ରୁଷିଆକୁ ସମର୍ଥନ ପଡ଼ିଲା ମହଙ୍ଗା; ଭାରତ ସମେତ ବିଶ୍ବର ୨୭୫ ସଂସ୍ଥା ଓ ବ୍ୟକ୍ତିଙ୍କ ବିରୋଧରେ କଟକଣା
1 min readନୂଆଦିଲ୍ଲୀ: ମହଙ୍ଗା ପଡିଲା ରୁଷିଆର ସାମରିକ କାର୍ଯ୍ୟକଳାପକୁ ସମର୍ଥନ । ବିଶ୍ବର ୨୭୫ ସଂସ୍ଥା ଓ ବ୍ଯକ୍ତି ବିଶେଷଙ୍କ ବିରୋଧରେ କଟକଣା ଲଗାଇଲା ଆମେରିକା । ଏମାନଙ୍କ ମଧ୍ଯରେ ରହିଛନ୍ତି ଭାରତର ୧୫ ସଂସ୍ଥା । ଚୀନ, ସୁଇଜରଲ୍ଯାଣ୍ଡ, ଥାଇଲାଣ୍ଡ, ତୁର୍କୀର ବିଭିନ୍ନ ସଂସ୍ଥା ବିରୋଧରେ ଏହି କଟକଣା ଲାଗିଛି । ରୁଷିଆକୁ ଆତ୍ଯାଧୁନିକ ପ୍ରଯୁକ୍ତି, ଯନ୍ତ୍ରପାତି ଆଦି ଯୋଗାଣ ଅଭିଯୋଗରେ ଆମେରିକାର ଟ୍ରେଜେରୀ ବିଭାଗ ଏହି କଟକଣା ଲଗାଇଛି ।
ସେହିପରି ରୁଷିଆର ଆମଦାନୀକାରୀ ସଂସ୍ଥା ଓ ଉତ୍ପାଦନକାରୀ ସଂସ୍ଥା ବିରୋଧରେ ବି ଲାଗିଛି କଟକଣା । ଟ୍ରେଜେରୀ ବିଭାଗ ଉପ ସଚିବ ଓ୍ବାଲି ଆଦେମୋ କହିଛନ୍ତି, ୟୁକ୍ରେନ ବିରୋଧରେ ରୁଷିଆ ବେଆଇନ ଯୁଦ୍ଧ କରୁଥିବାରୁ ତାହାକୁ ପ୍ରତିହତ କରିବା ଲାଗି ଆମେରିକା ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଆମେରିକା କଟକଣାର ବି ଶିକାର ହୋଇଛନ୍ତି ରୁଷିଆ ପ୍ରତିରକ୍ଷା ମନ୍ତ୍ରାଳୟର ବହୁ ବରିଷ୍ଠ ଅଧିକାରୀ, ପ୍ରତିରକ୍ଷା କମ୍ପାନୀ ।
ଭାରତର ଯେଉଁ କମ୍ପାନୀ କଟକଣାର ଶିକାର ହୋଇଛନ୍ତି ସେଗୁଡିକ ହେଲା- ଆଭର ଟେକ୍ନୋଲୋଜିସ ଆଣ୍ଡ ସର୍ଭିସେସ ପ୍ରାଇଭେଟ ଲିମିଟେଡ, ଦେନଭାସ ସର୍ଭିସ ପ୍ରାଇଭେଟ ଲିମିଟେଡ, ଏମିସଷ୍ଟେକ, ଗାଲାକ୍ସି ବିମିଂ ଲିମିଟେଡ, ଅରବିଟ ଫିନଟ୍ରେଡ ଏଲଏଲପି, ଇନୋଭା ଭେଞ୍ଚର୍ସ, କେଡିଜେଇ ଇଞ୍ଜିନିୟରିଂ ପ୍ରାଇଭେଟ ଲିମିଟେଡ, ଖୁସୁବ ହୋନିଂ ପ୍ରାଇଭେଟ ଲିମିଟେଡ । ସେହିପରି ଲୋକେସ ମେସିନସ୍ ଲିମିଟେଡ, ପଏଣ୍ଟର ଇଲେକ୍ଟ୍ରୋନିକ୍ସ, ଆରଆରଜି ଇଞ୍ଜିନିୟରିଂ ଟେକ୍ନୋଲୋଜିସ ପ୍ରାଇଭେଟ ଲିମିଟେଡ, ଶାର୍ପଲାଇନ ଅଟୋମେସନ, ଶୌର୍ଯ୍ୟ ଏରୋନେଟିକ୍ସ, ଶ୍ରୀଜି ଇମ୍ପେକ୍ସ, ଶ୍ରେୟା ଲାଇଫ ସାଇନ୍ସେସ୍ ବିରୋଧରେ ବି କଟକଣା ଲାଗିଛି ।