ଆତଙ୍କବାଦ ବିରୋଧରେ ବଡ଼ ପଦକ୍ଷେପ, ଆଜି ମୁମ୍ବାଇରେ ବସିବ UNSCର ଆତଙ୍କବାଦ ମୁକାବିଲା କମିଟି ବୈଠକ

ମୁମ୍ବାଇ: ଆଜି ମୁମ୍ବାଇରେ ବସିବ ଜାତିସଂଘ ନିରାପତ୍ତା ପରିଷଦର କୂଟନୀତିଜ୍ଞଙ୍କ ବୈଠକ । ପ୍ରଥମ ଥର ଲାଗି ଜାତିସଂଘ ନିରାପତ୍ତା ପରିଷଦର ଆତଙ୍କବାଦ ମୁକାବିଲା କମିଟିର ବୈଠକ ବସିବ ମୁଖ୍ୟାଳୟ ବାହାରେ । ଆଜି ମୁମ୍ବାଇରେ ଓ ଆସନ୍ତାକାଲି ଦିଲ୍ଲୀରେ ବସିବ ବୈଠକ । ବିଶେଷ କରି ଭାରତ ବିରୋଧରେ ପାକିସ୍ତାନର ଗୋପନ ରଣନୀତି, ଡ୍ରୋନ ଜରିଆରେ ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ଓ ମାଦକଦ୍ରବ୍ୟ ଚାଲାଣ ରୋକିବା ଲାଗି ବୈଠକରେ ପଦକ୍ଷେପ ନିଆଯିବ । ଗତ ୯ ମାସରେ ପାକିସ୍ତାନ ପଟୁ ଭାରତ ଭିତରକୁ ୧୯୧ଟି ଡ୍ରୋନ ବେଆଇନ ଭାବେ ପ୍ରବେଶ କରିଥିବା ବେଳେ, ସେଥିରୁ ୧୭୧ଟିକୁ ପଞ୍ଜାବ ସୀମାରେ ଚିହ୍ନଟ କରାଯାଇଥିଲା । ସେହିପରି ୨୦ଟି ଡ୍ରୋନ ଜାମ୍ମୁ ସୀମାରେ ଠାବ କରାଯାଇଥିଲା । କେବଳ ୮ଟି ଡ୍ରୋନକୁ ବିଏସଏଫ ପକ୍ଷରୁ ଖସାଇ ଦିଆଯାଇଥିଲା ।

ଏହି ବୈଠକରେ ଆତଙ୍କବାଦ ପ୍ରକ୍ରିୟାରେ ବ୍ୟବହାର ହେଉଥିବା ନୂଆ କାରିଗରୀ ସମ୍ପର୍କରେ ଆଲୋଚନା ହେବ । ବଡ଼କଥା ହେଉଛି ୨୬\୧୧ ଆତଙ୍କବାଦୀ ଆକ୍ରମଣ ଘଟିଥିବା ମୁମ୍ବାଇର ତାଜ ପ୍ୟାଲେସ ହୋଟେଲରେ ପ୍ରଥମ ବୈଠକ ହେବ । ବୈଠକରେ ଇଣ୍ଟରନେଟ ଓ ସୋସିଆଲ ମିଡିଆ, ଆତଙ୍କବାଦୀ କାର୍ଯ୍ୟକଳାପକୁ ଅର୍ଥ ଯୋଗାଣ ଏବଂ ମାନବବିହୀନ ଆକାଶ ଯାନ ବା ୟୁଏଭି ସମ୍ପର୍କରେ ଆଲୋଚନା ହେବ । ଆତଙ୍କବାଦୀମାନେ ବ୍ୟବହାର କରୁଥିବା ନୂଆ ପ୍ରଯୁକ୍ତିର ସଫଳ ମୁକାବିଲା ଲାଗି ଏଥିରେ ପଦକ୍ଷେପ ନିଆଯିବ । ପରିଷଦର ସଦସ୍ୟ ତାଲିକାଭୁକ୍ତ ରାଷ୍ଟ୍ରର ପ୍ରତିନିଧି ଏହି ବୈଠକରେ ଯୋଗଦେବେ । ଏହା ସହ ଆନ୍ତର୍ଜାତିକ ମାନବାଧିକାର ପ୍ରସଙ୍ଗରେ ବି ଏହି ବୈଠକରେ ଆଲୋଚନା ହେବ ।