ଟ୍ରମ୍ପ ଓ ହାରିସଙ୍କ ମଧ୍ଯରେ ଜୋରଦାର ଲଢେଇ; ଆଗୁଆ ଭୋଟ ଦେଲେଣି ପ୍ରାୟ ୭ କୋଟି ଭୋଟର
ନନ୍ଦିଘୋଷ ବ୍ୟୁରୋ : ଅନ୍ତିମ ପର୍ଯ୍ଯାୟରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ । ଭୋଟକୁ ଆଉ ମାତ୍ର କେଇ ଘଣ୍ଟା ବାକି ରହିଛି । ନଭେମ୍ୱର ୫ ତାରିଖ ମଙ୍ଗଳବାର ଦିନ ନିର୍ବାଚନ ହେବାକୁ ଯାଉଥିବାବେଳେ ସାରା ଦେଶରେ ରାଜନୈତିକ ଉଷ୍ମତା ଶୀର୍ଷରେ ପହଞ୍ଚିଛି । କେବଳ ଆମେରିକା ନୁହେଁ ବରଂ ଫଳାଫଳକୁ ନେଇ ଆନ୍ତର୍ଜାତିକ ସ୍ତରରେ ମଧ୍ଯ ଉତ୍ସାହ ଦେଖାଦେଇଛି। ରିପବ୍ଲିକାନ ପ୍ରାର୍ଥୀ ଡୋନାଲଡ ଟ୍ରମ୍ପ ଓ ଡେମୋକ୍ରାଟିକ ପ୍ରାର୍ଥୀ କମଳା ହାରିସଙ୍କ ମଧ୍ଯରେ ଜୋରଦାର ଲଢେଇ ହେଉଛି। ଏଥିପାଇଁ ଜୋରଦାର ପ୍ରଚାର ଚାଲିଥିବାବେଳେ ଆଗୁଆ ଭୋଟ ଦେବାରେ ରେକର୍ଡ କରିଛନ୍ତି ଆମେରିକୀୟ। ଭୋଟ ଆଗରୁ ଆଗୁଆ ଭୋଟ ଦେଲେଣି ପ୍ରାୟ ୭ କୋଟି ଭୋଟର । ଏବେ ସୁଦ୍ଧା ପ୍ରାୟ ୭ କୋଟି ଭୋଟର ଭୋଟ ଦେଇସାରିଥିବା ରିପୋର୍ଟରେ ପ୍ରକାଶ ପାଇଛି ।
ନିର୍ବାଚନ ପାଇଁ ଧାର୍ଯ୍ଯ ତାରିଖ ଆଗରୁ ଭୋଟ ଦେବା ଅଧିକାର ଆମେରିକାରେ ରହିଛି । କେବଳ ନ୍ଯୁୟର୍କ ସିଟିରେ ଦେଢ଼ ଲକ୍ଷରୁ ଅଧିକ ଭୋଟର୍ ମତାଧିକାର ସାବସ୍ତ କରିସାରିଲେଣି । ୨୦୨୦ରେ ଆଗୁଆ ମତଦାନ ପାଇଁ ୧୦୦ରୁ କମ୍ ମତଦାନ କେନ୍ଦ୍ର ସ୍ଥାପନ କରାଯାଇଥିଲା। ଚଳିତ ବର୍ଷ ଏହି ସଂଖ୍ୟା ଏହାଠାରୁ ପ୍ରାୟ ୫୦ ପ୍ରତିଶତ ଅଧିକ ରହିଛି । ମୁଖ୍ୟ ନିର୍ବାଚନ ଦିବସ ପୂର୍ବରୁ ଭୋଟରଙ୍କ ମଧ୍ୟରେ ଏଭଳି ଉତ୍ସାହ ଚଳିତ ନିର୍ବାଚନରେ ମତଦାନ ହାରକୁ ଯଥେଷ୍ଟ ବୃଦ୍ଧି କରିବାରେ ସହାୟକ ହେବ ବୋଲି କୁହାଯାଉଛି ।