ବିବାହ ଉତ୍ସବରେ ଅଘଟଣ, କୂଅରେ ଖସିପଡ଼ି ୧୩ ଜଣଙ୍କ ମୃତ୍ୟୁ

1 min read

ଲକ୍ଷ୍ନୌ: ବିବାହ ଉତ୍ସବରେ ହସଖୁସିରେ ସମସ୍ତେ ମସଗୁଲ ଥିବା ବେଳେ ହଠାତ ଆସିଲା ମୃତ୍ୟୁ । କ୍ଷଣକ ଭିତରେ ଚାଲିଗଲା ୧୩ ଜଣଙ୍କ ଜୀବନ । ଉତ୍ତରପ୍ରଦେଶ କୁଶିନଗରରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତକଙ୍କ ମଧ୍ୟରେ ମହିଳା ଓ ଯୁବତୀ ଥିବା ସୂଚନା । ଜିଲ୍ଲାର ନୌରଙ୍ଗିଆ ସ୍କୁଲ ଟୋଲାରେ ଜଣଙ୍କ ଘରେ ଝିଅ ବିବାହର ମେହେନ୍ଦି ପାଇଁ ପଡ଼ୋଶୀ ଘର ମହିଳା ଓ ଯୁବତୀମାନେ ଆସିଥିଲେ । ମେହେନ୍ଦୀ ସମୟରେ କୂଅର ସ୍ଲାବ ଉପରେ ଛିଡ଼ା ହୋଇଥିଲେ । ଏହି ସମୟରେ ହଠାତ ସ୍ଲାବଟି ତଳକୁ ଖସିପଡ଼ିଥିଲା । ଯାହା ଫଳରେ ସେହି ସ୍ଲାବ ଉପରେ ଠିଆ ହୋଇଥିବା ମହିଳା ଓ ଯୁବତୀ କୂଆରେ ଖସି ପଡ଼ିଥିଲେ । କୂଅରେ ପଡ଼ିଯିବା ଫଳରେ ଘଟଣାସ୍ଥଳରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଏହି ଘଟଣାରେ ୧୫ ଜଣ ମହିଳାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏହି ଘଟଣାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର କ୍ଷତି ପୂରଣ ଘୋଷଣା କରିଛନ୍ତି । ସେହିପରି ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି ।

Leave a Reply