ଧାନମଣ୍ଡିରେ ବେକରେ ଗାମୁଛା ପକେଇ ଲାଇନରେ ଛିଡ଼ା ହେଲେ ଜିଲ୍ଲାପାଳ

ରାୟପୁର: ଚାଷୀ ସାଜି ଧାନକିଣା କେନ୍ଦ୍ରରେ ପହଞ୍ଚିଲେ ଜିଲ୍ଲାପାଳ  । ଛତିଶଗଡ ସରଗୁଜା ଜିଲ୍ଲାର ଜିଲ୍ଲାପାଳ ବିଳାସ ଭୋସକର ଧାନକିଣା କେନ୍ଦ୍ରରେ ପହଞ୍ଚି ଘଣ୍ଟା ଘଣ୍ଟା ଧରି ଲାଇନରେ ଛିଡା ହୋଇଥିବା ଦେକିବାକୁ ମିଳିଛି  । ତାଙ୍କ ସହ ଉପଜିଲ୍ଲାପାଳ ବି ଧାନକିଣା କେନ୍ଦ୍ରରେ ପହଞ୍ଚିଥିଲେ  । ପେଟଲା ଧାନ ଉପାର୍ଜନ କେନ୍ଦ୍ରରେ ଜିଲ୍ଲାପାଳ ଚାଷୀ ବେଶରେ ପହଞ୍ଚି ପ୍ରଥମେ ଟୋକେନ ପ୍ରକ୍ରିୟାରେ ସାମିଲ ହୋଇଥିଲେ । ଧାନକିଣା ପ୍ରକ୍ରିୟା ଓ ବ୍ୟବସ୍ଥା ବିଷୟରେ ଚାଷୀମାନଙ୍କୁ ପଚାରି ବୁଝିଥିଲେ  । କର୍ମଚାରୀଙ୍କ ବ୍ୟବହାର ବିଷୟରେ ମଧ୍ୟ ପଚାରିଥିଲେ ।

ମୁଣ୍ଡରେ ଗାମୁଛା ବାନ୍ଧି ସେ ଧାନକିଣା କେନ୍ଦ୍ରରେ ପହଞ୍ଚିଥିଲେ । କିନ୍ତୁ ତାଙ୍କୁ ସେଠାରେ କେହି ଜାଣିପାରି ନଥିଲେ  ।  ଯେତେବେଳେ ଜିଲ୍ଲାପାଳଙ୍କ ଅସଲ ପରିଚୟ ଜାଣିବାକୁ ପାଇଥିଲେ ଚାଷୀମାନେ ଆଶ୍ଚର୍ୟ୍ୟ ହୋଇଯାଇଥିଲେ । ପାଖାପାଖି ଏକ ଘଣ୍ଚା ପର୍ଯ୍ୟନ୍ତ ଧାନକିଣା କେନ୍ଦ୍ରରେ ବୁଲାବୁଲି କରିବା ସହ ଚାଷୀଙ୍କ ସମସ୍ୟା ଶୁଣିଥିଲେ  । ଚାଷୀ ମାନେ ଯେପରି ହଇରାଣ ନହେବେ ସମିତି ପ୍ରବନ୍ଧକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ  ।

ଏହାପରେ ଜିଲ୍ଲାପାଳ ସୀତାପୁର ବ୍ୟାଙ୍କରେ ପହଞ୍ଚିଥିଲେ  । ଯେଉଁଠାରେ ଧାନ ବିକ୍ରି ପରେ ପଇସା ଉଠାଇବା ପାଇଁ ଚାଷୀ ମାନେ ଲାଇନ ଲଗାଇଥିଲେ  । ଏହାପରେ ଜଣେ ଚାଷୀଙ୍କ ଖାତାରୁ ପଇସା ଉଠାଇବା ସହ ତାକୁ ଗଣିଥିଲେ  । ନୂଆ ପାସବୁକ୍‌ ପାଇଁ ଫର୍ମ ନେବା ସହ ବ୍ୟାଙ୍କ ବ୍ୟବସ୍ଥାର ନୀରିକ୍ଷଣ କରିଥିଲେ ଜିଲ୍ଲାପାଳ  ।