ଉତ୍ତରପ୍ରଦେଶରେ ବର୍ଷା ବିତ୍ପାତ, ୧୯ ଜଣଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ: ଉତ୍ତରପ୍ରଦେଶରେ ବର୍ଷା ବିତ୍ପାତ । ଏପର୍ଯ୍ୟନ୍ତ ୧୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୧ ଜିଲ୍ଲାକୁ ଆଲର୍ଟ କରାଯାଇଛି । ହରଦୋଇ, ତିନି ବାରାବଙ୍କୀ, ପ୍ରତାପଗଡ଼, କନୌଜ, ଆମେଠି, ଦେବରିଆ, ଜାଲୌନ, କାନପୁର, ଉନ୍ନାଓ, ସମ୍ଭଲ, ରାମପୁର, ମୁଜାଫରନଗରରେ ଏହି ୧୯ ଜଣଙ୍କର ମୃତ୍ୟୁ ଖବର ସାମ୍ନାକୁ ଆସିଛି । ଆଇଏମଡି ଆସନ୍ତା ସପ୍ତାହେ ଯାଏଁ ବର୍ଷା ହେବା ନେଇ ଅନୁମାନ କରିଛି । କିଛି ଦିନ ହେଲା ଲଗାଣ ବର୍ଷା ପାଇଁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ୨୫ ଜିଲ୍ଲାର ୧୬୮ ଗାଁ ବନ୍ୟା ପ୍ରଭାବିତ ହୋଇଛି ।

ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଚାଷୀ ଫସଲକୁ ନେଇ ଆଶଂକାରେ ପଡିଯାଇଥିବାବେଳେ ସରକାର କିନ୍ତୁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇନି ବୋଲି କହିଛନ୍ତି । ବନ୍ୟା ପରିସ୍ଥିତି ଉପୁଜିଥିବା ଅଞ୍ଚଳରେ ସମସ୍ତ ବନ୍ଧବାଡ଼ ସୁରକ୍ଷିତ ଅଛି ବୋଲି ଆଶ୍ବାସନା ଦେଇଛନ୍ତି । ଆଲର୍ଟକୁ ନଜରରେ ରଖି ଅନେକ ଜିଲ୍ଲାରେ ସ୍କୁଲ କଲେଜ ବନ୍ଦ ଘୋଷଣା କରାଯାଇଛି । ଆଲର୍ଟରେ ଥିବା ଜିଲ୍ଲା ପ୍ରଶାସନକୁ ଆଗୁଆ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୧.୮ ମିଲିମିଟର ବର୍ଷା ହୋଇଛି । ଯାହା ସ୍ବାଭାବିକ ଠାରୁ ୬.୪ ମିଲିମିଟର ଅଧିକ ବର୍ଷା ହୋଇଛି ।