ଋଷ-ୟୁକ୍ରେନ ଯୁଦ୍ଧ ସମାପ୍ତି ଲାଗି କଥା ହେବେ ଆମେରିକା-ଚୀନ

1 min read

ରୋମ: ଘଟିପାରେ ଋଷ-ୟୁକ୍ରେନ ଯୁଦ୍ଧରେ ପରିସମାପ୍ତି । ଏଥିପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ଦୁଇ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ଓ ଚୀନ । ଦୁଇ ରାଷ୍ଟ୍ରର ପ୍ରତିନିଧି ଋଷ-ୟୁକ୍ରେନ ଯୁଦ୍ଧ ପରିସମାପ୍ତି ଲାଗି ରୋମରେ କରିବେ ଆଲୋଚନା ।

ଆଲୋଚନାରେ ଚୀନ ପକ୍ଷରୁ ବୈଦେଶିକ ନୀତି ପରାମର୍ଶଦାତା ୟାଙ୍ଗ ଜେଇଚି ଓ ଆମେରିକାର ନିରାପତ୍ତା ପରାମର୍ଶଦାତା ଜେକ୍ ସୁଲିଭାନ ସାମିଲ ହେବେ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରତ୍ୟେକ୍ଷ ହସ୍ତକ୍ଷେପ ପରେ ଏହି ବୈଠକ ଆୟୋଜିତ ହେଉଛି । ୟୁକ୍ରେନ ଉପରେ ଆକ୍ରମଣ ଏବଂ ବିଶ୍ବ ନିରାପତ୍ତା ଉପରେ ଏହାର ପ୍ରଭାବ ସମ୍ପର୍କରେ ଦୁଇ ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା ହେବ ।

ୟୁକ୍ରେନରେ ଆମେରିକା ସହାୟତାରେ ଜୈବିକ ଓ ରାସାୟନିକ ଅସ୍ତ୍ର ତିଆରି ଚାଲିଥିବା ନେଇ ଋଷର ଦାବି ପ୍ରସଙ୍ଗରେ କ୍ଷୁବ୍ଧ ହୋଇଥିଲା ଆମେରିକା । ଏହି ଘଟଣାରେ ଗୁଜବକୁ ପ୍ରଶୟ ଦେଉଥିବାରୁ ବେଜିଂ ଉପରେ ବି ହ୍ବାଇଟ୍ ହାଉସ ଦୋଷ ଲଦିଥିଲା । ଦୁଇ ପକ୍ଷଙ୍କ ମଧ୍ୟରେ କଥାବାର୍ତ୍ତାରେ ଏହି ପ୍ରସଙ୍ଗ ବି ସ୍ଥାନ ପାଇବ । ଏହାସହ ୟୁକ୍ରେନରେ ଋଷ ପକ୍ଷରୁ ଜୈବିକ ଓ ରାସାୟନିକ ଅସ୍ତ୍ର ପ୍ରୟୋଗ ଆଶଙ୍କା ଘନୀଭୂତ ହୋଇଥିବାରୁ ଦୁଇ ପକ୍ଷ ଏହାକୁ ଗୁରୁତର ସହ ବିଚାରକୁ ନେବେ । ବିଶେଷ କରି ଋଷ ସପକ୍ଷରେ ଯେପରି ଚୀନ ବାହାରିବ ନାହିଁ ତାହାକୁ ଦୃଷ୍ଟିରେ ରଖି ଏହି ଆଲୋଚନା ଧାର୍ଯ୍ୟ କରାଯାଇଛି । ସେପଟେ ଯୁଦ୍ଧ ସାମଗ୍ରୀ କ୍ଷେତ୍ରରେ ସହଯୋଗ ଲାଗି ଚୀନକୁ ଅନୁରୋଧ କରିଛି ଋଷ । ଗୁରୁତ୍ବପୂର୍ଣ୍ଣ କଥା ହେଲା ଯୁଦ୍ଧକୁ ୧୯ ଦିନ ବିତିବା ସତ୍ତ୍ବେ ଏହାକୁ ୟୁକ୍ରେନ ଉପରେ ଏକ ଆକ୍ରମଣ ବୋଲି କହି ନାହିଁ ଚୀନ । କେବଳ କଥାବାର୍ତ୍ତା ଜରିଆରେ ବିବାଦର ସମାଧାନ ହେବା ଉଚିତ ବୋଲି ଚୀନ କହିଛି ।