ଆମେରିକାରେ ଅଭୂତପୂର୍ବ ସଙ୍କଟ ; ଅନ୍ତରୀଣ ପାଣ୍ଠି ଯୋଗାଣ ବିଲ ହୋଇପାରିଲାନି ଅନୁମୋଦିତ
1 min read
ନନ୍ଦିଘୋଷ ବ୍ୟୁରୋ: ଆମେରିକାରେ ଅଭୂତପୂର୍ବ ସଙ୍କଟ । ଷ୍ଟପଗ୍ୟାପ ଫଣ୍ଡିଂ ବିଲ୍ ବା ଅନ୍ତରୀଣ ପାଣ୍ଠି ଯୋଗାଣ ବିଲକୁ ଅନୁମୋଦନ କରିବାରେ ସିନେଟ ବିଫଳ ହେବା ପରେ ଏହାକୁ ନେଇ ସରକାର ପରିଚାଳନାରେ ଘନସଙ୍କଟ ଦେଖାଦେଇଛି । ଏପରିକି ସରକାରୀ କର୍ମଚାରୀଙ୍କୁ ଛଟେଇ କରିବାକୁ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଧମକ ଦେବା ପରେ ସ୍ଥିତି ଅଧିକ ଜଟିଳ ହୋଇଛି । ସିନେଟରେ ଅନୁଷ୍ଠିତ ଭୋଟରେ ବିଲ କାଟ ଖାଇବା ପରେ ଏହି ସଙ୍କଟ ସୃଷ୍ଟି ହୋଇଛି । ଏପରିକି ଅଣଜରୁରୀ ସେବାକୁ ବାତିଲ କରିବା ଲାଗି ବିଭିନ୍ନ ସଂସ୍ଥା ପଦକ୍ଷେପ ନେବା ଆରମ୍ଭ କରିଥିବା ସୂଚନା ମିଳିଛି । ଫଳରେ ବିମାନଯାତ୍ରା, ଅର୍ଥନୈତିକ ରିପୋର୍ଟ, ଗବେଷଣା, କ୍ଷୁଦ୍ର ବ୍ୟାବସାୟିକ ଋଣ କାର୍ଯ୍ୟାଳୟ ଉପରେ ଏହାର ତୁରନ୍ତ ପ୍ରଭାବ ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି । ଏନେଇ ଡେମୋକ୍ରାଟ ଓ ରିପବ୍ଲିକାନ ସାଂସଦଙ୍କ ମଧ୍ୟରେ ବ୍ୟାପକ ଆଲୋଚନା ହୋଇଥିଲେ ବି ଫଳ ମିଳିନାହିଁ । ମଙ୍ଗଳବାର ହିଁ ରାଜସ୍ବ ବର୍ଷର ଶେଷ ଦିନ ହୋଇଥିବାରୁ ସେହିଦିନ ଅନ୍ତରୀଣ ଆର୍ଥିକ ବିଲ୍ ପାସ୍ ହେବାର ଆବଶ୍ୟକତା ଥିଲା । ବିଲକୁ ପାସ୍ କରିବା ଲାଗି ସୋମବାର ରାଷ୍ଟ୍ରପତି ଟ୍ରମ୍ପ ବୈଠକ କରିଥିଲେ ହେଁ ତାହା ନିଷ୍ଫଳ ହୋଇଛି ।
ଏହି ପ୍ରସଙ୍ଗରେ ତାତିଥିବା ଟ୍ରମ୍ପ କହିଛନ୍ତି- ସିନେଟର ଏହି ପଦକ୍ଷେପ ଯୋଗୁ ଅନେକ କର୍ମଚାରୀ ଛଟେଇ ହେବେ ଏବଂ ବହୁଳ ଲୋକ ପ୍ରଭାବିତ ହେବେ । ଚଳିତ ବର୍ଷ ପ୍ରଥମ ଭାଗରେ ଏଲନ ମସ୍କ ନେତୃତ୍ବରେ ଗଠିତ ଡିପାର୍ଟମେଣ୍ଟ ଅଫ ଗଭର୍ଣ୍ଣମେଣ୍ଟ ଏଫିସିଏନ୍ସି ଜରିଆରେ ବହୁ କର୍ମଚାରୀଙ୍କୁ ଛଟେଇ କରାଯିବା ପରେ ଏବେ ଟ୍ରମ୍ପଙ୍କ ଘୋଷଣା ଅନେକ ଆଶଙ୍କା ସୃଷ୍ଟି କରିଛି । ୧୦୦ ସଦସ୍ୟ ବିଶିଷ୍ଟ ସିନେଟରେ ସରକାରୀ ପାଣ୍ଠି ଯୋଗାଣ ବିଲ୍ ସକାଶେ ୬୦ ଭୋଟ ଦରକାର । ସିନେଟରେ ରିପବ୍ଲିକାନଙ୍କ ସଂଖ୍ୟା ୫୩ ଥିବାବେଳେ ଡେମୋକ୍ରାଟଙ୍କ ସଂଖ୍ୟା ୪୫ ରହିଛି । ବିଲ୍ ଲାଗି ଅନୁଷ୍ଠିତ ଭୋଟରେ ବିଲ୍ ସପକ୍ଷରେ ୫୫ ଭୋଟ ମିଳିଥିବାବେଳେ ବିପକ୍ଷରେ ମିଳିଥିଲା ୪୫ । ବିଲ୍ ପାସ୍ ହୋଇ ନପାରିବା ଯୋଗୁ ହଜାର ହଜାର କର୍ମଚାରୀ ବିନା ଦରମାରେ କାମ କରିବେ । ଗତ ୨୦୧୮ ଡିସେମ୍ବରରେ ବି ଟ୍ରମ୍ପଙ୍କ ଶାସନ କାଳରେ ଏହି ଧରଣର ସଙ୍କଟ ଉପୁଜିଥିଲା ଯାହା ୩୫ ଦିନ ଯାଏ ଲାଗି ରହିଥିଲା । ।ଆମେରିକାରେ ୧୯୮୧ ପରଠାରୁ ବର୍ତ୍ତମାନ ସୁଦ୍ଧା ୧୫ଥର ଏହି ଧରଣର ସମସ୍ୟା ସୃଷ୍ଟି ହୋଇଛି