ଏମିତି ବି ହୋଇଥିଲା: ଭାରତ ବିରୋଧରେ ପାକିସ୍ତାନ ତରଫରୁ ଖେଳିଥିଲେ ସଚିନ

1 min read

ମୁମ୍ବାଇ: ଏପ୍ରିଲ ୨୪ । କ୍ରିକେଟ ପ୍ରେମୀଙ୍କ ପାଇଁ ଆଜିର ଦିନଟି ବିଶେଷ ମହତ୍ବ ରଖିଥାଏ । କାରଣ ଆଜି ହେଉଛି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଜନ୍ମଦିନ । ୪୯ ବର୍ଷରେ ପଦାର୍ପଣ କରିଛନ୍ତି ସଚିନ । କେବଳ ଭାରତୀୟ କ୍ରିକେଟକୁ ନୁହେଁ ବିଶ୍ବ କ୍ରିକେଟକୁ ନୂଆ ଦିଗ ଦେଇଥିବା ଏହି ମହାନ କ୍ରିକେଟରଙ୍କ ଜୀବନୀକୁ ରହିଛି ଅନେକ ରୋମାଞ୍ଚକ କଥା । ଯାହା ବହୁତ କମ କ୍ରିକେଟ ପ୍ରେମୀ ଜାଣନ୍ତି ।

ଜାଣିଲେ ଆଶ୍ଚର୍ଯ୍ୟ ହେବେ ଭାରତୀୟ କ୍ରିକେଟର ଗର୍ବ ସଚିନ ତେନ୍ଦୁଲକର ପାକିସ୍ତାନ ପାଇଁ ମଧ୍ୟ ଖେଳିଛନ୍ତି । ତାହା ପୁଣି ଭାରତ ବିପକ୍ଷରେ । କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗିଥିଲେ ବି ସତ । ନିଜେ ସଚିନ ଏହା ତାଙ୍କ ଆତ୍ମକଥା ‘ପ୍ଲେଇଂ ଇଟ୍ ମାଇଁ ଓ୍ବେ’ରେ ଉଲ୍ଲେଖ କରିଛନ୍ତି ।

ସଚିନ କାହିଁକି ଓ କେବେ ପାକିସ୍ତାନ ଟିମ୍ ତରଫରୁ ଭାରତ ବିରୋଧରେ ଫିଲ୍ଡକୁ ଓହ୍ଲାଇଥିଲେ ଆସନ୍ତୁ ଜାଣିବା ଏହି ବିଶେଷ ରିପୋର୍ଟରେ ।

ବର୍ଷ ୧୯୮୭ । ସଚିନଙ୍କ ଅନ୍ତର୍ଜାତୀୟ କ୍ୟାରିୟର ବି ଆରମ୍ଭ ହୋଇ ନଥିଲା । ପାକିସ୍ତାନ ଟିମ୍ ୫ ଟେଷ୍ଟ ଓ ୬ ଦିନିକିଆ ସିରିଜ ଖେଳିବାକୁ ଭାରତ ଆସିଥିଲା । ସିରିଜ ଆରମ୍ଭରୁ ଜାନୁଆରୀ ୨୦ରେ ଭାରତ ଓ ପାକିସ୍ତାନ ମଧ୍ୟରେ ମୁମ୍ବାଇ ବ୍ରିବୋର୍ଣ୍ଣ ଷ୍ଟାଡିୟମରେ ଖେଳା ଯାଇଥିଲା ଏକ ୪୦-୪୦ ଓଭରର ପ୍ରଦର୍ଶନୀ ମ୍ୟାଚ୍ । ପାକିସ୍ତାନ ଫିଲ୍ଡିଂ କରୁଥିଲା । ଲଞ୍ଚ ବ୍ରେକ୍ ସମୟରେ ଜାଭେଦ ମିଆଁଦାଦ ଏବଂ ଅବଦୁଲ୍ଲ କାଦିର ପଡିଆ ବାହାରକୁ ପଳାଇଥିଲେ । ଖେଳ ଆରମ୍ଭ ହେବା ପରେ ମଧ୍ୟ ସେମାନେ ଆସି ନଥିଲେ । ଫଳରେ ପାକିସ୍ତାନକୁ ୧୧ ଜଣ ଖେଳାଳିଙ୍କୁ ନେଇ ଫିଲ୍ଡିଂ କରିବାର ଥିଲା । ଏହି ସମୟରେ ପାକିସ୍ତାନ ପାଇଁ ଫିଲ୍ଡିଂ କରିବାକୁ ସବଷ୍ଟିଚ୍ୟୁଡ ଫିଲଡର ଭାବେ ପଡିଆକୁ ଓହ୍ଲାଇଥିଲେ ମାତ୍ର ୧୩ ବର୍ଷ ବୟସର ଜଣେ ଛୋଟ ପିଲା । ସେହି ପିଲାଟି ଆଉ କେହି ନଥିଲେ । ସେ ଥିଲେ ସଚିନ । ଅଧିନାୟକ ଇମ୍ରାନ ଖାନ୍ ତାଙ୍କୁ ଓ୍ବାଇଡ ଲଙ୍ଗ ଅନରେ ଫିଲ୍ଡ କରିବାକୁ କହିଥିଲେ ।

