ୟୁକ୍ରେନକୁ ପୁଣି ବଡ ସହାୟତା, ମିଳିଲା ୪୦୦ ନିୟୁତ ଡଲାରର ମିଲିଟାରୀ ପ୍ୟାକେଜ

1 min read

କିଭ୍‌: ୟୁକ୍ରେନକୁ ପୁଣି ଆମେରିକାର ବଡ଼ ଧରଣର ମିଲିଟାରୀ ପ୍ୟାକେଜ । ପ୍ରାୟ ୪୦୦ ନିୟୁତ ଡଲାର ମୂଲ୍ୟର ପ୍ୟାକେଜରେ ରହିଛି ଶକ୍ତିଶାଳୀ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହୋଇପାରୁଥିବା ମିସାଇଲ, T-72 ଟ୍ୟାଙ୍କ ଓ ଅନ୍ୟାନ୍ୟ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର । ଡେପୁଟି ପେଣ୍ଟାଗନ ପ୍ରେସ ସେକ୍ରେଟାରୀ ସାବ୍ରିନା ସିଂ କହିଛନ୍ତି ୟୁକ୍ରେନକୁ ୯୦ଟି T-72 ଟ୍ୟାଙ୍କ ଯୋଗାଇ ଦିଆଯିବ ।

ଏହି ପ୍ୟାକେଜରେ ବି ରହିଛି ୧ ହଜାର ୧୦୦ ଫୋନିକ୍ସ ଘୋଷ୍ଟ ଡ୍ରୋନ, ୪୦ଟି ଆର୍ମଡ ବୋଟ, ୨୫୦ଟି ଏମ ୧୧୧୭ ସାଞ୍ଜୁଆ ଯାନ ଇତ୍ୟାଦି । ସେପଟେ ସ୍ପେନ ବି ୟୁକ୍ରେନକୁ ହକ୍ ଏୟାର ଡିଫେନ୍ସ ସିଷ୍ଟମ ଦେବାକୁ ଘୋଷଣା କରିଛି । ଉଭୟ ଆମେରିକା ଓ ସ୍ପେନର ଏହି ସହାୟତା ଋଷ ଲାଗି ଅଧିକ ଚ୍ୟାଲେଞ୍ଜପୂର୍ଣ୍ଣ ହେବ । ଗତ ଫେବ୍ରୁଆରୀରେ ଯୁଦ୍ଧ ଆରମ୍ଭ ପର ଠାରୁ ବର୍ତ୍ତମାନ ସୁଦ୍ଧା ୟୁକ୍ରେନକୁ ଆମେରିକା ଯୋଗାଇଲାଣି ମୋଟ ୧୮ ବିଲିୟନ ଡଲାରର ଅସ୍ତ୍ରଶସ୍ତ୍ର ।

ସେପଟେ ଋଷ ବିରୋଧରେ ପୁଣି ସତର୍କ ସୂଚନା ଜାରି କରିଛନ୍ତି ଗ୍ରୁପ-୭ ରାଷ୍ଟ୍ରଗୋଷ୍ଠୀ । ଯଦି କୌଣସି ପ୍ରକାର ଜୈବିକ, ରାସାୟନିକ ଓ ଆଣବିକ ଅସ୍ତ୍ର ବ୍ୟବହାର କରାଯାଏ ତେବେ ଏଥିଲାଗି ଋଷକୁ ବହୁମୂଲ୍ୟ ଦେବାକୁ ପଡିବ ବୋଲି ଚେତାବନୀ ଦେଇଛନ୍ତି ଗ୍ରୁପ-7 ରାଷ୍ଟ୍ରଗୋଷ୍ଠୀ । ମିସାଇଲ ମାଡରେ ଧ୍ବସ୍ତବିଧ୍ବସ୍ତ ୟୁକ୍ରେନର ଶକ୍ତି ଓ ଜଳଯୋଗାଣ ପ୍ରକଳ୍ପର ମରାମତି କରିବା ଦିଗରେ ପଦକ୍ଷେପ ନେଇଛି ଗ୍ରୁପ-7 ।