ଆଗାମୀ ୨୦୨୪ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ ଜୋ ବାଇଡେନ

ୱାସିଂଟନ ଡିସି: ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ ମଙ୍ଗଳବାର ଘୋଷଣା କରିଛନ୍ତି ଯେ ସେ ଆଗାମୀ ୨୦୨୪ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ । ବାଇଡେନ ହ୍ୱାଇଟ ହାଉସ ବାହାରେ ହୋଇଥିବା ହିଂସକ ପ୍ରଦର୍ଶନର ଏକ ଭିଡିଓ ଟ୍ୱିଟ କରି ନିଜେ ଛିଡ଼ା ହେବା ନେଇ ଘୋଷଣା କରିଛନ୍ତି । ଟ୍ୱିଟ କରି ବାଇଡେନ ଲେଖିଛନ୍ତି, ପ୍ରତି ପୀଢି ପାଖରେ ଏପରି ଏକ ସୁଯୋଗ ଆସିଥାଏ ଯେବେ ସେମାନଙ୍କୁ ଗଣତନ୍ତ୍ର ବଞ୍ଚାଇବା ପାଇଁ ଛିଡ଼ା ହେବାକୁ ପଡ଼ିଥାଏ । ଏହା ମୌଳିକ ସ୍ୱାଧିନତା ପାଇଁ ହୋଇଥାଏ ।

ଏଥିପାଇଁ ୟୁନାଇଟେଡ ଷ୍ଟେଟସ ଅଫ ଆମେରିକାର ରାଷ୍ଟ୍ରପତି ପଦ ପାଇଁ ପୁଣିଥରେ ନିର୍ବାଚନ ଲଢ଼ିବାକୁ ଯାଉଛି । ଆମ ସହ ଯୋଡ଼ି ହୁଅନ୍ତୁ । ରାଷ୍ଟ୍ରପତି ନିର୍ବାଚନ ପାଇଁ ବାଇଡେନ ନିଜ ନିର୍ବାଚନୀ ଅଭିଯାନ ଟିମର ଘୋଷଣା ମଧ୍ୟ କରିଛନ୍ତି । ଆମେରିକା ମିଡିଆରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବାଇଡେନ ପୁଣିଥରେ ହ୍ୱାଇଟ ହାଉସର ବରିଷ୍ଠ ଅଧିକାରୀ ଏବଂ ଦୀର୍ଘ ସମୟ ଧରି ଡେମୋକ୍ରାଟିକ ପାର୍ଟିର କାର୍ଯ୍ୟକର୍ତ୍ତା ଜୁଲୀ ଶାଭେଜ ରୋଡ୍ରିଗଜଙ୍କୁ ନିଜ ନିର୍ବାଚନ ଅଭିଯାନର ମ୍ୟାନେଜର ଭାବେ ନିଯୁକ୍ତ କରିଛନ୍ତି ।

ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯିଏ କି ଅର୍ଥ କାରବାର ମାମଲାକୁ ନେଇ ଗତ ଦିନରେ ଚର୍ଚ୍ଚାରେ ରହିଥିଲେ । ସେ ଗତ ବର୍ଷ ନଭେମ୍ବର ୨୦୨୨ରେ ୨୦୨୪ ରାଷ୍ଟ୍ରପତି ପଦ ପାଇଁ ରିପବ୍ଲିକାନ ପାର୍ଟିର ପ୍ରାର୍ଥୀ ଭାବେ ନାମାଙ୍କନ ଘୋଷଣା କରିଥିଲେ । ଆମେରିକାର ଆଗାମୀ ରାଷ୍ଟ୍ରପତି ନିର୍ବାଚନ ୫ ନଭେମ୍ବର, ୨୦୨୪ରେ ହେବ । ତେବେ ଏଥିରୁ ସ୍ପଷ୍ଟ ଯେ ପୁଣିଥରେ ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବାଇଡେନଙ୍କ ମଧ୍ୟରେ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନୀ ଲଢ଼େଇ ହେବ ।