ଟ୍ରମ୍ପ: ଚୀନ୍‌ ହାତର କାଠ କଣ୍ଢେଇ ସାଜିଛି WHO, ଖୁବ୍‌ ଶୀଘ୍ର ନେବି ନିଷ୍ପତ୍ତି

1 min read

ଆମେରିକା: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର କହିଛନ୍ତି ଯେ, ସେ ଖୁବ୍‌ ଶୀଘ୍ର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ବିଷୟରେ ଏକ ବଡ଼ ଘୋଷଣା କରିବେ । ଏହାପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଚୀନ୍ ହାତ କାଠ କଣ୍ଢେଇ ବୋଲି କହି ପାଣ୍ଠି ବନ୍ଦ କରି ଦେଇଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନା ସମ୍ପର୍କରେ ଚୀନ୍‌କୁ ସମର୍ଥନ କରୁଥିବା ବେଳେ ବିଶ୍ୱକୁ ବିଭ୍ରାନ୍ତ କରୁଛି ବୋଲି ଟ୍ରମ୍ପ ଅଭିଯୋଗ କରିଛନ୍ତି।

ଟ୍ରମ୍ପ କହିଛନ୍ତି ଯେ, ସେ ଚୀନ୍ ଯାଇ ସହଯୋଗ କରିବାକୁ ଚାହୁଁଛନ୍ତି । ହେଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତାଙ୍କୁ ଯିବାକୁ ଦେଉନାହିଁ । ଆମେରିକା ପକ୍ଷରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ପ୍ରତିବର୍ଷ ପ୍ରାୟ ୫୦ କୋଟି ଡଲାର୍‌ ପାଣ୍ଠି ଦିଆଯାଉଛି । ହେଲେ ଚୀନ୍‌ ମାତ୍ର ୩.୮ କୋଟି ଡଲାର ପ୍ରଦାନ କରୁଛି । ଏହା ସହ ଟ୍ରମ୍ପ କହିଛନ୍ତି, ‘ମୁଁ ଖୂବ୍‌ ଶୀଘ୍ର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ନେଇ ଏକ ଘୋଷଣା କରିବାକୁ ଯାଉଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚୀନ୍ ହାତର କାଠ କଣ୍ଢେଇ ପାଲଟି ସାରିଛି । ତେଣୁ ସେ କେବଳ ଚୀନ୍‌ କଥା ମାନଛି ଓ ଚୀନ୍‌ କଥା ହିଁ ଚିନ୍ତା କରୁଛି । ହେଲେ ଆମେରିକା ବିଷୟରେ ବିଲ୍‌କୁଲ୍‌ ଗୁରୁତ୍ୱ ଦେଉନାହିଁ ।

ଟ୍ରମ୍ପ କହିଛନ୍ତି, ‘ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆମେରିକାରୁ ପାଣ୍ଠି ନେଇ ଚୀନ୍ ପାଇଁ କାମ କରୁଥିଲା । ତେଣୁ ମୁଁ ଖୁବ୍ ଶୀଘ୍ର ବଡ଼ ନିଷ୍ପତ୍ତି ନେବାକୁ ଯାଉଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ୫୦ କୋଟି ଡଲାର ପାଣ୍ଠି ପ୍ରତ୍ୟାହାର କରିନେଇଛୁ । ଟ୍ରମ୍ପ ପ୍ରଶ୍ନ କରିଛନ୍ତି ଯେ ଆମେରିକା ୫୦ କୋଟି ଡଲାର ଦେଉଥିବାବେଳେ ଚୀନ୍ ମାତ୍ର ୩.୮ କୋଟି ଡଲାର ଫାଣ୍ଠି ଦେଉଛି । ଏହା ସତ୍ତ୍ୱେ ଚୀନ୍‌ର କଥା ଅନୁସାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ କାମ କରୁଛି । WHO କ’ଣ କରିବ ଏବଂ କେବେ କହିବ ତାହା ଚୀନ୍‌ ନିଷ୍ପତ୍ତି ନେଉଛି ?

ଏକ ପ୍ରଶ୍ନର ଉତ୍ତରରେ ଟ୍ରମ୍ପ କହିଛନ୍ତି ଯେ, ଚୀନ୍ ଭଳି ବହୁତ କଷ୍ଟଦାୟକ ସମୟ ଦେଇ ଆମେରିକା ଗତି କରିଛି । ସମଗ୍ର ବିଶ୍ୱ କରୋନା ସଙ୍କଟ ସହ ସଂଗ୍ରାମ କରୁଥିବା ବେଳେ ହିଁ ଆମେରିକା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପାଣ୍ଠିକୁ ବନ୍ଦ କରିଦେଇଛି । ଆମେରିକା କହିଛି ଯେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ଚୀନ୍ କରୋନା ଭାଇରସ୍‌କୁ ବିଶ୍ୱକୁ ଲୁଚାଇଥିଲେ ।

ଚୀନ୍‌ର ବୁହାନ ସହରରୁ ବ୍ୟାପିଥିବା ଏହି କରୋନା ଭଇରସ୍‌ ଆମେରିକା ସମେତ ସମଗ୍ର ବିଶ୍ୱକୁ ବିପଦରେ ପକାଇଛି । ଆମେରିକା ସବୁଠାରୁ ଅଧିକ ବିପଦରେ ପଡ଼ିଛି । ବର୍ତ୍ତମାନ ସୁଧା ଆମେରିକାରେ ୧୨ ଲକ୍ଷ ୮୩ ହଜାର ୮୨୮ ରୁ ଅଧିକ ଲୋକ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଛି । ସେଥିମଧ୍ୟରୁ ୭୭ ହଜାର ୧୭୫ରୁ ଅଧିକ ଲୋକ ପ୍ରାଣ ହରାଇସାରିଛନ୍ତି ।

Leave a Reply