ଭାରତର ପୂର୍ବତନ ଗୁଇନ୍ଦା ଅଧିକାରୀ ବିକାଶ ଯାଦବଙ୍କ ବିରୋଧରେ ମାମଲା

1 min read

ନନ୍ଦିଘୋଷ ବ୍ୟୁରୋ: ଭାରତ-କାନାଡା କୂଟନୈତିକ ବିବାଦ ମଧ୍ଯରେ ଅଡୁଆରେ ପଡିଲା ଭାରତ । ଖଲିସ୍ତାନୀ ଆତଙ୍କବାଦୀ ଗୁରପତଓ୍ବନ୍ତ ସିଂ ପନ୍ନୁନଙ୍କୁ ହତ୍ଯା କରିବା ଲାଗି କରିଥିବା ଷଡ଼ଯନ୍ତ୍ର ଅଭିଯୋଗରେ ଭାରତର ପୂର୍ବତନ ଗୁଇନ୍ଦା ଅଧିକାରୀ ବିକାଶ ଯାଦବଙ୍କ ବିରୋଧରେ ମାମଲା ଦାୟର କରିଛି ଆମେରିକା । ସେ ଭାରତର ରିସର୍ଚ୍ଚ ଆଣ୍ଡ ଆନାଲିଟିକାଲ ଓ୍ବିଙ୍ଗ ବା ର ସଂସ୍ଥାର ଅଧିକାରୀ ଥିଲେ । ତାଙ୍କ ବିରୋଧରେ ହତ୍ଯା ଲାଗି ଷଡ଼ଯନ୍ତ୍ର ଓ ବେଆଇନ ଅର୍ଥ କାରବାର ମାମଲା ଲାଗିଛି ।

ଫେଡରାଲ ବ୍ଯୁରୋ ଅଫ ଇନଭେଷ୍ଟିଗେସନ ବା ଏଫବିଆଇ ନିର୍ଦ୍ଦେଶକ ଖ୍ରୀଷ୍ଟୋଫର କହିଛନ୍ତି- ଆମେରିକାରେ ବାସ କରୁଥିବା କୌଣସି ବ୍ଯକ୍ତିଙ୍କ ବିରୋଧରେ କୌଣସି ପ୍ରକାର ହିଂସାତ୍ମକ କାର୍ଯ୍ୟକଳାପକୁ ଏଫବିଆଇ ପ୍ରଶ୍ରୟ ଦେବନାହିଁ । ପନ୍ନୁନଙ୍କୁ ହତ୍ଯା କରିବା ଲାଗି ଗତ ମେ ୨୦୨୩ରୁ ଆରମ୍ଭ ହୋଇଥିବା ଯୋଜନାରେ ବିକାଶ ସାମିଲ ଥିଲେ ବୋଲି ଅଭିଯୋଗରେ ରହିଛି । ପନ୍ନୁନଙ୍କୁ ହତ୍ଯା ଲାଗି ଭାରତ ଓ ଦେଶ ବାହାରେ ରହୁଥିବା ବ୍ଯକ୍ତିବିଶେଷଙ୍କ ସହ ମିଶି ବିକାଶ ଷଡ଼ଯନ୍ତ୍ର କରିଥିଲେ ବୋଲି କୁହାଯାଇଛି ।

ଖଲିସ୍ତାନ ଭୂଖଣ୍ଡ ଗଠନ ଲାଗି ପନ୍ନୁନ ସର୍ବଦା ସ୍ବର ଉତ୍ତୋଳନ କରିଥାନ୍ତି । ୩୯ ବର୍ଷ ବୟସ୍କ ବିକାଶଙ୍କୁ ଆମେରିକା ହାତରେ ପ୍ରତ୍ୟାର୍ପଣ କରିବା ଲାଗି ଭାରତ ନିକଟରେ ଆମେରିକା ଦାବି କରିବ ବୋଲି ସୂଚନା ମିଳିଛି । ଅଭିଯୋଗ ଅନୁସାରେ ପନ୍ନୁନଙ୍କୁ ହତ୍ଯା ଲାଗି ନିଖିଳ ଗୁପ୍ତା ନାମକ ଜଣେ ବ୍ଯକ୍ତିଙ୍କୁ ବିକାଶ ଯୋଗାଡ କରିଥିଲେ । ନିଖିଳ ଗୁପ୍ତାଙ୍କୁ ୨୦୨୩ ଜୁନରେ ପ୍ରାଗରେ ଗିରଫ କରାଯାଇଥିଲା । ୨୦୨୩ରେ କାନାଡାରେ ବାସ କରୁଥିବା ଆତଙ୍କବାଦୀ ହରଦୀପ ସିଂ ନିଜ୍ଜର ହତ୍ଯା ପରେ ପନ୍ନୁନଙ୍କୁ ହତ୍ଯା କରାଯିବା ଲାଗି ଯୋଜନା ରହିଥିଲା ବୋଲି ଆମେରିକା କହିଛି । ପନ୍ନୁନଙ୍କୁ ହତ୍ଯା ଲାଗି ହତ୍ଯାକାରୀକୁ ୧ ଲକ୍ଷ ଡଲାର ଦେବା ଲାଗି ବ୍ଯବସ୍ଥା କରିଥିଲେ । ଗତ ୧୭ ତାରିଖରେ ଭାରତର ବୈଦେଶିକ ବ୍ଯାପାର ମନ୍ତ୍ରାଳୟ କହିଥିଲା- ଆମେରିକାର ନ୍ୟାୟିକ ବିଭାଗ ପକ୍ଷରୁ ପ୍ରକାଶିତ ନାଁ ସହ ଭାରତ ସରକାରଙ୍କ କୌଣସି ସମ୍ପର୍କ ନାହିଁ । ଗତ ସେପ୍ଟେମ୍ବରରେ ଏ ପ୍ରସଙ୍ଗରେ ଉତ୍ତର ରଖିବାକୁ ଜାତୀୟ ନିରାପତ୍ତା ପରାମର୍ଶଦାତା ଅଜିତ ଡୋଭାଲ, ଆରଏଡବ୍ଲୁର ପୂର୍ବତନ ମୁଖ୍ଯ ସାମନ୍ତ ଗୋଏଲଙ୍କୁ ଆମେରିକାର ଏକ କୋର୍ଟ ସମନ ଜାରି କରିଥିଲେ ।