କର୍ଣ୍ଣାଟକ ବିଜେପିରେ ପୁଣି ବଢ଼ିଲା ଅଶାନ୍ତି, ପ୍ରାର୍ଥୀ ତାଲିକାକୁ ନେଇ ବିଦ୍ରୋହ

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଜେପିରେ ପୁଣି ବଢ଼ିଲା ଅଶାନ୍ତି । ପ୍ରାର୍ଥୀ ତାଲିକାକୁ ନେଇ ବିଦ୍ରୋହ ସ୍ଥିତି । ଶିବମୋଗା ବିଧାନସଭା ନିର୍ବାଚନ ମଣ୍ଡଳୀ ଲାଗି ଚନ୍ନବାସପ୍ପାଙ୍କୁ ପ୍ରାର୍ଥୀ କରାଯାଇଛି । ମାତ୍ର ସେହି ଆସନରୁ ବିଧାୟକ ଥିବା ତଥା ବିଭିନ୍ନ ବିବାଦରେ ଛନ୍ଦି ହୋଇପଡିଥିବା ବରିଷ୍ଠ ବିଜେପି ନେତା କେ.ଏସ. ଈଶ୍ବରାପ୍ପାଙ୍କ ପରିବାରରୁ କାହାରିକୁ ପ୍ରାର୍ଥୀ କରିନି ବିଜେପି । କିଛିଦିନ ତଳେ ରାଜନୀତିରୁ ସନ୍ନ୍ୟାସ ନେବା ଲାଗି ଘୋଷଣା କରିଥିଲେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଈଶ୍ବରାପ୍ପା । ତେବେ ପୁଅ କେ.ଇ. କାନ୍ତେଶଙ୍କୁ ସେହି ଆସନରୁ ପ୍ରାର୍ଥୀ କରାଯାଉ ବୋଲି ଦାବି କରିଥିଲେ ୫ଥରର ବିଧାୟକ ଈଶ୍ବରାପ୍ପା । ତେଣେ ଶିବମୋଗାରୁ ପ୍ରାର୍ଥୀ ହେବା ଲାଗି ଆଶାୟୀ ବିଜେପି ନେତା ଆୟାନୁର ମଞ୍ଜୁନାଥଙ୍କୁ ଟିକେଟ ନ ମିଳିବା ପରେ ସେ ବିଜେପି ତ୍ୟାଗ କରି ଜେଡିଏସରେ ମିଶିଛନ୍ତି ।

ସେପଟେ ବିଜେପିର ଏମଏଲସି ସଦସ୍ୟ ଏଚ. ବିଶ୍ବନାଥ ଦଳ ତ୍ୟାଗ କରି କଂଗ୍ରେସରେ ସାମିଲ ହୋଇଛନ୍ତି । ଆଜି ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ହୋଇଥିବାବେଳେ ବହୁ ନେତାଙ୍କୁ ଟିକେଟ ନ ମିଳିବା ବିଜେପି ଲାଗି ଚିନ୍ତାର କାରଣ ହୋଇଛି । ସେପଟେ ବିଜେପିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରୁ ବାଦ୍ ପଡିଛନ୍ତି ଯୁବ ଚେହେରା ତେଜସ୍ବୀ ସୂର୍ଯ୍ୟ । ବିଜେପି ଯୁବଶାଖା ସଭାପତି ତଥା ବେଙ୍ଗାଲୁରୁ ସାଉଥ ସାଂସଦ ତେଜସ୍ବୀ ହିନ୍ଦୁତ୍ବବାଦୀ ରାଜନୀତିର ଜଣେ ଜଣାଶୁଣା ଚେହେରା । ତେବେ ଷ୍ଟାର ପ୍ରଚାରକ ତାଲିକାରୁ ତାଙ୍କ ନାମ ହଟିବାକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି । କୁହାଯାଉଛି କିଛିଦିନ ତଳେ ଏକ ବିମାନର ଉଡାଣ ପୂର୍ବରୁ ସେ ବିମାନର ଏମର୍ଜେନ୍ସି ଏକ୍ସିଟକୁ ଖୋଲିବା କାରଣକୁ ନେଇ ବିଭିନ୍ନ ମହଲରୁ ଉପହାସର ପାତ୍ର ହୋଇଥିଲେ । ସେହିପରି ପ୍ରଚାରକ ତାଲିକାରୁ ବି ବାଦ୍ ପଡିଛନ୍ତି ବି.ଏସ. ୟେଦ୍ୟୁରପ୍ପାଙ୍କ ପୁଅ ବି.ଓ୍ବାଇ. ବିଜୟେନ୍ଦ୍ର । ସଂରକ୍ଷଣ ପ୍ରସଙ୍ଗକୁ ନେଇ ବଞ୍ଜାରା ସମ୍ପ୍ରଦାୟଙ୍କ ଆକ୍ରୋଶର ଶିକାର ହୋଇଆସିଛନ୍ତି ବିଜୟେନ୍ଦ୍ର ।