କାଶ୍ମୀର ପ୍ରସଙ୍ଗକୁ ଅନ୍ତର୍ଜାତିକକରଣ କରିବା ଲାଗି ପାକିସ୍ତାନର ପ୍ରୟାସକୁ ଭାରତର ତୀବ୍ର ସମାଲୋଚନା

1 min read

ନନ୍ଦିଘୋଷ ବ୍ୟୁରୋ : କାଶ୍ମୀର ପ୍ରସଙ୍ଗକୁ ଅନ୍ତର୍ଜାତିକକରଣ କରିବା ଲାଗି ପାକିସ୍ତାନର ପ୍ରୟାସକୁ ଭାରତର ତୀବ୍ର ସମାଲୋଚନା । ଜାତିସଂଘ ନିରାପତ୍ତା ପରିଷଦ ବୈଠକରେ କାଶ୍ମୀର ପ୍ରସଙ୍ଗ ନେଇ ବିଷୋଦଗାର କରିଛି ଭାରତ । ଏହା ସହ ସିନ୍ଧୁ ଜଳ ଚୁକ୍ତି ପ୍ରସଙ୍ଗରେ ପାକିସ୍ତାନର ଯୁକ୍ତିକୁ ଭାରତ ଅଗ୍ରାହ୍ୟ କରିଛି । ପାକିସ୍ତାନ ଉପପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ଇଶାକ୍ ଦରଙ୍କ ମନ୍ତବ୍ୟକୁ ସମାଲୋଚନା କରିଛି ଭାରତ । ଆତଙ୍କବାଦ ଓ ଅନ୍ତର୍ଜାତୀୟ ଶାନ୍ତି ପ୍ରସଙ୍ଗରେ ପାକିସ୍ତାନକୁ ଭର୍ତ୍ସନା କରିଛନ୍ତି ଜାତିସଂଘରେ ନିଯୁକ୍ତ ଭାରତର ସ୍ଥାୟୀ ପ୍ରତିନିଧି ପି. ହରିଶ । ନିଜର ଅଭିଭାଷଣରେ ଇଶାକ ଦର କହିଥିଲେ- କାଶ୍ମୀର ହେଉଛି ଏକ ଅନ୍ତର୍ଜାତୀୟ ମାନ୍ୟତାପ୍ରାପ୍ତ ବିବାଦୀୟ ଅଞ୍ଚଳ । ଏହା ସହ ସିନ୍ଧୁ ଜଳ ଚୁକ୍ତି ପ୍ରସଙ୍ଗରେ ଭାରତ ନେଇଥିବା ପଦକ୍ଷେପ ଅଯୌକ୍ତିକ ଓ ଅଗ୍ରହଣୀୟ । ଏହା ସହ ନିରାପତ୍ତା ପରିଷଦ ପ୍ରସ୍ତାବର ବୈଧତା ଅନୁସାରେ କାଶ୍ମୀର ପ୍ରସଙ୍ଗରେ ଏକ ପ୍ରସ୍ତାବ ଆଣିବାକୁ ସେ ଜାତିସଂଘ ନିକଟରେ ଦାବି କରିଥିଲେ । ସେପଟେ ଇଶାକ ଦରଙ୍କ ଯୁକ୍ତିକୁ ଖଣ୍ଡନ କରିଥିଲେ ହରିଶ । ସେ କହିଥିଲେ ଭାରତର ଗଣତନ୍ତ୍ର ସମୃଦ୍ଧ । ଏହାର ଅର୍ଥନୀତି ଶକ୍ତିଶାଳୀ । ଏହାର ରହିଛି ଏକ ଅନ୍ତର୍ଭୁକ୍ତିମୂଳକ ସମାଜ । ମାତ୍ର ପାକିସ୍ତାନରେ ଭରି ରହିଛି ମୌଳବାଦ ଓ ଆତଙ୍କବାଦ । ଏହାର ଅର୍ଥନୀତି ଦେବାଳିଆ ଏବଂ ଆନ୍ତର୍ଜାତିକ ମୁଦ୍ରାପାଣ୍ଠିରୁ ପାକିସ୍ତାନ ଧାରାବାହିକ ଭାବେ ଋଣ କରିଥାଏ । ଜାତିସଂଘ ନିରାପତ୍ତା ପରିଷଦ ଶାନ୍ତି ଓ ନିରାପତ୍ତା ନେଇ ଆଲୋଚନା କରିବା ସହ ଆତଙ୍କବାଦ ବିରୋଧରେ ଜାତିସଂଘ ଜିରୋ ଟଲରାନ୍ସ ନୀତି ଆପଣାଉ ବୋଲି କହିଥିଲେ ହରିଶ ।