ୟୁକ୍ରେନକୁ ଫାଇଟର ଜେଟ ଦେବାକୁ ଆମେରିକାର ନିଷ୍ପତ୍ତି

1 min read

କିଭ୍: ଋଷ ବିରୋଧରେ ଲଢିବା ଲାଗି ୟୁକ୍ରେନକୁ ଫାଇଟର ଜେଟ ଦେବା ପାଇଁ ନାଟୋ ରାଷ୍ଟ୍ରଙ୍କୁ ଆମେରିକାର ଗ୍ରୀନ ସିଗନାଲ । ତେବେ ଆମେରିକାର ଏହି ନିଷ୍ପତ୍ତିକୁ ବର୍ତ୍ତମାନ ସୁଦ୍ଧା କୌଣସି ସଦସ୍ୟ ରାଷ୍ଟ୍ର ଗ୍ରହଣ କରିନାହାନ୍ତି । ଋଷର ମୁକାବିଲା ଲାଗି ଯୁଦ୍ଧ ବିମାନ ସହାୟତା ପାଇଁ ନାଟୋ ରାଷ୍ଟ୍ରଙ୍କୁ ଅନୁରୋଧ କରିଥିଲେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ଆମେରିକା ନିର୍ମିତ F-16 ହାସଲ କରି ପ୍ରତିବଦଳରେ ୟୁକ୍ରେନକୁ  MiG-29 ଯୋଗାଇବାକୁ ଦୁଇ ଦିନ ତଳେ ଇଚ୍ଛା ପ୍ରକାଶ କରିଥିଲା ପୋଲାଣ୍ଡ ।  ମାତ୍ର ଏନେଇ କୌଣସି ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରିନାହିଁ ।

ସେହିପରି ୟୁକ୍ରେନ ନିକଟରେ ୬୭ଟି ଫାଇଟର ଜେଟ ଓ ୩୪ଟି ଆଟାକ୍ ହେଲିକପ୍ଟର ଥିବାବେଳେ ଋଷ ନିକଟରେ ୧୫୦୦ଫାଇଟର ଜେଟ ଓ ୫୩୮ଟି କମ୍ବାଟ ହେଲିକପ୍ଟର ରହିଛି । ଯଦି ପୋଲାଣ୍ଡଠାରୁ ୟୁକ୍ରେନ ମିଗ୍ ବିମାନ ପାଏ ତେବେ ଋଷ ବାହିନୀ ଲାଗି ସମସ୍ୟା ସୃଷ୍ଟି ହେବ । ପୋଲାଣ୍ଡର ଯୁଦ୍ଧବିମାନଗୁଡିକୁ ସେହି ଦେଶର ପାଇଲଟ ଚଲାଇବେ ନା ୟୁକ୍ରେନୀୟ ପାଇଲଟ ଚଲାଇବେ ତାହାକୁ ନେଇ ଦ୍ୱନ୍ଦ ଉପୁଜିଛି । ଯଦି ପୋଲାଣ୍ଡ ବିମାନ ଦିଏ ତେବେ ଯୁଦ୍ଧରେ ଏହା ସିଧାସଳଖ ହସ୍ତକ୍ଷେପ ବୋଲି ଋଷ ସୂଚନା ଦେଇସାରିଛି ।

ପୂର୍ବରୁ ଜାତିସଂଘରେ ଆମେରିକା ରାଷ୍ଟ୍ରଦୂତ ଲିଣ୍ଡା ଥୋମାସ ଗ୍ରୀନଫିଲ୍ଡ କହିଥିଲେ- ସ୍ଥଳ ବା ଆକାଶ ମାର୍ଗରେ ଋଷ ବିରୋଧରେ ଆମେରିକୀୟ ସୈନ୍ୟ ସାମିଲ ହେବେ ନାହିଁ । ତେଣେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁ ଓ ନେଦରଲ୍ୟାଣ୍ଡସ ପ୍ରଧାନମନ୍ତ୍ରୀ ମାର୍କ ରୁଟଙ୍କ ସହ ଆଲୋଚନା କରିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ବିଶ୍ବ ନେତା ଏକ ହେବା ଲାଗି ସେ ଆହ୍ବାନ ଦେଇଛନ୍ତି ।