୨୫ତମ ବିବାହ ବାର୍ଷିକୀ ପାଳନ ବେଳେ ଆସିଲା ମୃତ୍ୟୁ ; ନାଚୁ ନାଚୁ ଟଳିପଡିଲେ ସ୍ବାମୀ

ନନ୍ଦିଘୋଷ ବ୍ୟୁରୋ : ବିବାହର ୨୫ତମ ବାର୍ଷିକୀ ପାଳୁଥିଲେ ଦମ୍ପତି । ନାଚଗୀତରେ ମସଗୁଲ ହେବା ସହ ସାରା ପରିବାର ଓ ଉପସ୍ଥିତ ଅତିଥିଙ୍କ ମଧ୍ୟରେ ଥିଲା ଉତ୍ସାହ । ହେଲେ ସତେ ଯେପରି ଗୋଟିଏ କ୍ଷଣ ବି ବିଚ୍ୟୁତ ହୋଇ ନଥିଲା ନିୟତିର ନିଷ୍ପତ୍ତି । ନାଚିବା ଅବସ୍ଥାରେ ଅକସ୍ମାତ ତଳେ ପଡିଗଲେ ସ୍ବାମୀ । ବାସ୍ ସାରା ଉତ୍ସବରେ ଘୋଟିଗଲା ଶୋକର ଛାୟା । ଅଧୁରା ବି ରହିଗଲା କେକ୍ କାଟିବା । ତାଙ୍କ ଜୀବନର ସୁନେଲି ଯାତ୍ରାର ବି ହୋଇଯାଇଥିଲା ଅବସନ । ଏହି ଦୁଃଖଦ ଘଟଣା ଘଟିଛି ଉତ୍ତରପ୍ରଦେଶରେ ବରେଲୀରେ । ଷ୍ଟେଜ ଉପରେ ହିଁ ଆଖି ବୁଜିଦେଇଥିଲେ ୫୦ ବର୍ଷ ବୟସ୍କ ଓ୍ବାସିମ ଶାଶ୍ବତ ।
ବିବାହର ୨୫ତମ ବାର୍ଷିକୀ ଅର୍ଥାତ ରୌପ୍ୟ ଜୁବିଲି ପାଳିବାକୁ ନିଷ୍ପତ୍ତି ନେଇଥିଲେ ଦମ୍ପତି । ଉତ୍ସବକୁ ରଙ୍ଗିନ କରିବା ଲାଗି ପତ୍ନୀ ଫାରା ବି ନିଜକୁ ବେଶ୍ ସଜ୍ଜିତ କରିଥିଲେ । ଉତ୍ସବ ପାଳନ ଲାଗି ଶତାଧିକ ବନ୍ଧୁବାନ୍ଧବ, ସମ୍ପର୍କୀୟ, ସାଙ୍ଗସାଥୀ ଉପସ୍ଥିତ ଥିଲେ । ଦମ୍ପତିଙ୍କ ସହ ଅନ୍ୟମାନେ ବି ନୃତ୍ୟଗୀତରେ ସାମିଲ ଥିଲେ । ଶୁଟିଂ ବି ଚାଲିଥିଲା । ହେଲେ ହଠାତ୍ ତଳେ ପଡିଯାଇଥିଲେ ଓ୍ବାସିମ । ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଓ୍ବାସିମ ଜଣେ ଯୋତା ବ୍ୟବସାୟୀ ହୋଇଥିବାବେଳେ ତାଙ୍କରୁ ଦୁଇଟି ପୁଅ ଅଛନ୍ତି । ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ଡାକ୍ତର ପ୍ରକାଶ କରିଥିଲେ । ନାଚଗୀତ ଶେଷରେ ଦୁହେଁ କେକ୍ କାଟିବା ଲାଗି ନିଷ୍ପତ୍ତି ନେଇଥିଲେ । ହେଲେ ଚିରଦିନ ଲାଗି ତାହା ରହିଗଲା ଅପୂରା ।