ଯାଜପୁରରେ କଙ୍ଗାରୁ କୋର୍ଟ, ମୋବାଇଲ ଚୋରି ଅଭିଯୋଗରେ ୩ ନାବାଳକଙ୍କୁ ଅକଥନୀୟ ନିର୍ଯାତନା

ଯାଜପୁର: ଯାଜପୁରରେ କଙ୍ଗାରୁ କୋର୍ଟ । ମୋବାଇଲ ଚୋରି ଅଭିଯୋଗରେ ୩ଜଣ ନାବାଳକଙ୍କୁ ନିର୍ଯାତନା । ଦଉଡିରେ ହାତଗୋଡ଼ ବାନ୍ଧି କାନ ଧରି ଉଠାବସା କରିଛନ୍ତି ଗାଁ ଲୋକ । ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ମାଡ଼ ମଧ୍ୟ ମରାଯାଉଛି ।  ଏ ଦୃଶ୍ୟ ହେଉଛି ଯାଜପୁର ଜିଲ୍ଲା ବ୍ୟାସନଗର ସହର ଅଞ୍ଚଳର । ସୂଚନା ମୁତାବକ ଗତକାଲି ଅପରାହ୍ନରେ ସ୍ଥାନୀୟ ବାଇପାସ୍‌ରେ ଥିବା ଏକ ଗ୍ୟାରେଜରୁ ଏହି ପିଲାମାନେ ମୋବାଇଲ ଚୋରି କରୁଥିବା ସମୟରେ ସ୍ଥାନୀୟ ଲୋକ ଧରିଥିଲେ । ଏହାପରେ ହାତଗୋଡ଼ ବାନ୍ଧି କାନ ଧରାଇ ଉଠାବସା କରାଇଥିଲେ। ତେବେ ଏହି ପିଲାଙ୍କୁ ପୋଲିସ ଜିମା ଦିଆ ନଯାଇ ଛାଡି ଦିଆଯାଇଛି  । ପିଲାମାନେ ଭଦ୍ରକ ଅଞ୍ଚଳର ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ, ଏହି ୩ ଜଣ ନାବାଳକ ସ୍ଥାନୀୟ ଅଞ୍ଚଳରୁ ବୁଲି ବୁଲି ମୋବାଇଲ ଚୋରି କରନ୍ତି । ଏମାନେ ଉକ୍ତ ଗାଁର ନୁହନ୍ତି । ବାହାରୁ ଆସି ଏହି ଗାଁରେ ଚୋରି କରୁଥିଲେ । ତେବେ ଏହା ଜାଣି ସ୍ଥାନୀୟ ଲୋକେ ଏମାନଙ୍କୁ ଧରି ହାତ ବାନ୍ଧି ନିର୍ଯାତନା ଦେଇଛନ୍ତି ।

Leave a Reply