ପତ୍ନୀଙ୍କ ମାଡ ଭୟରେ ତାଳଗଛରେ ଚଢିଗଲେ ପତି, ଖାଇବା ଶୋଇବା ସବୁ ସେଇଠି
ଲକ୍ଷ୍ନୌ: ପତ୍ନୀଙ୍କ ଡରରେ ଗଛ ଉପରେ ଚଢିଗଲେ ପତି । ମାଡ ଭୟରେ ୧୦୦ ଫୁଟ ଉଚ୍ଚ ଗଛ ଉପରେ ଚଢି ବସିଛନ୍ତି ଉତ୍ତର ପ୍ରଦେଶର ରାମ ପ୍ରବେଶ । ଗଛ ହି ସାଜିଛି ରାମଙ୍କ ଘର ଠିକଣା । ସେଇଠି ଖାଇବା, ରହିବା, ଶୋଇବା । ରାମଙ୍କ ସବୁକିଛି ବିତୁଛି ୧୦୦ ଫୁଟ ଉଚ୍ଚତା ବିଶିଷ୍ଟ ତାଳ ଗଛ ଉପରେ । ଏମିତି ବିଚିତ୍ର ଘଟଣା ମଉ ଜିଲ୍ଲା କୋପାଗଞ୍ଚର ବସାରଥପୁରରେ ଦେଖିବାକୁ ମିଳିଛି । ଏଠାରେ ରହୁଥିବା ରାମ ପ୍ରବେଶଙ୍କ ତାଙ୍କ ପତ୍ନୀଙ୍କ ସହ ସବୁବେଳେ ଝଗଡା ଲାଗି ରହୁଥିଲା ।
ବେଳେବେଳେ ଏହି ବିବାଦ ମାଡଗୋଳରେ ବି ପହଞ୍ଚି ଯାଉଥିଲା । ପତ୍ନୀଙ୍କ ମାଡରୁ ରକ୍ଷା ପାଇବା ପାଇଁ ଦିନେ ପତି ଘର ପାଖରେ ଥିବା ଏକ ତାଳ ଗଛରେ ଚଢି ଯାଇଥିଲେ । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ତାଳଗଛର ଉଚ୍ଚତା ପାଖାପାଖି ୧୦୦ ଫୁଟ ହେବ । ରାତି ହେଲେ ରାମ ଗଛରୁ ଓହ୍ଲାଇ ନିଜ ନିତ୍ୟକର୍ମ ସାରି ପୁଣି ଗଛ ଉପରେ ଚଢି ଯାଆନ୍ତି ।
ଯଦି କେହି ଗ୍ରାମବାସୀ ତାଙ୍କୁ ବୁଝାଇବାକୁ ଚେଷ୍ଟା କରନ୍ତି ତା କଥା ବି ଶୁଣିବାକୁ ନାରାଜ୍ ରାମ । ଗଛରୁ ଓହ୍ଲାଇବା ତ ଦୂରର କଥା ବରଂ ସେ ଗ୍ରାମବାସୀଙ୍କୁ ଟେକା ପଥର ମାଡ କରିଥାନ୍ତି । ସେପଟେ ରାମ ଗଛ ଉପରେ ରହୁଥିବାରୁ ତାଙ୍କ ବିରୋଧରେ ବି ଅଭିଯୋଗ କରିବା ଆରମ୍ଭ କଲେଣି ସ୍ଥାନୀୟ ମହିଳା ।
କାରଣ ଏତେ ଉଚ୍ଚତାରେ ରହୁଥିବାରୁ ନିକଟସ୍ଥ ଘରର ଅଗଣା ଗୁଡିକ ଗଛ ଉପରୁ ଦେଖାଯାଇଥାଏ । ଯେଉଁଠାରେ ସାଧାରଣତଃ ମହିଳା ମାନେ ନିତ୍ୟକର୍ମ ସାରିଥାନ୍ତି । ରାମଙ୍କ ଏଭଳି କାର୍ଯ୍ୟକଳାପରେ ଉତକ୍ଷିପ୍ତ ହୋଇ ଗାଁ ମୂରବୀଙ୍କ ନିକଟରେ ଅଭିଯୋଗ କରିଛନ୍ତି ମହିଳା ।