ମୁଖ୍ୟମନ୍ତ୍ରୀ ଭେଟି କୃତଜ୍ଞତା ଜଣାଇଲେ ଅଣସଂଗଠିତ ଶ୍ରମିକ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଅଣସଂଗଠିତ ଶ୍ରମିକ। ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଜଣାଇଲେ କୃତଜ୍ଞତା । ଡେଲିଭରି ବୟ, କଳାକାର, ଶିଳ୍ପୀ, ବୁଲାବିକାଳି,ସେଲୁନ ସ୍ପା କର୍ମଚାରୀ,ପଥର କରୀଗର, ବୁଲା ମାଛବିକାଳି, କମାର, କୁମ୍ଭାର, ଲୋକକଳା କଳାକାରଙ୍କ ଭଳି ପାଖାପାଖି ୫୦ ଟି ବର୍ଗର ଲୋକମାନେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ ଦୀର୍ଘାୟୁ କାମନା କରିଛନ୍ତି । ଗତ ଦୁଇ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ କ୍ଷେତ୍ରରେ କାମ କରୁଥିବା ୫୦ ଟି ବର୍ଗର ଅଣସଂଗଠିତ ଶ୍ରମିକ ମାନଙ୍କୁ ସାମାଜିକ ସୁରକ୍ଷା ବୋର୍ଡ କଲ୍ୟାଣ ଯୋଜନାରେ ସାମିଲ ନେଇ ଘୋଷଣା କରିବା ସହ ସହାୟତା ରାଶି ବୃଦ୍ଧି କରିଥିଲେ ।

ବୋର୍ଡରେ ରେଜିଷ୍ଟ୍ରିଭୁକ୍ତ ଶ୍ରମିକ ମାନଙ୍କୁ ଦୁର୍ଘଟଣାଜନିତ ମୃତ୍ୟୁ କ୍ଷେତ୍ରରେ ସହାୟତାକୁ ୨ ଲକ୍ଷରୁ ୪ ଲକ୍ଷ ଟଙ୍କାକୁ ମୁଖ୍ୟମନ୍ତ୍ରୀ ବୃଦ୍ଧି କରିଥିଲେ । ସ୍ବାଭାବିକ ମୃତ୍ୟୁ କ୍ଷେତ୍ରରେ ସହାୟତାକୁ ୧ ଲକ୍ଷ ଟଙ୍କାରୁ ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି । ସୂଚନାଯୋଗ୍ୟ ଯେ ୨୦୧୭ ମେ ପହିଲାରୁ ଆରମ୍ଭ ହୋଇଥିବା ଏହି ବୋର୍ଡ ଜରିଆରେ ବର୍ତ୍ତମାନ ୧୦ଟି ବର୍ଗର ପ୍ରାୟ ୩.୬୫ ଲକ୍ଷ ପଞ୍ଜୀକୃତ ଶ୍ରମିକ ସୁବିଧା ପାଉଛନ୍ତି । ଏବେ ଆଉ ୫୦ ବର୍ଗର ଅଣସଂଗଠିତ ଶ୍ରମିକ ଏହି ଯୋଜନାରୁ ଉପକୃତ ହେବେ । ତେଣୁ ମୁଖ୍ୟମନ୍ତ୍ରୀ ଙ୍କ ନିସ୍ପତି ଭାରତ ବର୍ଷରେ ବିରଳ ବୋଲି କହିଛନ୍ତି କଟକ ମେୟର ସୁବାସ ସିଂ।