ଉତ୍ତରପ୍ରଦେଶ ପୋଲିସର ଲଜ୍ଜାଜନକ ଚେହେରା: ମହିଳାଙ୍କୁ ମାଡ଼ି ବସିଲେ ପୋଲିସ ଅଧିକାରୀ, ଭିଡିଓ ଭାଇରାଲ୍

1 min read

କାନପୁର: ଉତ୍ତରପ୍ରଦେଶ ଗ୍ରାମଞ୍ଚଳ ପୋଲିସର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି । ଯେଉଁଥିରେ ଜଣେ ପୋଲିସ କର୍ମଚାରୀ ମହିଳାଙ୍କ ଉପରେ ମାଡ଼ି ବସିଥିବା ଦେଖିବାକୁ ମିଳିଛି । ଆଉ ଘଟଣାର ଏକ ଫଟୋକୁ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ସୋସିଆଲ ମିଡିଆରେ ସେୟାର କରିବା ସହ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଘଟଣାଟି ଭୋଗିନପୁର ଥାନା ପୁଖରାୟେ ଛକର  । ପୋଲିସ ଦୁର୍ଗାଦାସପୁର ଗାଁକୁ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଯାଇଥିବା ବେଳେ  ଏଭଳି ଘଟଣା ଘଟିଛି ।

          ତେବେ ଏହି ଫଟୋ ଚିତ୍ରକୁ ନେଇ ଅଖିଳେଶ କରିଥିବା ଟ୍ୱିଟ୍‌ରେ ଲେଖିଛନ୍ତି ଯେ, ଉତ୍ତରପ୍ରଦେଶ ସରକାରଙ୍କ କୃପା ପାତ୍ର କିଛି ପୋଲିସ କର୍ମଚାରୀଙ୍କ ଦୁର୍ବ୍ୟବହାର ଦ୍ୱାରା ରାଜ୍ୟର ସମସ୍ତ ପୋଲିସ କର୍ମଚାରୀଙ୍କ ଛବି ମଳିନ ହେଉଛି । ଭାଜପ ଶାସନ କାଳରେ ଏଭଳି ଦୁଃଶାସନ ଅନେକ ଉଦାହରଣ ରହିଛି ବୋଲି ସେ କହିଛନ୍ତି । ଏଥିସହିତ ଘଟଣାକୁ ନିନ୍ଦା କରିବା ସହ ବିଜେପି ସରକାର ଦରକାର ନାହିଁ ବୋଲି ଲେଖିଛନ୍ତି ।

          ଅପରପକ୍ଷରେ ଘଟଣା ନେଇ କାନପୁର ଗ୍ରାମାଞ୍ଚଳ ଏସ୍‌ପି ସଫେଇ ଦେଇଛନ୍ତି । ଫଟୋରେ ଦେଖିବାକୁ ମିଳିଥିବା ମହିଳା ଜଣଙ୍କ ଅଭିଯୁକ୍ତଙ୍କ ଗାଁର । ସେହି ମହିଳା ଜଣଙ୍କ ପୋଲିସ କର୍ମଚାରୀଙ୍କ କଲର ଟାଣିବାରୁ ପୋଲିସ ଜଣଙ୍କ ମହିଳାଙ୍କ ଉପରେ ପଡ଼ିଯିବା ସହ ମହିଳା ଜଣଙ୍କ ତଳେ ରହିଯାଇଥିଲେ । ମହିଳା ଜଣଙ୍କ କଲର ଛାଡ଼ିବା ପରେ ସେ ସେଠାରୁ ଚାଲିଯାଇଥିବା ଏସ୍‌ପି କହିଛନ୍ତି । ତେବେ  ଘଟଣାକୁ ନେଇ ଅନେକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । କିଛି ଲୋକ ଭିଡିଓର ସ୍କ୍ରିନ୍ ସର୍ଟ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଥିବା ଦେଖିବାକୁ ମିଳିଛି ।

 ଅନ୍ୟପକ୍ଷରେ ଏହି ଫଟୋଟିକୁ କାନପୁର ପୋଲିସ ମଧ୍ୟ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ଏବଂ ସଫେଇ ଦେଇ ଲେଖିଛନ୍ତି ଯେ, ଥାନା କର୍ମଚାରୀ ଗାଁକୁ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଯାଇଥିଲେ, କିନ୍ତୁ ସେଠାରେ ଅନ୍ୟ ଯୁବକଙ୍କ ସହାୟତାରେ ଦୁର୍ବ୍ୟବହାର କରିବାକୁ ଚେଷ୍ଟା କରିଥିଲେ । ଏହା ପରେ ପୋଲିସ ଦ୍ୱାର ସେହି ଯୁବକଙ୍କୁ କାବୁ କରି ଥାନାକୁ ନିଆଯାଇଥିଲା । ଏହା ପରେ ସେହି ଯୁବକଙ୍କ ଆତ୍ମୀୟ ପରିଜନ ଉତକ୍ଷିପ୍ତ ହୋଇପଡ଼ିଥିଲେ ଏବଂ ସେମାନଙ୍କ ମଧ୍ୟରୁ ଜଣେ ମହିଳା ତାଙ୍କ ଉପରକୁ ଆକ୍ରମଣ କରିବାରେ ଲାଗିଥିଲେ ଏବଂ ଯୁବକଙ୍କୁ ସେଠାରୁ ଫେରାର କରାଇଥିଲେ । ମହିଳା ଜଣଙ୍କ ପୋଲିସ କର୍ମଚାରୀଙ୍କୁ ଟଣାଓଟରା କରିବାକୁ ଉଭୟ ତଳେ  ପଡ଼ିଯାଇଥିଲେ ଯାହାର ଭିଡିଓ ଭାଇରାଲ୍ ହେଉଛି । କିନ୍ତୁ ଏହି ଭିଡିଓର କେବଳ ଏକ ସ୍କ୍ରିନ ସର୍ଟ ନେଇ ଭାଇରାଲ୍ କରିବା ଦୁଃଖଦ ଘଟଣା ବୋଲି କାନପୁର ପୋଲିସ କହିଛି ।

Leave a Reply