ପ୍ରିୟଙ୍କା ଗାନ୍ଧିଙ୍କ ୧ ହଜାର ବସ୍‌ ତାଲିକାରେ ବାଇକ୍, ଅଟୋ ନମ୍ବର !

1 min read

ଲକ୍ଷ୍ନୌ: ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଘରେ ପହଂଚାଇବା ପାଇଁ କଂଗ୍ରେସ ୨ ହଜାର ବସ ପ୍ରସ୍ତୁତ ରଖିଥିବା ଦାବିକୁ ନେଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପରାମର୍ଶଦାତ୍ତା ନୂଆ ଦାବି କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତ୍ତା ମୃତ୍ୟୁଞ୍ଜୟ କୁମାର କହିଛନ୍ତି ଯେ, କଂଗ୍ରେସ ରାଜ୍ୟ ସରକାରଙ୍କୁ ଯେଉଁ ବସ ତାଲିକା ଦେଇଛି ସେଥିରେ ବାଇକ୍,ଅଟୋ ଓ କାର ନମ୍ବର ରହିଛି ।

ପ୍ରିୟଙ୍କା ଏକ ହଜାର ବସ ଦେବା କଥା କହିଥିଲେ

ପ୍ରିୟଙ୍କା ଗାନ୍ଧି ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଘରେ ପହଂଚାଇବା ପାଇଁ ୧ ହଜାର ବସ ଯୋଗାଇ ଦେବାକୁ ପ୍ରସ୍ତାବ ଦେଇଥିଲେ । ପ୍ରିୟଙ୍କାଙ୍କ ପ୍ରସ୍ତାବକୁ ଯୋଗୀ ଆଦିତ୍ୟନାଥ ସ୍ୱୀକାର ମଧ୍ୟ କରିଥିଲେ ଓ ବସ ତାଲିକା ରାଜ୍ୟ ସରକାରଙ୍କୁ ଦେବା ପାଇଁ କହିଥିଲେ ।

ବସ ବଦଳରେ ଅଟୋ ନମ୍ବର !

ଏବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟାନାଥଙ୍କ ପରାମର୍ଶଦାତ୍ତା ମୃତ୍ୟୁଞ୍ଜୟ କୁମାର ଦାବି କରିଛନ୍ତି ଯେ, ଏହି ତାଲିକାରେ ଗଡବଡି ଅଛି । କଂଗ୍ରେସ ଦ୍ୱାରା ଦିଆଯାଇଥିବା ତାଲିକା ବାବଦରେ ସୂଚନା ଦେଇ ସେ ଗୋଟିଏ ଗାଡିର ରେଜିଷ୍ଟ୍ରେସନ ନମ୍ବର କଥା ଉଲ୍ଲେଖ କରିଥିଲେ । ୧୦ ନଭେମ୍ବର ୨୦୧୬ରେ ପଂଜିକୃତ ହୋଇଥିବା ଏହି ଗାଡିର ନମ୍ବର ହେଉଛି UP83T1006 । କିନ୍ତୁ ଏହି ନମ୍ବର ବସର ନୁହେଁ ଅଟୋର ବୋଲି ସେ କହିଛନ୍ତି ।

ସେହିଭଳି ମୃତ୍ୟୁଞ୍ଜୟ କୁମାର କହିଛନ୍ତି ଯେ, RJ14TD1446 ବସ ନୁହେଁ କାରର ନମ୍ବର । ଆଉ ଦୁଇ ତିନୋଟି ଗାଡି ସହ ମଧ୍ୟ ସମାନ ସମସ୍ୟା ରହିଛି ।

ସେହିଭଳି ଆଉ ଗୋଟିଏ ଗାଡି ଯାହାର ରେଜିଷ୍ଟ୍ରେସନ ନମ୍ବର UP85T65776 । ତଦନ୍ତ ପରେ ଏହି ଗାଡି ବସ ନୁହେଁ ସ୍କୁଟର ବୋଲି ଜଣା ପଡିଥିଲା ।

ଉଲ୍ଲେଖଯୋଗ୍ୟ ଯେ, ୟୁପି ସରକାର ପ୍ରିୟଙ୍କା ଗାନ୍ଧିଙ୍କ ବ୍ୟକ୍ତିଗତ ସଚିବଙ୍କୁ ଚିଠି ଲେଖି କଂଗ୍ରେସ ପକ୍ଷରୁ ପଠାଯିବାକୁ ଥିବା ୧ ହଜାର ବସର ପ୍ରମାଣପତ୍ର,ରେଜିଷ୍ଟ୍ରେସନ ନମ୍ବର,ଡ୍ରାଇଭର ଓ ପରିଚାଳକଙ୍କ ସବିଶେଷ ତଥ୍ୟ ମାଗିଥିଲେ ।

Leave a Reply