ଏପ୍ରିଲ ୧ରୁ ମହଙ୍ଗା ହେବ UPI ଟ୍ରାଞ୍ଜାକ୍ସନ୍, ୨ ହଜାରରୁ ଅଧିକ ପେମେଣ୍ଟରେ ଲାଗିବ ଏକ୍ସଟ୍ରା ଚାର୍ଜ !

1 min read

ନୂଆଦିଲ୍ଲୀ: ଆପଣ UPIରେ ଟ୍ରାଞ୍ଜାକ୍ସନ କରୁଛନ୍ତି କି ? UPI ଟ୍ରାଞ୍ଜାକ୍ସନକୁ ନେଇ ଆସିଛି ବଡ଼ ଖବର । ଏବେ ଆଉ ମାଗଣାରେ ହୋଇପାରିବନି UPI ଟ୍ରାଞ୍ଜାକ୍ସନ। UPI ପେମେଣ୍ଟ ପାଇଁ ଏବେ ଟଙ୍କା ଗଣିବେ ୟୁଜର୍ସ । ଏହା UPI କମ୍ପାନୀଙ୍କ ପାଇଁ ଖୁସି ଖବର ହୋଇଥିବା ବେଳେ ଲୋକଙ୍କ ପାଇଁ ଖରାପ ଖବର । କାହିଁକି ନା ଏବେ ପ୍ରତ୍ୟେକ ଲୋକ UPI ବ୍ୟବହାର କରୁଛନ୍ତି । କିନ୍ତୁ ଏହି ନୂଆ ନିୟମ ଫଳରେ UPI ଟ୍ରାଞ୍ଜାକ୍ସନ ଏବେ ଲୋକଙ୍କ ପକେଟକୁ ବାଧିବ ।

ଏପ୍ରିଲ ମାସରୁ ଆରମ୍ଭ ହେବାକୁ ଯାଉଛି ନୂଆ ଆର୍ଥିକ ବର୍ଷ । ନୂଆ ଆର୍ଥିକ ବର୍ଷ ଆରମ୍ଭ ହେବା ସହ ମହଙ୍ଗା ହେବାକୁ ଯାଉଛି UPI ଟ୍ରାଞ୍ଜାକ୍ସନ । ନ୍ୟାସନାଲ ପେମେଣ୍ଟ୍ସ କର୍ପୋରେସନ୍ ଅଫ ଇଣ୍ଡିଆ UPI ପେମେଣ୍ଟକୁ ନେଇ ଏକ ସର୍କୁଲାର ଜାରି କରିଛି । ଏହି ସର୍କୁଲାରରେ ଏପ୍ରିଲ ୧ରୁ UPIରେ ହେଉଥିବା ବ୍ୟବସାୟିକ ପେମେଣ୍ଟରେ PPI ଚାର୍ଜ ଲଗାଇବା ପାଇଁ ପ୍ରସ୍ତାବ ଦିଆଯାଇଛି । PPI ଚାର୍ଜ ହେଉଛି ଏକ ପ୍ରକାର ଅତିରିକ୍ତ ଚାର୍ଜ । ଯାହା UPI ପେମେଣ୍ଟ ବେଳେ ୟୁଜର୍ସଙ୍କୁ ଦେବାକୁ ପଡ଼ିବ ।

ମଙ୍ଗଳବାର ଜାରି କରାଯାଇଥିବା ଏହି ସର୍କୁଲାର ଅନୁସାରେ NPCI, ୟୁପିଆଇ ପେମେଣ୍ଟ ଉପରେ ୦.୫ ପ୍ରତିଶତରୁ ୧.୧ ପ୍ରତିଶତ PPI ଚାର୍ଜ ଲଗାଇବା ପାଇଁ ପ୍ରସ୍ତାବ ଦିଆଯାଇଛି । ୨ ହଜାର ଟଙ୍କାରୁ ଅଧିକ ଟଙ୍କାର ପେମେଣ୍ଟ କରୁଥିଲେ ଏହି ଚାର୍ଜ ଦେବାକୁ ପଡ଼ିବ । ଏହି ଚାର୍ଜ ବ୍ୟବସାୟିକ ପେମେଣ୍ଟ କରୁଥିବା ୟୁଜର୍ସଙ୍କୁ ହିଁ କେବଳ ଦେବାକୁ ପଡ଼ିବ । ରିପୋର୍ଟ ଅନୁସାରେ ପାଖାପାଖି ୭୦ ପ୍ରତିଶତ ଲୋକ UPIରେ Person to Merchantରେ ୨ ହଜାରରୁ ଅଧିକ ଟ୍ରାଞ୍ଜାକ୍ସନ କରୁଛନ୍ତି । ଏହି ଟ୍ରାଞ୍ଜାକ୍ସନ ଉପରେ PPI ଚାର୍ଜ ଲଗାଇବାକୁ ଯୋଜନା କରୁଛି NPCI ।

NPCI ଭିନ୍ନ ଭିନ୍ନ କ୍ଷେତ୍ର ପାଇଁ ଭିନ୍ନ ଭିନ୍ନ ଇଣ୍ଟରଚେଞ୍ଜ ଫି’ ନିର୍ଦ୍ଧାରିତ କରାଯାଇଛି । ଫାର୍ମିଂ ଓ ଟେଲିକମ୍ କ୍ଷେତ୍ରରେ ସବୁଠାରୁ କମ୍ ଇଣ୍ଟରଚେଞ୍ଜ ଫି’ ଲାଗୁ କରାଯିବ । ଏହି ଇଣ୍ଟରଚେଞ୍ଜ ଫି’ ବ୍ୟବସାୟିକ ପେମେଣ୍ଟ କରୁଥିବା ୟୁଜର୍ସଙ୍କୁ ଦେବାକୁ ପଡ଼ିବ । ସୂଚନା ଅନୁସାରେ ବର୍ତ୍ତମାନ UPI ପେମେଣ୍ଟ କଲେ କୌଣସି ଅତିରିକ୍ତ ଚାର୍ଜ ଦେବାକୁ ପଡ଼ୁନି । କିନ୍ତୁ ବିଗତ କିଛି ବର୍ଷ ହେବ UPI କର୍ମ୍ପାନୀ ଅଧିକ ଟ୍ରାଞ୍ଜାକ୍ସନ ଉପରେ PPI ଚାର୍ଜ ଲଗାଇବାକୁ ଦାବି କରିଆସୁଥିଲେ । PPI ଚାର୍ଜ ନ ଲାଗିଲେ କମ୍ପାନୀଙ୍କ ରାଜସ୍ୱ ହାନୀ ହେଉଥିବା ଅଭିଯୋଗ କରୁଥିଲେ । ତେବେ UPI ପେମେଣ୍ଟ ଉପରେ PPI ଚାର୍ଜ ଲାଗିବା ଖବର ପେମେଣ୍ଟ କମ୍ପାନୀଙ୍କ ପାଇଁ ଆଣିଛି ଆଶ୍ୱସ୍ତି ।