ବହୁଚର୍ଚ୍ଚିତ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ହମଲା ପ୍ରସଙ୍ଗ : ଅଭିଯୁକ୍ତ ତହବୁର ରାଣାର ହୋଇପାରେ ପୁନର୍ବିଚାର

1 min read

ନନ୍ଦିଘୋଷ ବ୍ୟୁରୋ : ବହୁଚର୍ଚ୍ଚିତ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ହମଲା ଅଭିଯୁକ୍ତ ତହବୁର ରାଣା ପ୍ରତ୍ୟର୍ପଣ ପ୍ରସଙ୍ଗ । ରାଣାର ପ୍ରତ୍ୟର୍ପଣ ପ୍ରସଙ୍ଗରେ ପୁନର୍ବିଚାର କରିପାରନ୍ତି ଆମେରିକା ସୁପ୍ରିମକୋର୍ଟ । ଭାରତ ହାତରେ ରାଣାର ପ୍ରତ୍ୟର୍ପଣ ପ୍ରସ୍ତାବ ଉପର ରହିତାଦେଶ ଜାରି କରିବା ଲାଗି ସୁପ୍ରିମକୋର୍ଟରେ ହୋଇଥିବା ଆବେଦନକୁ ପୁନଃଶୁଣାଣି କରିପାରନ୍ତି କୋର୍ଟ । ଆସନ୍ତା ଏପ୍ରିଲ ୪ରେ ହେବ ମାମଲାର ଶୁଣାଣି ।

ପ୍ରତ୍ୟର୍ପଣ ପ୍ରସ୍ତାବ ଉପରେ ସ୍ଥଗିତାଦେଶ ଜାରି ଲାଗି ହୋଇଥିବା ଆବେଦନ କେତେକ ବିଚାରପତିଙ୍କ ହସ୍ତଗତ ହୋଇଥିବା ସୂଚନା ମିଳିଛି । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଜନ୍ ରବର୍ଟସଙ୍କ ନିକଟରେ ଏନେଇ ନୂଆ ଆବେଦନ କରିଥିଲା ରାଣା । କିଛି ଦିନ ତଳେ ପ୍ରତ୍ୟର୍ପଣ ପ୍ରସ୍ତାବ ରଦ୍ଦ କରିବା ଲାଗି ରାଣାର ଆବେଦନକୁ ଖାରଜ କରିଦେଇଥିଲେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ କାଗନ ।

୬୩ ବର୍ଷ ବୟସ୍କ ରାଣା ବର୍ତ୍ତମାନ ଲସ ଏଞ୍ଜେଲସର ଏକ ଜେଲରେ ରହୁଛି । ଲସ୍କର-ଏ-ତୋଏବା ସଂଗଠନର ନେତା ଡାଭିଡ ହେଡଲି ସହ ରାଣାର ସମ୍ପର୍କ ଥିବା ଜଣାଯାଏ । ୨୦୦୮ ମସିହାର ମୁମ୍ବାଇ ଆତଙ୍କୀ ହମଲାରେ ପ୍ରାଣ ହରାଇଥିଲେ ୧୬୬ ଜଣ । ଭାରତ ହାତରେ ରାଣାକୁ ପ୍ରତ୍ୟର୍ପଣ କରିବା ଲାଗି ପୂର୍ବରୁ ମଞ୍ଜୁର ଦେଇଥିଲେ ଟ୍ରମ୍ପ ପ୍ରଶାସନ । ୨୦୧୧ରେ ନଏଆଇଏ ପକ୍ଷରୁ ଦାୟର ଚାର୍ଜସିଟରେ ରାଣା ସମେତ ୮ ଜଣଙ୍କୁ ସ୍ଥାନୀତ କରାଯାଇଥିଲା ।