ଭାଙ୍ଗୁଛି ଆଫଗାନିସ୍ତାନ: ଆମେରିକା ବି ଡରିଲାଣି ତାଲିବାନଙ୍କୁ, ପଠାଇଲା ୪ହଜାର ସୈନିକ

1 min read

କାବୁଲ: ଦିନକୁ ଦିନ ବିଗିଡ଼ି ଚାଲିଛି ଆଫଗାନିସ୍ତାନ ପରିସ୍ଥିତି। ନିର୍ବାଚିତ ସରକାର ଦେଶ ଉପରୁ ନିଜର ଅସ୍ତିତ୍ୱ ହରାଇ ଚାଲିଛନ୍ତି। ଆଫଗାନିସ୍ତାନର ସୈନ୍ୟମାନେ ଆଉ ତାଲିବାନ ସହ ଯୁଦ୍ଧ କରିବାକୁ ସମର୍ଥ ହେଉ ନାହାନ୍ତି। ପରିସ୍ଥିତି ଏପରି ହୋଇଛି ଯେ, ତାଲିବାନର ସଂଗଠିତ ଆକ୍ରମଣକୁ ଦେଖି ଆଫଗାନ ସେନା ଛତ୍ରଭଙ୍ଗ ଦେଉଛନ୍ତି।

ଅନେକ ସ୍ଥାନରେ ସୈନିକମାନେ ତାଲିବାନ ସହ ହାତ ମିଳାଇ ଆତଙ୍କବାଦୀ ହୋଇଯାଉଥିବା ନଜରକୁ ଆସିଛି। ଏପରି ମୁହୂର୍ତ୍ତରେ ଆଉ କାବୁଲ୍ ସୁରକ୍ଷିତ ନୁହେଁ ବୋଲି ସ୍ପଷ୍ଟ କରିସାରିଲାଣି ଯୁକ୍ତରାଷ୍ଟ୍ର ଆମେରିକା। ଏପରି କ୍ଷେତ୍ରରେ ଆଫଗାନିସ୍ତାନରେ ଥିବା ଆମେରିକାର ସୈନିକ ଏବଂ ନାଗରିକଙ୍କୁ ସୁରକ୍ଷିତ ଭାବେ ନିଜ ଦେଶକୁ ଫେରାଇ ଆଣିବା ଆମେରିକା ପାଇଁ ଏକ ଆହ୍ୱାନ ପାଲଟିଛି। ଏହି ମାସ ଶେଷ ସୁଦ୍ଧା ସୈନିକ ପ୍ରତ୍ୟାହାର ଶେଷ କରିବାକୁ ନିଷ୍ପତ୍ତି ନେଇଥିବା ଆମେରିକା ଆଫଗାନିସ୍ଥାନରେ ଥିବା ନିଜର ଦୂତାବାସରୁ କର୍ମଚାରୀ ଓ ସୈନିକଙ୍କୁ ପ୍ରତ୍ୟାହାର କରିବା ପାଇଁ ଆଜି ୪ ହଜାର ସୈନିକଙ୍କ ସମେତ ୩ ହଜାର ଜଳ ଜାହାଜ ପ୍ରେରଣ କରିଛି।

ଭାରତ ମଧ୍ୟ ଏହାର ଦୂତାବାସ ଚାଲୁ ରଖିଥିଲେ ମଧ୍ୟ ପ୍ଲାନ୍- ବି ପ୍ରସ୍ତୁତ ରଖିଛି। ଏଠାରେ ଥିବା ଦେଢ଼ ହଜାରରୁ ଅଧିକ ଅଧିବାସୀଙ୍କୁ ତୁରନ୍ତ ବିମାନ ଧରି ଭାରତ ଫେରିଯିବାକୁ ଆହ୍ୱାନ ଦେଇଛି ଭାରତ।

