ଯୁଦ୍ଧର ୫ ମାସ ପରେ ଋଷ ବିରୋଧରେ ଆମେରିକାର ବଡ଼ ଧରଣର କଟକଣା

ଓ୍ୱାଶିଂଟନ: ଯୁଦ୍ଧର ୫ ମାସ ପରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଗାର୍ଲଫ୍ରେଣ୍ଡଙ୍କ ସମେତ ବହୁ ଅର୍ବୁତପତିଙ୍କ ବିରୋଧରେ କଟକଣା ଜାରି କଲା ଆମେରିକା । ପୁଟିନଙ୍କ ନିକଟ ସମ୍ପର୍କୀୟ କେତେକ ବ୍ୟକ୍ତିଙ୍କ ବିରୋଧରେ କଟକଣା ଲଗାଇଯାଇଥିବାବେଳେ ୨୪ରୁ ଅଧିକ ବ୍ୟବସାୟ ପ୍ରତିଷ୍ଠାନ, ଉଚ୍ଚପ୍ରଯୁକ୍ତି ପ୍ରତିଷ୍ଠାନ ଓ ଇଲେକ୍ଟ୍ରୋନିକ କମ୍ପାନି ବିରୋଧରେ ଏହି କଟକଣା ଜାରି ହୋଇଛି । ପୁଟିନିଙ୍କ ସହଯୋଗ ତଥା ଅର୍ବୁଦପତି ଆନ୍ଦ୍ରେଇଭିଚ୍ ଗ୍ୟୁରେଭଙ୍କ ବିରୋଧରେ କଟକଣା ଜାରି ହୋଇଛି । ଲଣ୍ଡନର ଦ୍ବିତୀୟ ବୃହତ ଏଷ୍ଟେଟ ଅର୍ଥାତ ଓ୍ବିଟାନହର୍ଷ୍ଟ ଏଷ୍ଟେଟର ମାଲିକ ଅଛନ୍ତି ଗ୍ୟୁରେଭ ।

ବିଶ୍ବ ସାର ବଜାରର ପ୍ରମୁଖ ସପ୍ଲାୟର ଭାବେ ଗ୍ୟୁରେଭ ଜଣାଶୁଣା । ପୂର୍ବତନ ଅଲିମ୍ପିକ ଜିମ୍ନାଷ୍ଟ ତଥା ପୁଟିନଙ୍କ ଗାର୍ଲଫ୍ରେଣ୍ଡ ଆଲିନା କାବେଭାଙ୍କ ବିରୋଧରେ ବି କଟକଣା ଜାରି ହୋଇଛି । ସେହିପରି ଋଷ ସରକାରଙ୍କ ଅନ୍ୟ ଜଣେ କର୍ମକର୍ତ୍ତା କିରିଲ ଦିମିତ୍ରିଭଙ୍କ ପତ୍ନୀ ନାତାଲ୍ୟା ପୋପୋଭାଙ୍କ ବିରୋଧରେ ବି କଟକଣା ଜାରି କରିଛି ଆମେରିକା । ସେହିପରି ଋଷର ଅନ୍ୟତମ ସର୍ବବୃହତ କରଦାତା ଭିକ୍ଟର ଫିଲିପୋଭିଚ ରସନିକୋଭ ବି ଆମେରିକା କଟକଣାର ଶିକାର ହୋଇଛନ୍ତି ।