ନନ୍ଦିଘୋଷ ବ୍ୟୁରୋ: ୟୁରୋପୀୟ ରାଷ୍ଟ୍ରସଙ୍ଘକୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଚେତାବନୀ। ଆମେରିକା ପକ୍ଷରୁ ଚାଲିଥିବା ଶାନ୍ତି ପ୍ରକ୍ରିୟାକୁ ସମର୍ଥନ ନକଲେ ୟୁକ୍ରେନର ଆହୁରି ଅଧିକ ଅଞ୍ଚଳକୁ ରୁଷ ଅକ୍ତିଆର କରିବ ବୋଲି ଧମକ ଦେଇଛନ୍ତି ପୁଟିନ। ଆମେରିକା ପକ୍ଷରୁ ଜାରି ରହିଥିବା ଶାନ୍ତି ପ୍ରକ୍ରିୟାକୁ କିବ ଓ ଅନ୍ୟ ପାଶ୍ଚାତ୍ୟ ରାଷ୍ଟ୍ର ନ ମାନିଲେ ଏହି ପଦକ୍ଷେପ ନିଆଯିବାକୁ ଧମକେ ଦେଇଛନ୍ତି ପୁଟିନ। ୟୁରୋପୀୟ ରାଷ୍ଟ୍ରସମୂହରେ ବୁଲଗେରିଆ, ଫ୍ରାନ୍ସ, ହଙ୍ଗେରୀ, ପୋଲାଣ୍ଡ, ସ୍ପେନ ବେଲଜିୟମ ସମେତ ୩୧ ରାଷ୍ଟ୍ର ସଦସ୍ୟ ଅଛନ୍ତି। ପ୍ରତିରକ୍ଷା ମନ୍ତ୍ରାଳୟର ବାର୍ଷିକ ବୈଠକରେ ପୁଟିନ କହିଛନ୍ତି- ଐତିହାସିକ ଭାବେ ନିରୂପିତ ଥିବା ନିଜର ଭୂଖଣ୍ଡର ମୁକ୍ତି ଲାଗି ରୁଷ ପ୍ରସ୍ତୁତ ରହିଛି ଏବଂ କୂଟନୀତି ବା ସାମରିକ ବଳ ଜରିଆରେ ଏହି ଭୂଖଣ୍ଡକୁ ଅଧିକାର କରିବା ଲାଗି ରୁଷ ପଛଘୁଞ୍ଚା ଦେବ ନାହିଁ। ଯୁଦ୍ଧର ଅବସାନ ଲାଗି ରୁଷ, ୟୁକ୍ରେନ ଓ ୟୁରୋପୀୟ ରାଷ୍ଟ୍ରସଂଘ ନେତାଙ୍କ ସହ ଆମେରିକା ଭିନ୍ନ ଭିନ୍ନ ସମୟରେ ଆଲୋଚନା କରିଥିବାବେଳେ ଶାନ୍ତି ଫେରିପାରିନାହିଁ। କ୍ରିମିଆକୁ ରୁଷ ୨୦୧୪ରେ ସମ୍ପୂର୍ଣ୍ଣ ଅକ୍ତିଆର କରିଥିବାବେଳେ ଦୋନବାସ, ଖେରସନ, ଜାପୋରଜିଆର ବହୁ ଅଞ୍ଚଳରେ ରୁଷ ଆଧିପତ୍ୟ ବିସ୍ତାର କରିଛି।

