ପୂର୍ବରୁ କହିଥିଲେ, ଏବେ ଭଣ୍ଡାଇଦେଲେ : ଭାଗଚାଷୀଙ୍କୁ ହତାଶ କଲେ ନୂଆ ସରକାର
1 min readଭୁବନେଶ୍ବର : ପୂର୍ବରୁ କହିଥିଲେ, ଏବେ ଭଣ୍ଡାଇଦେଲେ । ପୁଣି ଭାଗଚାଷୀଙ୍କୁ ହତାଶ କଲେ ବିଜେପି ସରକାର । ମିଳିବ ନାହିଁ ଅଦିନିଆ ବର୍ଷା ଯୋଗୁ ଫସଲହାନୀର କ୍ଷତିପୂରଣ । ରାଜ୍ୟରେ ଭାଗଚାଷୀଙ୍କ ପାଇଁ କୌଣସି ଆଇନ ନଥିବାରୁ ସରକାରଙ୍କ ରିଲିଫ ପାଇବାରୁ ବଞ୍ଚିତ ହେବେ ଭାଗଚାଷୀ । ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଦିଆଯିବା ପ୍ରସଙ୍ଗରେ ଏହା ସ୍ପଷ୍ଟ କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। କୃଷି ଓଡ଼ିଶା-୨୦୨୫ ମଞ୍ଚରୁ ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଭାବେ ଘୋଷଣା କରାଯାଉଥିବା ବେଳେ ଭାଗଚାଷୀଙ୍କୁ ଆଇନର ଦ୍ବାହି ଦେଇ ଫସଲହାନୀର କ୍ଷତିପୂରଣରୁ ବଂଚିତ କରାଯାଉଛି। ଯେଉଁ ଚାଷୀମାନେ ଭାଗରେ ଧାନ କି ପନିପରିବା ଚାଷ କରିଥିଲେ ସେମାନଙ୍କୁ ସରକାରଙ୍କ କ୍ଷତିପୂରଣ ରାଶି ମିଳିବ ନାହିଁ । ଭାଗଚାଷୀଙ୍କ ପ୍ରତି ରାଜ୍ୟ ସରକାରଙ୍କ ଏଭଳି ବୈମାତୃକ ମନୋଭାବକୁ ସମାଲୋଚନା କରିଛି ବିଜେଡି।
ଅଦିନିଆ ବର୍ଷାରେ ଫସଲହାନୀ ବାବଦରେ ଜିଲ୍ଲାପାଳଙ୍କ ବିସ୍ତୃତ ରିପୋର୍ଟ ସରକାରଙ୍କ ହସ୍ତଗତ ହୋଇଛି। କୃଷି ଓଡ଼ିଶା ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହାକୁ ପ୍ରାକୃତିକ ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍ତି । ଡିସେମ୍ବର ୩୦ ସୁଦ୍ଧା ଜିଲ୍ଲାପାଳ ଦେଇଥିବା ରିପୋର୍ଟ ଅନୁଯାୟୀ ଅନୁଗୁଳ,ଭଦ୍ରକ,କଟକ,ଢେଙ୍କାନାଳ, ଗଜପତି, ଯାଜପୁର, କଳାହାଣ୍ଡି, କେନ୍ଦ୍ରାପଡା, ଖୋର୍ଦ୍ଧା,ପୁରୀ,ରାୟଗଡା, ଜଗତସିଂହପୁର, କନ୍ଧମାଳ, ନୟାଗଡ, ନୂଆପଡା, ରାୟଗଡା ଭଳି ୧୬ ଜିଲ୍ଲାରେ ୬ ଲକ୍ଷ ୬୬ ହଜାର ୭୨୦ଜଣ ଚାଷୀଙ୍କ ୨ ଲକ୍ଷ ୨୬ ହଜାର ୭୯୧ ହେକ୍ଟର ଜମିରେ ୩୩ ପ୍ରତିଶତରୁ ଅଧିକ ଫସଲ କ୍ଷତି ହୋଇଛି । ଏଥିପାଇଁ SDRF ପାଣ୍ଠିରୁ ୨୯୧କୋଟି ୬୫ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦିଆଯିବ। ସେହିଭଳି ଆକଳନରୁ ବାଦ ପଡ଼ିଥିବା ଚାଷୀଙ୍କୁ ପରବର୍ତ୍ତୀ ସମୟ ରେ ସାମିଲ କରାଯିବ ।
ଅଦିନିଆ ବର୍ଷାରେ ୧୬ ଜିଲ୍ଲାରୁ ଗଞ୍ଜାମରେ ସର୍ବାଧିକ ୬୦ହଜାର ୭୧୨ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଥିବା ବେଳେ ପୁରୀ ଜିଲ୍ଲାରେ ୪୯ ହଜାର ୨୯୬ ହେକ୍ଟର ଏବଂ ନୂଆପଡ଼ାରେ ସର୍ବନିମ୍ନ ୧୨.୬୦ ହେକ୍ଟର ଜମି କ୍ଷତିଗ୍ରସ୍ତ ହୋଇଛି। ଧାନ ଚାଷରେ ୨ ଲକ୍ଷ ୨୩ ହଜାର ୩୧୧ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଉଦ୍ୟାନକୃଷିରେ ୩ହଜାର ୪୭୯ ହେକ୍ଟର ଜମି କ୍ଷତି ଗସ୍ତ ହୋଇଛି।