spot_img

Latest Posts

ମିରଟ୍ ଘଟଣା ପରି ସ୍ୱାମୀଙ୍କୁ ଡ୍ରମରେ ଭର୍ତ୍ତି କରିଦେବାକୁ ଧମକ, ଭାଇରାଲ ହେଉଛି ଭିଡ଼ିଓ

ନନ୍ଦିଘୋଷ ବ୍ୟୁରୋ : ମିରଟ୍ ଘଟଣାକୁ ନେଇ ସ୍ୱାମୀକୁ ଦେଲେ ଧମକ । କହିଲେ ଶରୀରକୁ କାଟି ଡ୍ରମରେ ପ୍ୟାକ୍ କରିଦେବେ । ଉତ୍ତର ପ୍ରଦେଶର ଗୋଣ୍ଡାରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ଏପରି ଧମକ ଦେଇଥିବା ଅଭିଯୋଗ ହୋଇଛି । ସମ୍ପ୍ରତି ମିରଠରେ ଘଟିଥିବା ଏକ ବିଭତ୍ସ ହତ୍ୟାକାଣ୍ଡକୁ ନେଇ ସ୍ୱାମୀକୁ ଚେତାବନୀ ଦେଉଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଶନିବାର ଉଭୟ ପକ୍ଷଙ୍କଠାରୁ ଅଭିଯୋଗ ଆସିଛି ଏବଂ ତଦନ୍ତ ପରେ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କହିଛି।

ଝାନ୍ସୀର ବାସିନ୍ଦା ଧର୍ମେନ୍ଦ୍ର କୁଶୱାହା ବର୍ତ୍ତମାନ ଗୋଣ୍ଡାର ଜଳ ନିଗମରେ ଜେଇ ଭାବେ କାର୍ଯ୍ୟରତ, ତାଙ୍କ ପତ୍ନୀ ମାୟା ମୌର୍ଯ୍ୟ ଏବଂ ତାଙ୍କ ପ୍ରେମିକ ନୀରଜ ମୌର୍ଯ୍ୟଙ୍କ ଉପରେ ସେ ଆକ୍ରମଣ ଏବଂ ହତ୍ୟା ଧମକ ଦେଇଥିବା  ଅଭିଯୋଗ କରିଛନ୍ତି। କୁଶୱାହା କହିଛନ୍ତି ଯେ, ୨୦୧୬ ମସିହାରେ ମାୟା ମୌର୍ଯ୍ୟଙ୍କ ସହିତ ପ୍ରେମ ବିବାହ ହୋଇଥିଲା। ସେମାନଙ୍କର ଝିଅର ଜନ୍ମ ପରେ ତାଙ୍କ ପତ୍ନୀଙ୍କ ନାମରେ ତିନୋଟି ଚାରିଚକିଆ ଗାଡ଼ି କିଣିଥିଲେ ଏବଂ କିସ୍ତି ଦେଇ ଚାଲିଥିଲେ। କୁଶୱାହା କହିଛନ୍ତି ଯେ ସେ ୨୦୨୨ ମସିହାରେ ମାୟାଙ୍କ ନାମରେ ଏକ ଜମି  ମଧ୍ୟ କିଣିଥିଲେ ଏବଂ ତାଙ୍କ ସମ୍ପର୍କୀୟ ନୀରଜ ମୌର୍ଯ୍ୟଙ୍କୁ ଘର ନିର୍ମାଣର ଠିକା ଦେଇଥିଲେ।

ଏହି ସମୟରେ ମାୟା ଏବଂ ନୀରଜ ନିକଟତର ହୋଇଥିଲେ ଏବଂ କୋଭିଡ୍-୧୯ ସମୟରେ ନୀରଜଙ୍କ ପତ୍ନୀଙ୍କ ମୃତ୍ୟୁ ପରେ ମାୟାଙ୍କ ସହିତ ନୀରଜଙ୍କ ସମ୍ପର୍କ ଗଭୀର ହୋଇଥିଲା। କୁଶୱାହା ଦାବି କରିଛନ୍ତି ଯେ, ସେ ମାୟା ଏବଂ ନୀରଜଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖିଥିଲେ ଏବଂ କହିଥିଲେ ଯେ ସେ ପ୍ରତିବାଦ କରିବାରୁ ତାଙ୍କୁ ମାଡ଼ ମାରିଥିଲେ ଏବଂ ମାୟା ଘରୁ ବାହାରି ଆସିଥିଲେ।

ଅନ୍ୟପଟେ ମାୟା ଦାବି କରିଛନ୍ତି, ଯେ ତାଙ୍କ ସ୍ୱାମୀ ମିଥ୍ୟା ଅଭିଯୋଗ କରୁଛନ୍ତି। ସେ କହିଛନ୍ତି ଯେ କୁଶୱାହା ତାଙ୍କୁ ହଇରାଣ କରୁଛନ୍ତି ଏବଂ ଚାରି ଥର ଗର୍ଭପାତ କରିବାକୁ ବାଧ୍ୟ କରିଛନ୍ତି। ମାୟା ତାଙ୍କ ଅଭିଯୋଗରେ କହିଛନ୍ତି ଯେ କୁଶୱାହା ଜୁଲାଇ ୨୦୨୪ରେ ତାଙ୍କୁ ମାଡ଼ ମାରିଥିଲେ ଏବଂ ପରେ ସେ ମହିଳା ପୋଲିସ ଷ୍ଟେସନରେ ଏକ ରିପୋର୍ଟ ଦାଖଲ କରିଥିଲେ। ଏହା ପରେ, ସେ ଛାଡପତ୍ର ମାମଲା ଦାୟର କରି ତାଙ୍କୁ ଘରୁ ବାହାର କରିଦେଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ଏବଂ ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି ।

 

 

Latest Posts

Don't Miss