୧୫ କେଜି ସହ ୨୫ କିମି ପାଟ୍ରୋଲିଂ କରନ୍ତି C-60 ଫୋର୍ସ: ନାଁ ଶୁଣିଲେ ମାଓ ଗଡ଼ ହୁଏ ଥରହର

1 min read

ଗଡ଼ଚିରୋଲି: ମହାରାଷ୍ଟ୍ରର ଗଡ଼ଚିରୋଲିରେ ଗତକାଲି ସୁରକ୍ଷାବଳ ମାଓବାଦୀଙ୍କ ନରସଂହାର କରିଛନ୍ତି । ରକ୍ତରେ ହୋଲି ଖେଳୁଥିବା ଏହି ଜଙ୍ଗଲୀ ରାକ୍ଷସଙ୍କୁ ରକ୍ତରେ ଦିଆଯାଇଛି ଜବାବ । ସୁରକ୍ଷାବଳଙ୍କ ଗୁଳିରେ ନିପାତ ହୋଇଛନ୍ତି ୨୬ ନର ରାକ୍ଷସ । ଏହି ସ୍ପେଶାଲ ଅପରେସନକୁ ଶେଷ କରିଥିଲେ ମହାରାଷ୍ଟ୍ରର C-60 ଫୋର୍ସ । ଯାହାର ନାଁ ଶୁଣିଲେ ମାଓ ଶିବିରରେ ଆସିଥାଏ ଭୁମିକମ୍ପ । ଦୋହଲି ଯାଇଥାଏ ମାଓବାଦୀଙ୍କ ମନୋବଳ, ପ୍ରାଣ ବିକଳରେ ଜୀବନ ବଞ୍ଚାଇବାକୁ ଖୋଜିଥାନ୍ତି ରାସ୍ତା । ତେବେ କ’ଣ ଏହି C-60 ଫୋର୍ସ ? ଏତେ ଶକ୍ତିଶାଳୀ ଫୋର୍ସ କେମିତି ଗଠନ ହୁଏ ? କେମିତି ଦିଆଯାଏ ଟ୍ରେନିଂ ? କେଉଁମାନଙ୍କୁ ଦିଆଯାଏ ନିଯୁକ୍ତି ? କେଉଁଠି ହୋଇଥାଏ ଏମାନଙ୍କ ପ୍ରସ୍ତୁତି ? ଆସନ୍ତୁ ଜାଣିବା ମହାରାଷ୍ଟ୍ର ଗଡ଼ଚିରୋଲିର ଏହି C-60 ଫୋର୍ସ ସମ୍ପର୍କରେ ।

C-60 ଫୋର୍ସ ଓ ମାଓବାଦୀ ଚିର ଶତ୍ରୁ

C-60 ୟୁନିଟ ଓ ମାଓବାଦୀଙ୍କ ଲଢ଼େଇ କିଛି ନୂଆ କଥା ନୁହେଁ । ମାଓବାଦୀଙ୍କ ମୁକାବିଲା ଓ ନିପାତ ପାଇଁ ହିଁ ଗଡ଼ଚିରୋଲି ଜିଲ୍ଲା ପ୍ରଶାସନ ଗଠନ କରିଛି ଏହି ୟୁନିଟ୍ । ୨୦୧୮ରେ C-60 ୟୁନିଟ ୩୯ ମାଓବାଦୀଙ୍କୁ ନିପାତ କରିଥିଲେ । C-60 ୟୁନିଟର ୧୫ ଯବାନଙ୍କ ଜୀବନ ନେଇ ମାଓବାଦୀମାନେ ଏହାର ପ୍ରତିଶୋଧ ୨୦୧୯ରେ ନେଇଥିଲେ । ଗତକାଲି ପୁଣି ଥରେ ୨୬ ମାଓବାଦୀଙ୍କୁ ଗୁଳି କରି ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛି C-60 ୟୁନିଟ । ଛକାପଞ୍ଝା ଏମିତି ଯେ ମାଓବାଦୀ C-60 ୟୁନିଟକୁ ସେମାନଙ୍କର ସବୁଠାରୁ ବଡ଼ ଶତ୍ରୁ ଭାବିଥାନ୍ତି ।

କେବେ ହୋଇଥିଲା ସ୍ଥାପନା ?

ମାଓବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ୧୯୯୨ରେ C-60 ଫୋର୍ସ ସ୍ଥାପନ ହୋଇଥିଲା । ଏହି ପୋଲିସ ଫୋର୍ସରେ ୬୦ ଯବାନଙ୍କୁ ନିଆଯାଇଥାଏ । ତତ୍କାଳୀନ ଗଡ଼ଚିରୋଲି ଏପସି କେପି ରଘୁବଂଶୀ ଏହାର ସ୍ଥାପନ କରିଥିଲେ । ଏଥିରେ ସାମିଲ ପୋଲିସ ଅଧିକାରୀଙ୍କୁ ଗରିଲା ଯୁଦ୍ଧର ଟ୍ରେନିଂ ଦିଆଯାଇଥାଏ । ଜଙ୍ଗଲ ଭିତରେ ଏମାନେ ଲୁଚିଛପି ଯୁଦ୍ଧ କରିବାରେ ଧୁରନ୍ଦର । ଏମାନଙ୍କୁ ଟ୍ରେନିଂ ହାଇଦ୍ରାବାଦ, ବିହାର ଓ ନାଗପୁରରେ ଦିଆଯାଏ ।

ପିଠିରେ ଥାଏ ୧୫ କେଜିର ଭାର

C-60 ୟୁନିଟକୁ ମହାରାଷ୍ଟ୍ର ପୋଲିସର ସବୁଠାରୁ ଦକ୍ଷ ଫୋର୍ସ କୁହାଯାଇଥାଏ । ପ୍ରତିଦିନ ଗୁଇନ୍ଦା ସୂଚନାକୁ ଆଧାର କରି ଏମାନେ କାମ ଆରମ୍ଭ କରିଦିଅନ୍ତି ଓ ଆଖପାଖରେ ନିଜ ଟାର୍ଗେଟ ପୂରଣ କରିଥାନ୍ତି । C-60 ୟୁନିଟ ଯବାନ ନିଜ ସହ ୧୫ କେଜି ଓଜନର ଜିନିଷପତ୍ର ନେଇଥାନ୍ତି । ଏଥିରେ ଅସ୍ତ୍ରଶସ୍ତ୍ର, ଖାଇବା, ପାଣି, ଔଷଧ ଓ ଅନ୍ୟ ଜିନିଷ ଥାଏ ।

କେବଳ ଆଦିବାସୀ କମାଣ୍ଡର

C-60 ୟୁନିଟ ହେଉଛି ଦେଶର ଏକମାତ୍ର ପୋଲିସ ଫୋର୍ସ ଯାହା ଜିଲ୍ଲାସ୍ତରରେ ସ୍ଥାପନ ହୋଇଛି । ଏଥିପାଇଁ ଜିଲ୍ଲାର ଆଦିବାସୀ ଲୋକଙ୍କୁ କେବଳ ଏଥିରେ ସାମିଲ କରାଯାଇଥାଏ । କାରଣ, ମାଓବାଦୀଙ୍କ ପରି ସେମାନେ ମଧ୍ୟ ନିଜ ଅଞ୍ଚଳ ସମ୍ପର୍କରେ ସବୁକିଛି ଜାଣିଥାନ୍ତି । ଏହି କାରଣରୁ ଦୁର୍ଗମ ଅଞ୍ଚଳର ଗାଉଁଲି ଲୋକଙ୍କୁ ହିଁ କମାଣ୍ଡର ପଦରେ ନିଯୁକ୍ତି ମିଳିଥାଏ । ‘ବୀର ଭୋଗ୍ୟ ବଶୁଂଧରା’ ଏମାନଙ୍କ ଟ୍ୟାଗଲାଇନ୍ । ପ୍ରଥମେ ୧୫ଟି ଟିମକୁ ନେଇ ଆରମ୍ଭ ହୋଇଥିବା ୟୁନିଟ ଏବେ ବଢ଼ି ୨୪ରେ ପହଞ୍ଚିଛି । ପ୍ରତି ଟିମରେ ୬୦ ଯବାନଙ୍କୁ ନିଯୁକ୍ତି ମିଳିଥାଏ ।

ତେବେ ଏମିତି ସ୍ପେଶାଲ ଫୋର୍ସ ଗଠନ ଦେଶରେ ପ୍ରଥମ ନୁହେଁ । ତେଲେଙ୍ଗାନାର ଗ୍ରେହାଉଣ୍ଡ ଓ ଆନ୍ଧ୍ରପ୍ରଦେଶର ସ୍ପେଶାଲ ଅପରେସନ ଗ୍ରୁପ୍ (ଏସଓଜି) ମଧ୍ୟ ଅଛନ୍ତି । ହେଲେ ଏହି ଫୋର୍ସ ଜିଲ୍ଲାସ୍ତରରେ ନୁହେଁ, ରାଜ୍ୟସ୍ତରରେ ସ୍ଥାପନ ହୋଇଛି ।

କମାଣ୍ଡରଙ୍କ ନାଁରୁ ଜଣାଯାଏ ଟିମ୍

ଫୋର୍ସରେ ଆସିବାକୁ ଇଚ୍ଛୁକ ଆଶାୟୀଙ୍କୁ ବହୁ କଠିନ ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଯେଉଁଥିରୁ ସେମାନଙ୍କ ମାନିସିକ ଓ ଶାରୀରିକ କ୍ଷମତା ନିରିକ୍ଷଣ କରାଯାଇଥାଏ । ଏହା ଏମିତି ଏକମାତ୍ର ଫୋର୍ସ, ଯାଉଁଥିରେ ଟିମକୁ ତାଙ୍କ କମାଣ୍ଡରଙ୍କ ନାଁରେ ଜଣାଯାଇଥାଏ । C-60 ୟୁନିଟର ମୁଖିଆ ମଧ୍ୟ ଆଦିବାସୀ ହୋଇଥାନ୍ତି । ଫଳରେ ଯବାନମାନଙ୍କୁ କମାଣ୍ଡରଙ୍କ ସହ ଭାବ ବିନିମୟ ସହଜ ହୋଇଥାଏ ।

ଗ୍ୟାଜେଟ୍ ଚଲାଇବାରେ ଧୁରନ୍ଦର

ନୂଆ ନୂଆ ଅସ୍ତ୍ରଶସ୍ତ ଓ ଗ୍ୟାଜେଟ ଚଲାଇବାରେ C-60 ଫୋର୍ସର ଯବାନମାନେ ଧୁରନ୍ଦର । ଗୁପ୍ତ ସୂଚନା ସଂଗ୍ରହ କରିବାରେ ଏମାନେ ସିଦ୍ଧହସ୍ତ । ନିଜ ଅଞ୍ଚଳରେ ଏମାନଙ୍କୁ ପୋଷ୍ଟିଂ ଦିଆଯିବା କାରଣରୁ ନିଜ ସଂସ୍କୃତି, ନିଜ ଲୋକ ଓ ଭାଷାକୁ ଏମାନେ ନିଜର ବଡ ଅସ୍ତ୍ର କରିଥାନ୍ତି । ଏହାସହ ନକ୍ସଲ ପ୍ରବାଭିତ ଅଞ୍ଚଳର ସ୍ଥାନୀୟ ଲୋକେ ଏମାନଙ୍କୁ ଜାଣିଥାନ୍ତି । ଏହି କାରଣରୁ ଏମାନେ ବଡ଼ରୁ ବଡ଼ ଗୁପ୍ତତଥ୍ୟ ବାହାର କରିବାରେ ସମର୍ଥ ହୋଇଥାନ୍ତି ।

କେଉଁମାନେ ସାମିଲ ହୋଇଥାନ୍ତି ?

C-60 ଫୋର୍ସରେ ନିଜ ତରଫରୁ ଏଥିରେ ସାମିଲ ହୋଇଥାନ୍ତି ସ୍ଥାନୀୟ ଲୋକ । ବିଶେଷ କରି ମାଓବାଦୀଙ୍କ ଦମନର ଶିକାର ଲୋକେ, ମାଓବାଦୀଙ୍କ ଦ୍ବାରା ହତ୍ୟା କରାଯାଇଥିବା ଲୋକଙ୍କ ପରିଜନ ଏଥିରେ ସାମିଲ ହୋଇଥାନ୍ତି । ଏମାନଙ୍କ ପାଖରେ ମାଓବାଦୀଙ୍କ ବିରୋଧରେ ଲଢ଼ିବାକୁ ଓ ସେମାନଙ୍କୁ ନିପାତ କରି ନିଜ ପରିବାରକୁ ନ୍ୟାୟ ଦେବାକୁ ଥାଏ ଦୃଢ଼ ମନୋବଳ । ଏମାନେ ମାଓବାଦୀଙ୍କ ପରି ସ୍ଥାନୀୟ ଭାଷା ଯେମିତି  ଗୋଣ୍ଡି ଓ ମରାଠୀ କହିଥାନ୍ତି । ଏହି କାରଣରୁ ବେଳେ ବେଳେ ଏମାନେ ମାଓବାଦୀଙ୍କ ସହ ମିଶି ସେମାନଙ୍କ ପାଖରୁ ଗୁପ୍ତତଥ୍ୟ ବି ବାହାର କରିବାକୁ ସକ୍ଷମ ହୋଇଥାନ୍ତି ।

Leave a Reply