ସରକାର ଓ ବୈଦେଶିକ ଶକ୍ତିର ପ୍ରଭାବ କମିବା ହେତୁ ସୁନାମୀଠୁ ଦ୍ରୁତ ବେଗରେ ମାଡ଼ି ଚାଲିଚନ୍ତି ତାଲିବାନ ଆତଙ୍କୀ। ଏପରିକି ଶୁକ୍ରବାର ସନ୍ଧ୍ୟା ସୁଦ୍ଧା କାବୁଲ ସୀମା ବି ତାଲିବାନୀଙ୍କ ଅଧୀନସ୍ଥ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ସକାଳୁ ତାଲିମ ପ୍ରାପ୍ତ ତାଲିବାନ ଆତଙ୍କୀ ଆଫଗାନିସ୍ତାନର ଦ୍ବିତୀୟ ବୃହତ୍ତମ ସହର କାନ୍ଦାହାରକୁ ନିଜ କବଜାକୁ ନେଇଛନ୍ତି। କାନ୍ଦାହାର ଜେଲ ଭାଙ୍ଗି ରାଜନୀତିକ ବନ୍ଦୀଙ୍କୁ ମୁକ୍ତ କରିଛନ୍ତି। ଏହା ସହ ଗଜନୀ ସହର, ଲସ୍କରଗାହ ଓ ହେରାତ ସହରକୁ ମଧ୍ୟ ତାଲିବାନଙ୍କ କବ୍ଜାକୁ ଆସିଛି। ଗତ କିଛି ଦିନ ପୂର୍ବରୁ କାନ୍ଦାହାର ଜେଲ ଉପରେ ନଜର ପକାଇଥିଲେ ମଧ୍ୟ ସେଥିରେ ବିଫଳ ହୋଇଥିଲା ତାଲିବାନ । ହେଲେ ଏବେ ମିଶନରେ ସଫଳ ହୋଇଛି । ଯଦି ଏଭଳି ଭାବେ ତାଲିବାନ ଆତଙ୍କବାଦୀଙ୍କ ବର୍ବରତା ଜାରି ରୁହେ ଆସନ୍ତା ୯୦ ଦିନରୁ କମ୍ ସମୟ ମଧ୍ୟରେ ସମ୍ପୂର୍ଣ୍ଣ ଆଫଗାନିସ୍ତାନକୁ ତାଲିବାନ ନିଜ ଅକ୍ତିଆରକୁ ନେଇଯିବ ବୋଲି ପୂର୍ବାନୁମାନ କରିଛି ଆମେରିକାର ଗୁଇନ୍ଦା ସଂସ୍ଥା ।

ସେନା ଦୁର୍ବଳ ହେବାରୁ ଆଫଗାନିସ୍ତାନକୁ ଭାରତ ଦେଇଥିବା ଯୁଦ୍ଧ ବିମାନ MI-24କୁ ନିଜ ଅକ୍ତିଆରକୁ ନେଇଛି ତାଲିବାନ। ତାଲିବାନ ଆତଙ୍କୀ MI-24ଆଗରେ ଠିଆ ହୋଇ ଫଟୋ ସେୟାର କରିଛନ୍ତି । ୨୦୧୯ରେ ଭାରତ ଆଫଗାନିସ୍ତାନକୁ ଏହି ହେଲିକାପ୍ଟର ଗିଫ୍ଟ ଦେଇଥିଲା ।

ଏଭଳି ଶୋଚନୀୟ ପରିସ୍ଥିତିରେ ଆଫଗାନୀଙ୍କ ଅବସ୍ଥା କଥା କହିଲେ ନ ସରେ । ବୁଧବାର କାବୁଲର ଏକ ପାର୍କରେ ଶରଣ ନେଇଛନ୍ତି ଏକାଧିକ ପରିବାର । ସେଠାରେ ଶିବିରରେ ରହିଥିବା ଶରଣାର୍ଥୀଙ୍କ କହିବା ହେଉଛି ପ୍ରାୟ ୬ରୁ ୭ ଦିନ ପର୍ଯ୍ୟନ୍ତ ଚାଲିଥିବା ଲଢେଇ ଝଗଡ଼ା ମଧ୍ୟରେ ଏମାନେ ସେଠାରେ ବନ୍ଧା ପଡ଼ିଥିଲେ । ପିଇବା ପାଇଁ ନିଜ ପାଇଁ ଚା ପ୍ରସ୍ତୁତ କରିବା ପାଇଁ ମଧ୍ୟ ସେମାନଙ୍କୁ ଅନୁମତି ନଥିଲା । ସମସ୍ୟା ଏତେ ଥିଲାଯେ, ଶବ୍ଦରେ ମଧ୍ୟ ପ୍ରକାଶ କରି ହେବନି । ଯେମିତି ସେମିତି ହେଉ ସେଠାରୁ ଚାଲିଆସି ଜୀବନ ବଞ୍ଚାଇଥିବା କହିଛନ୍ତି ଜଣେ ଆଫଗାନ ମହିଳା ।

ତାଲିବାନରେ କ୍ରୁର ଶାସନକୁ ସହି ନ ପରି କୁନ୍ଦୁଜ, ତଖର ଓ ବଗଲାନରୁ ଅଧକରୁ ଅଧିକ ଲୋକ ମଙ୍ଗଳବାର କାବୁଲର ଏକ ପାର୍କରେ ଡେରା ପକାଇଥିବା ଭିଡ଼ିଓରେ ଦେଖବାକୁ ମିଳିଛି । ପୁରୁଷଙ୍କ ଠାରୁ ଆରମ୍ଭ କରି ମହିଳା ଏବଂ ଛୋଟ ପିଲାଙ୍କ ପର୍ଯ୍ୟନ୍ତ ଶିବିରରେ ସମସ୍ତଙ୍କୁ ଦେଖିବାକୁ ମିଳିଛି । ସହରରେ ଥିବା ଘର ଗୁଡ଼ିକରେ ଲୋକ ନୁହଁନ୍ତି ବରଂ ଅସ୍ତ୍ର ଶସ୍ତ୍ର ଭରପୂର ହେବାରେ ଲାଗିଛି । ନାଗରିକଙ୍କ ମୌଳିକ ଆବଶ୍ୟକତା ଯେମିତି ଏବେ ସ୍ୱପ୍ନ ପ୍ରାୟ।

Leave a Reply