ମାଲାୟାଲମ ନ୍ୟୁଜ ଚ୍ୟାନେଲ ମିଡିଆ ଓ୍ବାନର ପ୍ରସାରଣ ଉପରେ ନିଷେଧାଦେଶକୁ ରଦ୍ଦ କଲେ ସୁପ୍ରିମକୋର୍ଟ

1 min read

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କୁ ବଡ଼ ଧକ୍କା । ମାଲାୟାଲମ ନ୍ୟୁଜ ଚାନେଲ ମିଡିଆ ଓ୍ବାନର ପ୍ରସାରଣ ଉପରେ ଜାରି ରଖାଯାଇଥିବା ନିଷେଧାଦେଶକୁ ରଦ୍ଦ କରିଛନ୍ତି ସୁପ୍ରିମକୋର୍ଟ । ଏହାସହ କେନ୍ଦ୍ରର ନିର୍ଦ୍ଦେଶକୁ କାଏମ ରଖିଥିବା କେରଳ ହାଇକୋର୍ଟଙ୍କ ରାୟକୁ ବି ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଜାତୀୟ ନିରାପତ୍ତା କାରଣ ଦର୍ଶାଇ କେନ୍ଦ୍ର ସରକାର ଗତ ଜାନୁଆରୀ ୩୧ରେ ମିଡିଆ ଓ୍ବାନର ପ୍ରସାରଣ ଉପରେ ନିଷେଧାଦେଶ ଜାରି କରିଥିଲେ । କୋର୍ଟ କହିଛନ୍ତି- ସରକାରଙ୍କ ନୀତି ଓ କାର୍ଯ୍ୟକୁ ସମାଲୋଚନା କରିବା ଅର୍ଥ ଦେଶବିରୋଧୀ ନୁହେଁ । ଏକ ସୁସ୍ଥ ଗଣତାନ୍ତ୍ରିକ ବ୍ୟବସ୍ଥା ଲାଗି ଏକ ସ୍ବାଧୀନ ଗଣମାଧ୍ୟମ ଜରୁରୀ । ସିକ୍ୟୁରିଟି କ୍ଲିୟରାନ୍ସର ଆବଶ୍ୟକତା ଦର୍ଶାଇ ଚ୍ୟାନେଲର ବ୍ରଡକାଷ୍ଟ ଲାଇସେନ୍ସର ନବୀକରଣକୁ ଅଗ୍ରାହ୍ୟ କରିଥିଲା କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ । ମନ୍ତ୍ରାଳୟର ଏହି ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା ।

ପ୍ରଧାନ ବିଚାରପତି ଜଷ୍ଟିସ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ କହିଛନ୍ତି- ଜାତୀୟ ନିରାପତ୍ତା କାରଣ ଦର୍ଶାଇ ଲୋକଙ୍କୁ ସେମାନଙ୍କ ଅଧିକାରରୁ ଅଗ୍ରାହ୍ୟ କରାଯାଇପାରିବ ନାହିଁ । ମିଡିଆ ଓ୍ବାନର ବ୍ରଡକାଷ୍ଟ ନିଷେଧାଦେଶ ଲାଗି ସରକାରଙ୍କ ନିଷ୍ପତ୍ତି ପଛରେ କୌଣସି ବସ୍ତୁଗତ ତଥ୍ୟ ବା ପ୍ରମାଣ ଦାଖଲ କରିବାରେ କେନ୍ଦ୍ର ବିଫଳ ହୋଇଛି ବୋଲି ଖଣ୍ଡପୀଠ କହିଛନ୍ତି । ଗତ ୨୦୨୦ ଫେବ୍ରୁଆରୀରେ ଦିଲ୍ଲୀ ଓ ଦେଶର ଅନ୍ୟାନ୍ୟ ଭାଗରେ ଚାଲିଥିବା CAA ବିରୋଧୀ ଆନ୍ଦୋଳନକୁ ଯେଉଁ କେତେକ ଚ୍ୟାନେଲ ନିରନ୍ତର ପ୍ରଦର୍ଶନ କରିଚାଲିଥିଲେ । ସେମାନଙ୍କ ମଧ୍ୟରେ ଅନ୍ୟତମ ଥିଲା ମିଡିଆ ଓ୍ବାନ ଚ୍ୟାନେଲ । ଅଦାଲତ କହିଛନ୍ତି- ଚ୍ୟାନେଲ ସହ ଆତଙ୍କବାଦୀ ଲିଙ୍କ୍ ଥିବାର ପ୍ରମାଣ ନାହିଁ । ନାମକୁ ମାତ୍ର ଜାତୀୟ ନିରାପତ୍ତା ବିପଦ ନେଇ ଯୁକ୍ତି କରାଯାଇପାରିବ ନାହିଁ । ଜାତୀୟ ନିରାପତ୍ତ ବିରୋଧରେ କୌଣସି ପ୍ରକାର ବସ୍ତୁଗତ ପ୍ରମାଣ ନାହିଁ । କୋର୍ଟ ଆହୁରି କହିଛନ୍ତି- ସରକାରଙ୍କୁ ସର୍ବଦା ପ୍ରେସ୍ ସମର୍ଥନ କରୁ ବୋଲି ସରକାର ବିଚାର କରୁଥିବା ନୀତି ଅଯୌକ୍ତିକ ଏବଂ ଏଥିଲାଗି ସରକାରଙ୍କୁ ଅନୁମତି ଦିଆନଯାଉ ।