ଆଦିବାସୀ ବିରୋଧୀ ରାଜ୍ୟ ସରକାର: ଗୁଣୁପୁର ଓ ମୟୂରଭଞ୍ଜ ଆଦିବାସୀ ଆବାସିକ ହଷ୍ଟେଲ ସମସ୍ୟା ନେଇ ଗୃହ ହୁଲସ୍ତୁଲ
1 min read
ଭୁବନେଶ୍ବର: ଗୁଣୁପୁର ଅନ୍ଵେଷା ହଷ୍ଟେଲରେ ଛାତ୍ରମାନଙ୍କୁ ଆକ୍ରମଣ । ମୟୂରଭଞ୍ଜ ଜିଲ୍ଲାର ବାସି ପିଠା ଆଦିବାସୀ ଆବାସିକ ହାଇସ୍କୁଲରେ ନିମ୍ନମାନର ଖାଦ୍ୟ ଓ ନିର୍ଯାତନା ପ୍ରସଙ୍ଗରେ ବିଧାନସଭାରେ ହୁଲସ୍ତୁଲ । ବିରୋଧୀଙ୍କ ଅଭିଯୋଗ, ବିଜେପି ସରକାର ଆସିଲା ଦିନରୁ ଆଦିବାସୀ ହଷ୍ଟେଲରେ ଛାତ୍ରଛାତ୍ରୀ ଅସୁରକ୍ଷିତ । ବିରୋଧୀ ଆସନରେ ବିଜେପି ଥିବା ବେଳେ ଯାହା କହିଥିଲା, ଆଦିବାସୀଙ୍କ ସୁରକ୍ଷା ପାଇଁ ତାହା କାମରେ କରି ଦେଖାଉ ବୋଲି ମୁଲତବୀ ପ୍ରସ୍ତାବ ଆଲୋଚନାରେ ଦାବି କରିଛି ବିଜେଡି l ଏହାର ପାଲଟା ଜବାବ ଦେଇଛି ଶାସକ ଦଳ l ଫଳରେ ଆବାସିକ ବିଦ୍ୟାଳୟର ସୁରକ୍ଷା ଓ ବ୍ୟବସ୍ଥାକୁ ନେଇ କମ୍ପିଛି ଗୃହ l
ଗୁଣପୁର ଅନ୍ବେଷା ହଷ୍ଟେଲରେ ଛାତ୍ରଙ୍କୁ ଆକ୍ରମଣ ଓ ମୟୂରଭଞ୍ଜ ଜିଲ୍ଲାର ବାସିପିଠା ଆଦିବାସୀ ଆବାସିକ ହାଇସ୍କୁଲରେ ନିମ୍ନମାନର ଖାଦ୍ୟ ଓ ନିର୍ଯାତନା ଅଭିଯୋଗ । ରାତି ଅଧରେ ହଷ୍ଟେଲ ଛାଡ଼ିଲେ ୧୧୬ ଆଦିବାସୀ ଛାତ୍ର । ୨୫ କିମି ରାସ୍ତା ଚାଲି ଚାଲି ଗଲେ । ବିରୋଧୀଙ୍କ ଅଭିଯୋଗ ବିଜେପି ସରକାରଙ୍କ ଦାୟିତ୍ଵହୀନତା ପାଇଁ ଏପରି ଘଟଣା ଘଟିଲା l ଏହି ପ୍ରସଙ୍ଗକୁ ନେଇ ହୁଲସ୍ତୁଲ ହୋଇଛି ବିଧାନସଭା l ମୁଖ୍ୟ ବିରୋଧୀ ଦଳ ବିଜେଡି ମୁଲତବୀ ପ୍ରସ୍ତାବ ଆଲୋଚନାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି । ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଅଭିଯୋଗ କରିଛନ୍ତି, ସରକାରଙ୍କ ନାକ ତଳେ ନାବାଳିକା ଛାତ୍ରୀ ପ୍ରସବ କରୁଛନ୍ତି । ୯ ମାସରେ ଆବାସିକ ବିଦ୍ୟାଳୟରେ ୨୬ ଜଣଙ୍କ ମୃତ୍ୟୁ ହୋଇଛି । ଏସସି/ଏସଟି ବିଭାଗ ବଜେଟ ଅର୍ଥର ଏଯାଏଁ ମାତ୍ର ୪୨ ପ୍ରତିଶତ ଖର୍ଚ୍ଚ କରିଛି । ଏହା ସାମ୍ଵିଧାନିକ ଜାଲିଆତି । ମୁଖ୍ୟମନ୍ତ୍ରୀଙ୍କ ସମେତ ସ୍ଵାସ୍ଥ୍ଯ ମନ୍ତ୍ରୀ, ପଞ୍ଚାୟତିରାଜ ମନ୍ତ୍ରୀ ଓ SC/ST ବିଭାଗର ମନ୍ତ୍ରୀ ହେଉଛନ୍ତି ଆଦିବାସୀ । ଏହା ପରେ ବି ରାଜ୍ୟର ଆଦିବାସୀମାନେ ଅବହେଳିତ । ଇତିହାସ ବିଜେପି ସରକାରକୁ କେବେ କ୍ଷମା ଦେବନି । ବିରୋଧୀରେ ଥିବା ବେଳେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ଆବାସିକ ବିଦ୍ୟାଳୟ ପାଇଁ ଯେଉଁ ଦାବି କରୁଥିଲେ, ଏବେ ନିଜେ ସେହି ସବୁ ଦାବି ପୂରଣ କରନ୍ତୁ ବୋଲି ମନେ ପକାଇ ଦେଇଥିଲେ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ।
ବିଜେଡି ବିଧାୟକ ରମେଶ ଚନ୍ଦ୍ର ବେହେରା ଆଲୋଚନାରେ ଭାଗ ନେଇ ନବୀନ ପଟ୍ଟନାୟକ ସରକାର ଆଦିବାସୀଙ୍କ ପାଇଁ କ’ଣ କ’ଣ କରିଥିଲେ, ତାର ଲମ୍ଵା ତାଲିକା ରଖିଥିଲେ । ୨୦୦୬-୦୭ରେ ହଜାରେ ହଷ୍ଟେଲ କରିଥିଲେ । ପାଞ୍ଚ ବର୍ଷରେ ୫ ହଜାରରୁ ଅଧିକ ହେଲା । ୧୭ ଆଦିବାସୀ ଅଞ୍ଚଳର ସହରରେ ୩୦୦ରୁ ଅଧିକ ଇଂରାଜୀ ସ୍କୁଲ ପ୍ରତିଷ୍ଠା ହେଲା । ୧୦୦ରୁ ଅଧିକ ହଷ୍ଟେଲ କରାଗଲା । ହଷ୍ଟେଲରେ ତ୍ରିସ୍ତରୀୟ ସୁରକ୍ଷା ସହ ପିଲାଙ୍କ ଯିବା ଆସିବାର ହିସାବ ରଖାଯାଉଥିଲା । ଏବେ କିନ୍ତୁ ସରକାର ପିଲାଙ୍କୁ ସୁରକ୍ଷା ଦେଇ ପାରୁ ନାହାନ୍ତି। ରାତି ଅଧରେ ୧୨୬ ପିଲା ହଷ୍ଟେଲ ଛାଡ଼ି ଚାଲି ଚାଲି ଯିବା କଥା ସରକାର ଜାଣିପାରିଲେ ନାହିଁ । ବିଜେଡି ଅଭିଯୋଗରେ ଜବାବ ରଖିଥିଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସେ କହିଛନ୍ତି, ଆମ ମୁଖ୍ୟମନ୍ତ୍ରୀ ଆଦିବାସୀଙ୍କ ଉନ୍ନତି ଚାହାନ୍ତି । ହଷ୍ଟେଲ୍ ଅନ୍ତେବାସୀଙ୍କ ପାଇଁ ଡିଜିଟାଲ ଡାଟା ବେସ୍ କାର୍ଡ ହେବ । ନିରନ୍ତର ସ୍ୱାସ୍ଥ୍ୟ ଯାଞ୍ଚ କରାଯିବ । ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ହଷ୍ଟେଲ୍ ପାଚେରୀ ୮ ଫୁଟ କରାଯିବ । ଅନ୍ୟପକ୍ଷରେ ମୁଲତବୀ ଆଲୋଚନାକୁ କଂଗ୍ରେସ ବର୍ଜନ କରିଥିଲା ।