ଅନଲକ ୪: ଆରମ୍ଭ ହୋଇପାରେ ମେଟ୍ରୋ, ପୂର୍ବଭଳି ବନ୍ଦ ରହିପାରେ ଶିକ୍ଷାନୁଷ୍ଠାନ

ନୂଆଦିଲ୍ଲୀ: ଲକଡାଉନ ଏବଂ ଅନଲକର ପର୍ୟ୍ୟାୟ ଉପରେ ସମସ୍ତଙ୍କ ନଜର ରହୁଛି । ସୂଚନା ମୁତାବକ ଅନଲକ ୪ରେ ସ୍କୁଲ ଏବଂ କଲେଜ ପୂର୍ବଭଳି ବନ୍ଦ ରହିପାରେ । ଅନଲକ ୪ର ଆରମ୍ଭ ସେପ୍ଟେମ୍ବରରୁ ହୋଇପାରେ । ପ୍ରଥମେ ଅନୁମାନ କରାଯାଉଥିଲା କି ସ୍କୁଲ କଲେଜ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନ ଆଦି ଖୋଲାଯାଇପାରେ । କିନ୍ତୁ ମିଳିଥିବା ସୂଚନା ମୁତାବକ ଅନଲକ ୪ ପର୍ଯ୍ୟାୟରେ ସରକାର ସ୍କୁଲ କଲେଜ ଆଦି ଶିକ୍ଷାନୁଷ୍ଠାନ ଖୋଲିବାକୁ ଅନୁମତି ଦେଇ ନାହାଁନ୍ତି । ଏହା ସହିତ କଣ୍ଟେନମେଣ୍ଟ ଜୋନ ଉପରେ ମଧ୍ୟ କଟକଣା ଜାରି ରହିବ । ତେବେ ଏହି ପର୍ଯ୍ୟାୟରେ ମେଟ୍ରୋ ସେବା ପୁଣିଥରେ ଆରମ୍ଭ ହୋଇପାରେ । ଗୃହ ମନ୍ତ୍ରାଳୟ ଅନଲକ ୪ କୁ ନେଇ ହୋଇଥିବା ଗାଇଡ ଲାଇନର ସମସ୍ତ ସୂଚନା ଖୁବଶୀଘ୍ର ଜାରି କରିପାରନ୍ତି ।

ସୂଚନାଯୋଗ୍ୟ ଯେ, ୫ ଅଗଷ୍ଟକୁ ଆରମ୍ଭ ହୋଇଥିବା ତୃତୀୟ ପର୍ଯ୍ୟାୟ ଅନଲକରେ ଜିମ ଏବଂ ଯୋଗ ସଂସ୍ଥାନ ଖୋଲିବାକୁ ଅନୁମତି ମିଳିଥିଲା । ଏହା ସହିତ କଣ୍ଟେନମେଣ୍ଟ ଜୋନରେ ୩୧ ଅଗଷ୍ଟ ପର୍ୟ୍ୟନ୍ତ ଲକଡାଉନ ଜାରି ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ସେଥିରେ ରାତି କର୍ଫ୍ୟୁ ଉପରୁ କଟକଣା ଉଠାଇ ଦିଆଯାଇଥିଲା । କିନ୍ତୁ ସିନେମା ହଲ ଖୋଲିବାକୁ ଅନୁମତି ଦେଇ ନଥିଲେ ସରକାର । ଏହି ପର୍ଯ୍ୟାୟରେ ମଧ୍ୟ ସିନେମା ହଲ ଖୋଲି ନପାରେ ବୋଲି କୁହାଯାଉଛି । ଅନ୍ତଃରାଷ୍ଟ୍ରୀୟ ଉଡ଼ାଣ ଏବଂ ନିୟମିତ ରେଳ ସେବା ଆରମ୍ଭ ହେବାକୁ ନେଇ ମଧ୍ୟ ସେନ୍ଦେହ ଜାରି ରହିଛି ।

ମାର୍ଚ୍ଚରୁ ଆରମ୍ଭ ହୋଇଥିବା ଲକଡାଉନ ପରଠାରୁ ସିନେମା ହଲ,ସ୍ୱିମିଙ୍ଗପୁଲ,ପାର୍କ,ଥିଏଟର ଏବଂ ବାର ଉପରେ ସମ୍ପୂର୍ଣ୍ଣ ଭାବରେ ରୋକ ଲଗାଯାଇଛି । କିନ୍ତୁ କିଛି ନୀତି ନିୟମ ସହିତ ଗତ ଅନଲକ ପର୍ଯ୍ୟାୟରେ ମଲ ଖୋଲିବାକୁ ଅନୁମତି ଦେଇଥିଲେ ସରକାର । ଏହା ବ୍ୟତୀତ ସାମାଜିକ, ରାଜନୈତିକ,ଖେଳ,ମନୋରଞ୍ଜନ,ଶିକ୍ଷାନୁଷ୍ଠାନ,ସାଂସ୍କୃତିକ ଅନୁଷ୍ଠାନ,ଧାର୍ମିକ ଆୟୋଜନ ଏବଂ ବଡ଼ ସମାରୋହ ଉପରେ ରୋକ ଲଗାଯାଇଛି । ସଂକ୍ରମଣର ଚେନ୍‌ ଭାଙ୍ଗିବାକୁ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ।

Leave a Reply