ଆସିଲାଣି ଟମାଟୋ ଫ୍ଲ୍ୟୁ , ଜାଣନ୍ତୁ କେଉଁମାନଙ୍କ ପ୍ରତି ରହିଛି ବିପଦ ?
1 min readନନ୍ଦିଘୋଷ ବ୍ୟୁରୋ: ଏବେ ପୁଣି ଆତଙ୍କ ଖେଳାଇବା ଆରମ୍ଭ କଲାଣି ଟମାଟୋ ଫେବର । ଦେଶରେ ମଙ୍କିପକ୍ସର ଆତଙ୍କ ଜାରି ରହିଥିବାବେଳେ ବର୍ତ୍ତମାନ ନୂଆ ଏକ ଭାଇରସ ଆସିଛି । ଟମାଟୋ ଫେବର ବିଶେଷକରି ଛୋଟ ଶିଶୁଙ୍କୁ ଆକ୍ରାନ୍ତ କରୁଛି । ଯେଉଁ ଶିଶୁମାନେ ଟମାଟୋ ଫେବରର ଆକ୍ରାନ୍ତ ହେଉଛନ୍ତି, ସେମାନଙ୍କ ଚର୍ମ କୁଣ୍ଡାଇହେବା ସହ ଦେହରେ ନାଲି ରଙ୍ଗର ଫଳି ଯାଉଛି । ବଦହଜମୀ ଏବଂ ଗରମ ଲାଗିବା କାରଣରୁ ଏପରି ହେଉଥିବା ଅନୁମାନ କରାଯାଉଛି । କିନ୍ତୁ କଣ ଏହି ଟମାଟୋ ଫେବର ? କାହାକୁ ଓ କିପରି ଏହା ହୋଇଥାଏ ବିଶେଷକରି କଣ ଏହାର ଲକ୍ଷଣ, ଜାଣନ୍ତୁ…
ଦେଶ ଏଇ ଏବେ ଏବେ କୋଭିଡରୁ ଆଶିଂକ ସୁସ୍ଥ ହେଉଛି । ଯଦିବା ଗୋଟେ ପରେ ଗୋଟେ କୋଭିଡ ପ୍ରବାହ ଦେଶରେ ଗତି କରୁଛି । କୋଭିଡ ୧୯ ଠାରୁ ଓମିକ୍ରନ୍, ମଙ୍କିପକ୍ସ ଆଦି ଆତଙ୍କ ରଚିଛି । ମଙ୍କିପକ୍ସର ଭୟ ଏବେବି ରହିଥିବାବେଳେ ପୁଣି ଟମାଟୋ ଫେବର ଡରାଇବା ଆରମ୍ଭ କରିଛି । ଡାକ୍ତର ମାନଙ୍କ କହିବା ଅନୁୟାୟୀ ଏହାକୁ ହାତ-ପାଦ- ପାଟି ରୋଗ ଅର୍ଥାତ HFMD ବୋଲି କୁହାଯାଇଥାଏ । ଦେଶରେ ପ୍ରଥମ କରି କେରଳରେ ଏହା ଦେଖାଦେଇଥିଲା । ୬ ମେ ୨୦୨୨ ମସିହାରେ ପ୍ରଥମ କେସର ସନ୍ଧାନ ମିଳିଥିବାବେଳେ ବର୍ତ୍ତମାନ ଏହି ମାମଲା ବଢିଚାଲିଛି । ଲୈସେଣ୍ଟ ରେସ୍ପୋଟରୀ ନାମକ ଏକ ଜର୍ଣ୍ଣାଲର ରିପୋର୍ଟ ମୁତାବକ, ଦେଶରେ ଏହି ମାମଲା ୮୨ ଛୁଇଁଛି ।
ରିପୋର୍ଟରେ ଏକଥା ମଧ୍ୟ କୁହାଯାଇଛି କି, କୋଭିଡ ଯେଉଁଭଳି ଭାବେ ଦେଶରେ ଆତଙ୍କ ଖେଳାଇଥିଲା । ଟମାଟୋ ଫେବର ମଧ୍ୟ ଅନୁରୂପ ଭାବେ ଦେଶର ଆତଙ୍କ ଖେଳାଇବ । ଏଥିପ୍ରତି ସତର୍କ ହେବାର ବିଶେଷ ଆବଶ୍ୟକତା ରହିଛି । ବିଶେଷକରି ଏହି ରୋଗ ଶିଶୁମାନଙ୍କୁ ଆକ୍ରାନ୍ତ କରୁଛି । ପାଞ୍ଚବର୍ଷ ବୟସ ପର୍ଯ୍ୟନ୍ତ ଶିଶୁ ମାନଙ୍କ ଠାରେ ଟମାଟୋ ଫେବର ଦେଖିବାକୁ ମିଳିଛି । ଅର୍ଥାତ କହିବାକୁ ଗଲେ, କେବଳ ୫ ବର୍ଷ ବୟସ ପର୍ଯ୍ଯନ୍ତ ଶିଶୁ ଟମାଟୋ ଫେବର ଦ୍ୱାରା ସଂକ୍ରମିତ ହେଉଛନ୍ତି । ସେହିପରି ଯେଉଁ ବୃଦ୍ଧବୃଦ୍ଧାଙ୍କ ପାଖରେ ଇମ୍ୟୁନିଟ ଶକ୍ତି ହ୍ରାସ ଘଟୁଛି, ସେମାନଙ୍କ ଶରୀରରେ ମଧ୍ୟ ଟମାଟୋ ଫେବରର ଲକ୍ଷଣ ଦେଖିବାକୁ ମିଳୁଛି ।
ଟମାଟୋ ଫେବରକୁ ନେଇ ରିସର୍ଚ୍ଚ କରୁଥିବା ଡାକ୍ତରୀ ଟିମ୍ ଏହାକୁ ନେଇ ମତ ପ୍ରକାଶ କରିଛନ୍ତି । କିଛି ଡାକ୍ତରୀ ଟିମ ଏହାକୁ ଏକ ଭାଇରସ ବୋଲି କହୁଛନ୍ତି । ଯେହେତୁ ଦେଶରେ ଏହାର କୌଣସି ଲକ୍ଷଣ ନଥିଲା, ବର୍ତ୍ତମାନ ଏହି କେସ ୮୨ରେ ପହଁଚିଛି । ତେଣୁ କୋଭିଡର ଏହା ଏକ ପ୍ରଭାବ ବୋଲି କିଛି ଡାକ୍ତରୀ ଟିମ୍ ମତ ରଖୁଛନ୍ତି । ଅନ୍ୟପଟେ ଯଦି ଦେଖିବା, ଟମାଟୋ ଫେବର ଦ୍ୱାରା ଶରୀରରେ କୁଣ୍ଡେଇ ହୋଇ ଫଳି ଯାଉଛି, ଏବଂ ତାହା ନାଲି ପଡିଯାଉଛି । ଯାହା ଫଳରେ ଏହାକୁ ଡେଙ୍ଗୁ ଏବଂ ଚିକେନ ଗୁନିଆ ପରେ ଏମିତି ହୋଇଥାଏ ବୋଲି ମଧ୍ୟ କିଛି ଡାକ୍ତରୀ ଟିମ୍ କହୁଛନ୍ତି ।