UPS ନୋଟିଫିକେସନ ଜାରି: ଏପ୍ରିଲ ପହିଲାରୁ ଆରମ୍ଭ ହେବ ଆବେଦନ, କ’ଣ ରହିଛି ପ୍ରକ୍ରିୟା?
1 min read
ନୂଆଦିଲ୍ଲୀ: କେନ୍ଦ୍ର କର୍ମଚାରୀଙ୍କୁ ଗ୍ୟାରେଣ୍ଟି ପେନସନ ଦେବା ପାଇଁ ଏକୀକୃତ ପେନସନ ଯୋଜନା (UPS)ର ଘୋଷଣା କରାଯାଇଥିଲା । ଆସନ୍ତା ମାସ ପହିଲାରୁ ଏଥିପାଇଁ ଆବେଦନ ଆରମ୍ଭ ହେବ । ବର୍ତ୍ତମାନର ଓ ନୂଆ ଭର୍ତ୍ତି ହେବାକୁ ଥିବା କର୍ମଚାରୀମାନେନ ଏହି ଯୋଜନାରେ ସାମିଲ ହେବା ପାଇଁ ଆବେଦନ କରିପାରିବେ । ପେନପସନ ଫଣ୍ଡ ନିୟାମକ ଓ ବିକାଶ ପ୍ରାଧିକରଣ (PFRDA) ଏନେଇ ନୋଟିଫିକେସନ ଜାରି କରିଛି । କେନ୍ଦ୍ର କର୍ମଚାରୀମାନେ ଏପ୍ରିଲ ୧ରୁ ପୋର୍ଟାଲରେ ଆବେଦନ କରିପାରିବେ । ଯଦି କର୍ମଚାରୀ ୟୁପିଏସ ଅଧିନରେ ପେନସନ ପାଇବାକୁ ଚାହାନ୍ତି, ତେବେ ତାଙ୍କୁ ୟୁପିଏସର ଅପ୍ସନ ସିଲେକ୍ଟ କରି କ୍ଲେମ ଫର୍ମ ଭରିବାକୁ ପଡ଼ିବ । ଯଦି ସେ ୟୁପିଏସର ଚୟନ କରିବାକୁ ଚାହାନ୍ତି ନାହିଁ, ତେବେ ଏନପିଏସର ବିକଳ୍ପ ବାଛି ପାରିବେ । ୨୩ ଲକ୍ଷ କେନ୍ଦ୍ର କର୍ମଚାରୀଙ୍କୁ ୟୁପିଏସ ଓ ଏନପିଏସ ମଧ୍ୟରୁ କୌଣସି ଗୋଟିଏ ବିକଳ୍ପ ବାଛିବାକୁ ପଡ଼ିବ । ୟୁପିଏସ ଅଧୀନରେ ସର୍ବନିମ୍ନ ପେନସନ ପ୍ରତି ମାସରେ ୧୦ ହଜାର ଟଙ୍କା ହେବ, ଯାହା ୟୁପିଏସ ଦ୍ବାରା ସର୍ବନିମ୍ନ ୧୦ ବର୍ଷର ସେବାକୁ ପୂରା କରିବା ପରେ ଦିଆଯିବ । https://npscra.nsdl.co.in ଓ୍ବେବସାଇଟକୁ ଯାଇ ସବୁ ବର୍ଗର କର୍ମଚାରୀମାନେ ଆବେଦନ କରିପାରିବେ ।
କେଉଁମାନେ UPS ପାଇଁ ଆବେଦନ କରିପାରିବେ?
- ୨୦୨୫ ମସିହା ଏପ୍ରିଲ ୧ ତାରିଖ ସୁଦ୍ଧା କେନ୍ଦ୍ର ସରକାରଙ୍କ କର୍ମଚାରୀ ହୋଇଥିବା ବ୍ୟକ୍ତି, ଯେ କି ପୂର୍ବରୁ ଏନପିଏସ ଅଧିନରେ ଆସୁଥିବେ ।
- ଉପରୋକ୍ତ ତାରିଖରେ ବା ତା’ପରେ କେନ୍ଦ୍ର ସରକାରଙ୍କ ସେବାରେ ଭର୍ତ୍ତି ହୋଇଥିବା ନୂଆ କର୍ମଚାରୀ ସାମିଲ ହେବାର ୩୦ ଦିନ ଭିତରେ ଏହାର ବିକଳ୍ପ ବାଛିବାକୁ ପଡ଼ିବ ।
- କେନ୍ଦ୍ର ସରକାରଙ୍କ କୌଣସି କର୍ମଚାରୀ ଯିଏ ଏନପିଏସ ଅଧୀନରେ ଆସୁଥିବେ ଓ ରିଟାୟାର୍ଡ ହୋଇସାରିଥିବେ ବା ସ୍ବେଚ୍ଛାକୃତ ଅବସର ନେଇସାରିଥିବେ ।
- ଆଇନଗତ ଭାବେ ବିବାହିତ ଜୀବନସାଥୀ ଯେ କି ରିଟାୟାର ହୋଇସାରିଥିବେ ବା ୟୁପିଏସର ବିକଳ୍ପର ଉପଯୋଗ କରିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇସାରିଥିବ ।