଣାଇବା ସହ ଗାଜାରେ ଅସ୍ତ୍ରବିରତି ଲାଗି ଉଦ୍ଯମ କରିବେ ବୋଲି କହିଛନ୍ତି ବାଇଡେନ । ଏହାସହ ପଣବନ୍ଦୀଙ୍କ ମୁକ୍ତି ଲାଗି ଏହି ସମୟରେ ଉଦ୍ଯମ କରାଯିବ । ଗାଜାରେ ମାନବିକ ସହାୟତା ଲାଗି ଅନ୍ତର୍ଜାତୀୟ ସ୍ତରରେ ଉଦ୍ଯମ କରାଯାଉଛି ବୋଲି ସେ କହିଛନ୍ତି ।

ସେପଟେ ପଣବନ୍ଦୀଙ୍କ ମୁକ୍ତି ଦାବିରେ ତେଲ ଆବିବରେ ବଡଧରଣ ବିକ୍ଷୋଭ ହୋଇଛି ।  ଗାଜାରେ ଚାଲିଛି ଇସ୍ରାଏଲର ଆକ୍ରମଣ । ଗାଜାର ଦକ୍ଷିଣାଞ୍ଚଳରେ ଇସ୍ରାଏଲ ସେନା ଆକ୍ରମଣ ଜାରି ରଖିଛି । ହମଲାରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ଅନେକ ମହିଳା ଓ ଶିଶୁ ଅଛନ୍ତି । ଦକ୍ଷିଣ ଗାଜାର ଅଲ ମାୱାସି ଅଂଚଳର ନୁସିରାତ ଶରଣାର୍ଥୀ ଶିବିର ଉପରେ ହୋଇଥିଲା ଏ ଆକ୍ରମଣ । ଉତ୍ତର ଗାଜାରେ ଜଣେ ନବଜାତ ସହ ଜଣେ ଯୁବତୀଙ୍କ ଖାଦ୍ୟାଭାବରୁ ମୃତ୍ଯୁ ହୋଇଛି ।   ଖାଦ୍ୟାସଂକଟରୁ ଗାଜାରେ ବର୍ତ୍ତମାନ ସୁଦ୍ଧା ୨୫ ଜଣଙ୍କ ମୃତ୍ଯୁ ହେଲାଣି ।

ଗାଜା ଉପରେ ଆକ୍ରମଣ ବନ୍ଦ କରିବାକୁ ହମାସ ସହ ଆଲୋଚନା ଲାଗି କଥାବାର୍ତ୍ତା ଚାଲିଥିବା ଜଣାପଡିଛି । ଇସ୍ରାଏଲ ଗୁଇନ୍ଦା ସଂସ୍ଥା ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି । ଅକ୍ଟୋବର ୭ରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ୩୧ ହଜାରରୁ ଅଧିକ ଲୋକଙ୍କ ମୃତ୍ଯୁ ହେଲାଣି । ୭୨ ହଜାରରୁ ଅଧିକ ପାଲେଷ୍ଟିନୀୟ ଆହତ ହୋଇଛନ୍ତି । ଏବେ ବି ଆତଙ୍କୀ ସଂଗଠନ ହମାସ ପାଖରେ ଅନେକ ଇସ୍ରାଏଲ ନାଗରିକ ପଣବନ୍ଦୀ ଅଛନ୍ତି ।