ବିଜୁ ବାବୁଙ୍କୁ ଅସମ୍ମାନ, ବିଧାନସଭା ହୁଲସ୍ତୁଲ: ଗର୍ଜିଲା ବିଜେଡି, ଗୃହ ଭିତରେ ଓ ବାହାରେ ପ୍ରତିବାଦ
1 min read
ଭୁବନେଶ୍ବର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ବିଜେପି ସରକାରର ଅସମ୍ମାନ । ଏହାକୁ ନେଇ ବିଧାନସଭା ହୁଲସ୍ତୁଲ । ଆଜି ପ୍ରଶ୍ନକାଳ ଆରମ୍ଭ ହେବା କ୍ଷଣି ମୁଖ୍ୟ ବିରୋଧୀ ଦଳ ବିଜେଡି ଏହି ପ୍ରସଙ୍ଗ ଉଠାଇ ଗୃହରେ ହଟ୍ଟଗୋଳ କରିଥିଲା । ୩ ଦଶନ୍ଧି ହେଲା ବିଜୁ ବାବୁଙ୍କ ଜୟନ୍ତୀକୁ ପଞ୍ଚାୟତିରାଜ ଦିବସ ରୂପେ ପାଳନ କରାଯାଉଥିଲା । ଏବେ କାହିଁକି କରାଯିବ ନାହିଁ ବୋଲି ପ୍ରଶ୍ନ ପଚାରି ସରକାରଙ୍କୁ ଘେରିଥିଲା ବିଜେଡି । ଗୃହ ଭିତରେ ଓ ବିଧାନସଭା ପରିସରରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ତଳେ ବିଜେଡି ପ୍ରତିବାଦ କରିଛି l କଂଗ୍ରେସ ମଧ୍ୟ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛି ।
ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଆରମ୍ଭ ହେବା ମାତ୍ରେ ବିଜେଡି ବିଧାୟକ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିବା ସହ ସରକାରଙ୍କୁ ଘେରିଛନ୍ତି । କାହିଁକି ବିଜୁ ବାବୁଙ୍କ ଜୟନ୍ତୀକୁ ରାଜ୍ୟସ୍ତରୀୟ ପଞ୍ଚାୟତିରାଜ ଦିବସ ରୂପେ ପାଳନ କରାଯିବ ନାହିଁ, ତାକୁ ନେଇ ବିଜେଡି ଘେରିଛି । ଦଳର ପ୍ରଶ୍ନ ହେଲା କାହିଁକି ରାତି ଅଧିଆ କ୍ୟାଲେଣ୍ଡର ବଦଳାଇଲେ ସରକାର । ବିଧାନସଭା ପରିସରରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଥିଲେ ବିଜେଡି ବିଧାୟକ । ସରକାର ନିଷ୍ପତ୍ତି ପରିବର୍ତ୍ତନ ନ କରିବା ଯାଏଁ ପଲ୍ଲୀରୁ ଦିଲ୍ଲୀ ଯାଏଁ ଲଢ଼େଇ ଜାରି ରଖିବାକୁ ବିଜେଡି ଚେତାବନୀ ଦେଇଛି ।
ଅପରାହ୍ନ ଅଧିବେଶନରେ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳିଥିଲା ବିଧାନସଭାରେ । ଅପରାହ୍ନରେ ବି ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିଜୁ ବାବୁଙ୍କୁ ଡବଲ ଇଞ୍ଜିନ ସରକାର ଅପମାନ କରିଥିବା ଅଭିଯୋଗ କରି ସରକାରଙ୍କୁ କଡ଼ା ସମାଲୋଚନା କରିଥିଲା ବିଜେଡି । କକ୍ଷତ୍ୟାଗ କରି ରାଜ୍ୟପାଳଙ୍କ ନିକଟରେ ଦଳ ଫେରାଦ ହୋଇଛି । ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ କହିଛନ୍ତି, ବିଜୁ ପଟ୍ଟନାୟକ ହେଉଛନ୍ତି ଆଧୁନିକ ଓଡ଼ିଶାର ନିର୍ମାତା । ତାଙ୍କରି ଉଦ୍ୟମରେ ହୋଇଛି ରାଉରକେଲା ଷ୍ଟିଲ ପ୍ଲାଣ୍ଟ, NIT, HAL, OUAT, ସୈନିକ ସ୍କୁଲ । ମୁଖ୍ୟମନ୍ତ୍ରୀ ହେବା ପରେ ସେ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା କରିଥିଲେ । ମହିଳାଙ୍କୁ ପଞ୍ଚାୟତିରାଜ ବ୍ୟବସ୍ଥାରେ ୩୩ ପ୍ରତିଶତ ସଂରକ୍ଷଣ ଦେଇଥିଲେ । ମେଣ୍ଟ ସରକାରରେ ଥିବାବେଳେ ବିଜେପି ତ ବିଜୁ ବାବୁଙ୍କ ଜୟନ୍ତୀରେ ରାଜ୍ୟସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳନ କରୁଥିଲା । ଏବେ କ’ଣ ଅସୁବିଧା ହେଲା ଯେ, ରାତାରାତି ଷଡ଼ଯନ୍ତ୍ର କରି ତାକୁ ବନ୍ଦ କରାଗଲା । ଏହା ଛୋଟ ମନ । ଓଡ଼ିଆ ଅସ୍ମିତାର ପ୍ରତୀକ ବିଜୁ ବାବୁ । ପ୍ରତିହିଂସା ପରାୟଣ ରାଜନୀତି ଓଡ଼ିଶା କେବେ ଦେଖି ନଥିଲା । କ୍ୟାଲେଣ୍ଡର ଓ ଡାଏରୀ କ’ଣ ପୁଣି ପ୍ରିଣ୍ଟ କରିବେ ? ଚଞ୍ଚକତା କଲେ । ଏବେ ପ୍ରାୟଶ୍ଚିତ କରନ୍ତୁ । ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ମଧ୍ୟ ବିଜେପିର ହୀନ ରାଜନୀତିକୁ କଡା ସମାଲୋଚନା କରିଛନ୍ତି ।