ସଚିନ ତାଙ୍କ ଆତ୍ମକଥାରେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ଏହି ମ୍ୟାଚରେ ସେ ଭାରତୀୟ କ୍ରିକେଟର କିମ୍ବଦନ୍ତୀ କ୍ରିକେଟର କପିଲ ଦେବଙ୍କ କ୍ୟାଚ ପ୍ରାୟତଃ ନେଇ ଯାଇଥିଲେ କହିଲେ ଚଳେ । ଫିଲ୍ଡିଂ ସମୟରେ କପିଲ ଦେବ ସଚିନଙ୍କ ଆଡକୁ ଏୟାରରେ ଏକ ସଟ୍ ଖେଳିଥିଲେ । ଯାହାକୁ ଧରିବାକୁ ସଚିନ ତାଙ୍କ ଛୋଟ ଛୋଟ ପାଦରେ ପ୍ରାୟ ୧୫ ମିଟର ପର୍ଯ୍ୟନ୍ତ ଦୌଡି ଥିଲେ । ସେଥିକି ନୁହେଁ, ସଚିନ ବଲ୍ ପାଖରେ ପ୍ରାୟତଃ ପହଞ୍ଚି ଯାଇଥିଲେ । ଦେଖଣାହାରି କୁହନ୍ତି ଯଦି କେହି ବୟସ୍କ ଖେଳାଳି ସେଠାରେ ଫିଲ୍ଡ କରୁଥାନ୍ତେ ହୁଏତ କପିଲଙ୍କୁ କ୍ରିଜ୍ ଛାଡିବାକୁ ପଡିଥାନ୍ତା ।

ସଚିନ ତାଙ୍କ ବହିରେ ଏହା ମଧ୍ୟ ଲେଖିଛନ୍ତି ଯେ, ‘ମୁଁ ଜାଣିନାହିଁ, ଇମ୍ରାନ ଖାନଙ୍କୁ ମନେ ଥିବ କି ନାହିଁ ମୁଁ ଥରେ ପାକିସ୍ତାନ ଟିମ୍ ପାଇଁ ଡିଲ୍ଡିଂ କରିଥିଲି ।’ ଏହି ମ୍ୟାଚର କିଛି ବର୍ଷ ପରେ ସେହି ପାକିସ୍ତାନ ବିପକ୍ଷରେ ସଚିନ ଟିମ ଇଣ୍ଡିଆ ତରଫରୁ ଡେବ୍ୟୁ କରିଥିଲେ ।

ଆଜି ସଚିନଙ୍କ ଜନ୍ମଦିନ । ଜାଣିଛନ୍ତି କି ୨୪ରେ ତାରିଖରେ ଜନ୍ମ ହୋଇଥିବା ସଚିନଙ୍କ ପାଇଁ ଏହି ତାରିଖଟି ବେଶ ମହତ୍ବ ରଖେ । ଏହି ତାରିଖରେ ସଚିନଙ୍କ ସହ କ’ଣ ଘଟିଥିଲା ଥରେ ନଜର ପକାଇବା ।

୧୯୮୮ ଫେବୃଆରୀ ୨୪ରେ ସଚିନ ତାଙ୍କ ପିଲାଦିନର ସାଙ୍ଗ ବିନୋଦ କାମ୍ବଲୀଙ୍କ ସହ ମିଶି ହାରିଶ ସିଲ୍ଡର ସେମିଫାଇନାଲରେ ତୃତୀୟ ଓ୍ବିକେଟରେ ଅପରାଜିତ ୬୬୪ ରନର ପାରି ଖେଳିଥିଲେ । ଏହି ପାର୍ଟନରସିପରେ ସଚିନ ୩୨୬ ଏବଂ କାମ୍ବଲୀ ୩୪୯ ରନ୍ କରିଥିଲେ ।

ସେହିପରି ୧୯୮୯ ନଭେମ୍ବର ୨୪ରେ ସଚିନ ୧୬ ବର୍ଷ ବୟସରେ ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ । ୧୯୯୫ ମେ’ ୨୪ ତାରିଖରେ ସଚିନ ଓ ଅଞ୍ଜଳିଙ୍କ ବିବାହ ହୋଇଥିଲା । ୨୦୧୦ ଫେବୃଆରୀ ୨୪ରେ ସଚିନ ସାଉଥ ଆଫ୍ରିକା ବିପକ୍ଷ ଦିନିକିଆରେ ଦ୍ବିଶତକ ମାରିଥିଲେ ।