ଟାଇଟାନିକ ଦେଖିବାର ସ୍ବପ୍ନ ସାଜିଲା ଘାତକ, ସବ୍‌-ମେରିନର ସମସ୍ତ ୫ ଯାତ୍ରୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଟାଇଟାନିକ ଦେଖିବାର ସ୍ବପ୍ନ ସାଜିଲା ଘାତକ । ଟାଇଟାନିକ ଦେଖିବା ଲାଗି ଯାଇଥିବା ୫ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା କହିଛି ଆମେରିକା ତଟରକ୍ଷୀ ବାହିନୀ । ଫଳରେ ଗତ ୧୮ ତାରିଖରୁ ସେମାନଙ୍କୁ ଉଦ୍ଧାର କରିବା ଲାଗି ଚାଲିଥିବା ମେଗା ରେସ୍କ୍ୟୁ ଅପରେସନ ନିଷ୍ଫଳ ହୋଇଛି । ଗଭୀର ସମୁଦ୍ରରୁ ସବମେରିନର ଧ୍ବଂସାବଶେଷ ଠାବ ହେବା ପରେ ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା କହିଛି କୋଷ୍ଟ ଗାର୍ଡ । ଟାଇଟାନିକ ବୁଡିଥିବା ସ୍ଥଳରୁ ୧୬୦୦ ଫୁଟ ବା ୪୮୮ ମିଟର ଦୂରରେ ସବମେରିନ ଟାଇଟନର ଧ୍ବଂସାବଶେଷ ଠାବ ହୋଇଛି ।

ଏହି ଟୁର ପାଇଁ ପ୍ରତ୍ୟେକ ଯାତ୍ରୀଙ୍କଠାରୁ ୨ କୋଟି ଲେଖାଏଁ ଟଙ୍କା ନେଇଥିଲା କମ୍ପାନୀ । ଜୁନ ୧୮ ତାରିଖରେ ବୁଡାଜାହାଜ ଯାତ୍ରା ଆରମ୍ଭ କରିଥିବା ବେଳେ ଦେଢ଼ ଘଣ୍ଟା ପରେ ଏହା ରାଡାର ବାହାରକୁ ଚାଲିଯାଇଥିଲା । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିଲେ ଆମେରିକା କୋଷ୍ଟଗାର୍ଡ, କାନାଡାର ସାମରିକ ବିମାନ, ଫ୍ରାନ୍ସର ଜାହାଜ । ଟେଲିଗାଇଡେଡ ରୋବଟ ବି ସନ୍ଧାନରେ ବିଫଳ ହୋଇଥିଲା । ସବମେରିନରେ ରହିଥିବା ଯାତ୍ରୀଙ୍କ ମଧ୍ୟରେ ଥିଲେ ବ୍ରିଟିଶ ଅର୍ବୁଦପତି ହାମିଶ ହାର୍ଡିଂ, ପାକିସ୍ତାନୀ କୋଟିପତି ସାହାଜାଦ ଦାଉଦ ଓ ପୁଅ ସୁଲେମାନ, ଫ୍ରେଞ୍ଚ ଏକ୍ସପ୍ଲୋରର ପଲ୍ ହେନେରୀ ନାର୍ଗୋଲେଟ ।