କାବୁଲ ଏୟାରପୋର୍ଟ ଉଡ଼ାଇବାକୁ ଚାହୁଁଥିଲା ଆତ୍ମଘାତୀ ବିସ୍ଫୋରଣକାରୀ, ଏୟାରଷ୍ଟ୍ରାଇକ କଲା ଆମେରିକା: ତାଲିବାନ

US Airstrike Hits Suicide Bomber Targeting Kabul Airport Says Taliban

କାବୁଲ: ଆଫଗାନିସ୍ତାନର କାବୁଲ ଏୟାରପୋର୍ଟ ନିକଟ ଜନବସତି ଅଞ୍ଚଳରେ ରବିବାର ରକେଟ ମାଡ଼ ହୋଇଛି । ଏଥିରେ ଏକ ଛୁଆର ଜୀବନ ଯାଇଛି । ଆକ୍ରମଣର କିଛି ଘଣ୍ଟା ଭିତରେ ଆମେରିକା ଏହି ଏୟାରଷ୍ଟ୍ରାଇକ କରିଥିବା ତାଲିବାନ ଦାବି କରିଛି । ତାଲିବାନ କହିଛି, ଆମେରିକା ଆକାଶ ମାର୍ଗରୁ ଜଣେ ଆତ୍ମଘାତୀ ବିସ୍ଫୋରଣକାରୀକୁ ଟାର୍ଗେଟ୍ କରିଛି । ଯିଏ କି ଆମେରିକା ସେନା ପ୍ରତ୍ୟାହାର ବେଳେ କାବୁଲ ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ଆକ୍ରମଣ କରିବାକୁ ଚାହୁଁଥିଲା ।

ରିପୋର୍ଟ ଅନୁସାରେ, କାବୁଲ ଏୟାରପୋର୍ଟ ନିକଟରେ ହୋଇଥିବା ରକେଟ୍ ମାଡ଼ ଓ ଏୟାରଷ୍ଟ୍ରାଇକ ଭିନ୍ନ ଅଟେ । ଆମେରିକା ଏୟାରଷ୍ଟ୍ରାଇକ କରି ଆତ୍ମଘାତୀ ବିସ୍ଫୋରଣକାରୀକୁ ଟାର୍ଗେଟ୍ କରିଥିଲା । ଅନ୍ୟପଟେ କାବୁଲ ଏୟାରପୋର୍ଟ ନିକଟରେ ହୋଇଥିବା ରକେଟ୍ ମାଡ଼ରେ ଏକ ଛୁଆର ମୃତ୍ୟୁ ହୋଇଛି । କାବୁଲ ଏୟାରପୋର୍ଟରେ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ଆମେରିକା ଏହି ଆକ୍ରମଣ କରିଛି । ୩୧ ଅଗଷ୍ଟ ସୁଦ୍ଧା ଅଭିଯାନ ସରିବାକୁ ଥିବାବେଳେ ଏବେ ସୁଦ୍ଧା ୧ ଲକ୍ଷରୁ ଅଧିକ ଲୋକଙ୍କୁ ଆଫଗାନିସ୍ତାନରୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।

ଏହା ପୂର୍ବରୁ ଗୁରୁବାର କାବୁଲ ଏୟାରପୋର୍ଟ ନିକଟରେ ଲଗାତାର ୨ଟି ବିସ୍ଫୋରଣ ହୋଇଥିଲା । ଯାହାପରେ ଦୁନିଆ ଚିନ୍ତାରେ ପଡ଼ି ଯାଇଥିଲା । ଏଥିରେ ୧୬୯ ଜଣ ଆଫଗାନିସ୍ତାନ ନାଗରିକ ପ୍ରାଣ ହରାଇଥିଲେ । ଆକ୍ରମଣରେ ଆମେରିକାର ୧୩ ଜଣ ସୈନ୍ୟଙ୍କ ଜୀବନ ଯାଇଥିଲା । ଏହାପରେ ଖୁବଶୀଘ୍ର ଆକ୍ରମଣର ପ୍ରତିଶୋଧ ନିଆଯିବ ବୋଲି କହିଥିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ।

Leave a Reply