ଜୀବନ ଯୁଦ୍ଧରେ ହାରିଗଲେ ଉନ୍ନାଓ ଗଣଦୁଷ୍କର୍ମ ପୀଡ଼ିତା

ନୂଆଦିଲ୍ଲୀ: ଯନ୍ତ୍ରଣା ଜୁଇରେ ଜଳିଥିଲେ । ଜାଳିଦେବା ପରେ ମେଡିକାଲ ବେଡରେ ଜୀବନ ସହ ସଂଘର୍ଷ କରୁଥିଲେ । ଶରୀରର ୯୫ ପ୍ରତିଶତ ପୋଡ଼ି ଯାଇଥିଲେ ବି ଛାଡ଼ି ନଥିଲେ ବଞ୍ଚିବାର ଆଶା । ୪୦ ଘଣ୍ଟାର କସରତ ପରେ ଶୁକ୍ରବାର ବିଳମ୍ବିତ ରାତିରେ ଦିଲ୍ଲୀସ୍ଥିତ ସଫଦରଜଙ୍ଗ ମେଡିକାଲରେ ଉନ୍ନାଓ ଗଣଦୁଷ୍କର୍ମ ପୀଡ଼ିତାଙ୍କ ମୃତ୍ୟୁ ହୋଇଛି ।ରାତି ପ୍ରାୟ ୧୧ଟା ୪୦ରେ ଡାକ୍ତରୀ ଦଳର ପ୍ରଚେଷ୍ଟା ସତ୍ତ୍ୱେ ହାରି ଯାଇଛନ୍ତି ସେ । ହୃଦଘାତ୍ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି । ତେବେ, ପୀଡ଼ିତା ମୃତ୍ୟୁ ପୂର୍ବରୁ ଭାଇକୁ କହିଥିଲେ ‘ମୁଁ ବଞ୍ଚିବାକୁ ଚାହେଁ’ । ଏଥିସହ ଦୋଷୀଙ୍କୁ କଠୋରରୁ କଠୋର ଦଣ୍ଡଦେବାକୁ ପୀଡ଼ିତା ଭାଇଙ୍କୁ କହିଥିଲେ ।

ଗୁରୁବାର ଦିନ ପୀଡ଼ିତାଙ୍କୁ ପେଟ୍ରୋଲ ପକାଇ ୨ ଦୁଷ୍କର୍ମ ଅଭିଯୁକ୍ତ ସହ ୫ ଜଣ ଜାଳି ଦେଇଥିଲେ । ନିଆଁ ଲାଗିବା ପରେ ପ୍ରାୟ ୧ କିଲୋମିଟର ଚାଲି ଚାଲି ବଞ୍ଚିବା ପାଇଁ ଗୁହାରି କରିଥିଲେ ପୀଡ଼ିତା ଜଣଙ୍କ । ଏପରିକି ସେ ନିଜେ ୧୧୨ ନମ୍ବରକୁ କଲ୍ କରି ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଏହି ମାମଲାରେ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି ।ଗତ ୫ ତାରିଖରେ ଉତ୍ତରପ୍ରଦେଶ ବିହାର ଅଞ୍ଚଳରେ ପୀଡ଼ିତାଙ୍କୁ ଦୁଷ୍କର୍ମକାରୀ ଜାଳି ଦେଇଥିଲେ । ପରେ ତାଙ୍କୁ ଲକ୍ଷ୍ନୌରୁ ଏୟାର ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀ ଅଣାଯାଇ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

Leave a Reply