ଦୃଷ୍ଟିବାଧିତ ଐଶ୍ଚର୍ଯ୍ଯା ଓ ନବୀନଙ୍କ କାହାଣୀ; ଛୁଇଁଯିବ ହୃଦୟକୁ

ଭୁବନେଶ୍ବର: ବିଶ୍ବ ଐଶ୍ଚର୍ଯ୍ଯା ପାଣ୍ଡେ । ଏ ଦୁନିଆଟା ତାଙ୍କ ପାଇଁ ଅଚିହ୍ନା, ଏ ଜୀବନଟା ତାଙ୍କ ପାଇଁ ଅନ୍ଧାର । ହେଲେ ପାପୁଲିକୁ ମୁଠାଇ ଧରିଥିବା ହାତ ଦୁଇଟି ଭାରି ଆପଣାର । ସେ ଦେଖିପାରୁ ନାହାନ୍ତି ସାମ୍ନା ମଣିଷର ମୁହଁ, କିନ୍ତୁ ଜାଣିପାରୁଛନ୍ତି ଉପସ୍ଥିତି ତାଙ୍କ ଆତ୍ମବିଶ୍ବାସର । ଆଉ ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ନବୀନ ପଟ୍ଟନାୟକ ।

ସାଢେ ଚାରି କୋଟି ଓଡ଼ିଆଙ୍କ ଘରର ମୁରବୀ ଆଜି ମୁକୁଟ ବିହୀନ ସମ୍ରାଟ । ୨୦୧୫ରେ ଜୀବନ ବଞ୍ଚାଇଥିବା ନବୀନ ଆଉ ମୁଖ୍ଯମନ୍ତ୍ରୀ ନାହାନ୍ତି । ଏକଥା ଶୁଣିବା ପରେ ଧର୍ଯ୍ୟ ଧରିପାରି ନଥିଲେ ଦୃଷ୍ଟିବାଧିତା ବିଶ୍ବ ଐଶ୍ଚର୍ଯ୍ଯା । ଦୁନିଆକୁ ସିନା ଦେଖିପାରୁନାହାନ୍ତି ତଥାପି ନବୀନଙ୍କ ପାଇଁ ଆଖିରୁ ଝରି ଆସିଥିଲା ଧାର ଧାର ଲୁହ । ପ୍ରିୟ ନେତାଙ୍କ ପାଖରେ ମୁହୁର୍ତ୍ତଟିଏ ଠିଆ ହେବାକୁ ବାପାଙ୍କ ସହ ଧାଇଁ ଆସିଥିଲେ ନବୀନ ନିବାସ । ଆଉ ନବୀନ ବି ୯ ବର୍ଷ ତଳର ସେ କଥାକୁ ଭୁଲି ନଥିଲେ । ସେଦିନର କୁନି ବିଶ୍ବ ଐଶ୍ଚର୍ଯ୍ଯାଙ୍କୁ ଚିହ୍ନିପାରି ଭରସାର ହାତ ବଢାଇ ଦେଇଥିଲେ । ଘରକୁ ଆସି ଲେମ୍ବୁପାଣି ପିଇବେ ବୋଲି କଥା ବି ଦେଇଥିଲେ ।

୨୦୧୫ ମସିହାର କଥା । ଗୁରୁତର ହୋଇପଡ଼ିଥିଲେ ବିଶ୍ବ ଐଶ୍ଚର୍ଯ୍ଯା । ବସ୍ତିରେ ରହି ଟାକ୍ସି ଚଳାଉଥିବା ବାପା ଆର୍ଯ୍ଯଭଟ୍ଟ ପାଣ୍ଡେଙ୍କ ପାଇଁ ସ୍ବପ୍ନ ପାଲଟିଯାଇଥିଲା ଝିଅର ଚିକିତ୍ସା । ହେଲେ ନବୀନ ଥାଉ ଥାଉ କ’ଣ ଗରିବ ଟିଏ ଚିକିତ୍ସାରୁ ବଞ୍ଚିତ ହୋଇଯିବ ? ଖବରକାଗଜରୁ ବିଶ୍ବ ଐଶ୍ଚର୍ଯ୍ଯାଙ୍କ ଅସୁସ୍ଥତା ଖବର ପଢି ମୁଖ୍ଯମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫ ଲକ୍ଷ ଟଙ୍କା ଦେଇଥିଲେ ନବୀନ । ଆଜି ନବୀନ ସିଏମ ପଦରେ ନାହାନ୍ତି । ଏକଥା ଜାଣି ବିଶ୍ବ ଐଶ୍ବର୍ଯ୍ୟାଙ୍କ ମନରେ ଢେରସାରା କ୍ଷୋଭ । ଆବେଗ ଭରା କଣ୍ଠରେ ସେ ପ୍ରଶ୍ନ କରିଛନ୍ତି, ମୁଁ ସିନା ଦୁନିଆକୁ ଦେଖିପାରୁନି, ହେଲେ ଓଡ଼ିଶାବାସୀ କ’ଣ ବିକାଶକୁ ଦେଖିପାରିଲେନି ?

ନବୀନ ଖାଲି ଜଣେ ନେତା ନୁହଁନ୍ତି, ସେ ପ୍ରତିଟି ଓଡ଼ିଆଙ୍କ ପାଇଁ ଆବେଗ । ସାଧାରଣ ଲୋକଙ୍କର ନେତା । କେତେ କେତେ ଗରିବଙ୍କ ଆଶାବାଡ଼ି ସାଜିଛନ୍ତି । ପୁଣି ରାଜନୀତିରେ ଜନସେବାର କାହାଣୀ ଲେଖିଛନ୍ତି । ସେଥିପାଇଁ ତ ଆଜି ବିଶ୍ବ ଐଶ୍ଚର୍ଯ୍ଯାଙ୍କ ଭଳି ଅନେକ ଝୁରୁଛନ୍ତି ଓ ନବୀନଙ୍କ ଇସ୍ତଫାରେ ଭାଙ୍ଗି ପଡ଼ିଛନ୍ତି ।