ରାଜ୍ୟରେ ଅସୁରକ୍ଷିତ ମହିଳା: ୮ ମାସରେ ୧୬ ଶହରୁ ଅଧିକ ଅତ୍ୟାଚାରର ଶିକାର
1 min read
ଭୁବନେଶ୍ବର: ରାଜ୍ୟରେ ସୁରକ୍ଷିତ ନାହାନ୍ତି ମହିଳା । ୮ ମାସରେ ୧୬ ଶହ ମହିଳାଙ୍କ ଉପରେ ହୋଇଛ ଅତ୍ୟାଚାର । ବିପର୍ଯ୍ୟସ୍ତ ହୋଇଛି ଆଇନଶୃଙ୍ଖଳl । ଏହାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ନାରୀ ନିର୍ଯାତନା ପ୍ରସଙ୍ଗରେ କଂଗ୍ରେସ ଅନୁଧ୍ୟାନ କମିଟି ଗଠନ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ପିସିସି ସଭାପତି । ଅନ୍ୟପଟେ ରାଜ୍ୟରେ ଶାସନ ବ୍ୟବସ୍ଥା ବୋଲି କିଛି ନାହିଁ କହି କଟାକ୍ଷ କରିଛି ବିଜେଡି ।
ରାଜ୍ୟରେ ବିଜେପି ସରକାର ଆସିବା ଦିନଠୁ ବିପର୍ଯ୍ୟସ୍ତ ହୋଇପଡିଛି ଆଇନଶୃଙ୍ଖଳା । ୮ ମାସରେ ୧୬ ଶହ ମହିଳାଙ୍କ ଉପରେ ହୋଇଛି ଅତ୍ୟାଚାର । ସବୁଠି ଉଲ୍ଲଂଘନ ହେଲାଣି ସୀମା । ଅସୁରକ୍ଷିତ ମନେ କରୁଛନ୍ତି ଆଦିବାସୀ । ମହିଳାଙ୍କ ଉପରେ ବଢୁଥିବା ନିର୍ଯାତନାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେଡି । ବିଧାୟକ ବ୍ୟୋମକେଶ ରାୟ କହିଛନ୍ତି, ରାଜ୍ୟରେ କେହି ସୁରକ୍ଷିତ ନୁହନ୍ତି । ଆଦିବାସୀ କଥା କହିଥିବା ଡବଲ ଇଞ୍ଜିନ ସରକାର ଆଦିବାସୀଙ୍କୁ ସୁରକ୍ଷା ଯୋଗାଇ ଦେଇପାରୁନି। ସେପଟେ ପିସିସି ସଭାପତି ଭକ୍ତ ଦାସ ମଧ୍ୟ ଆଦିବାସୀ ପ୍ରସଙ୍ଗରେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ସମାଲୋଚନା କରି କହିଛନ୍ତି, ମାଆଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛି ବିଜେପି ସରକାର । ଯଦି ନ୍ୟାୟ ନମିଳେ, ତେବେ ଲୋକସଭା ଭବନରେ ପଶି ଜବାବ ମାଗିବେ କଂଗ୍ରେସ ନେତା ଓ କର୍ମୀ ।
ସେପଟେ ସାରା ରାଜ୍ୟରେ ନିର୍ଯାତନା ବଢୁଥିବା ଦେଖି, ୭ ଜଣିଆ କମିଟି ଗଠନ କରିଛି କଂଗ୍ରେସ । ଏହି ଟିମ୍ ପୂରା ରାଜ୍ୟ ଗସ୍ତ କରିବ । ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ କହିଛନ୍ତି, ବିଜେପି ସରକାରରେ ରାଜ୍ୟରେ ବିଗିଡିଛି ଆଇନଶୃଙ୍ଖଳା । ସେହିପରି ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା ମଧ୍ୟ ରାଜ୍ୟ ସରକାରଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି ।