ତ୍ରିଶୂଳିଆ ବ୍ରିଜ ଉପରେ ସ୍କୁଟି ରଖି ଚାଳକ ନିଖୋଜ, କାଠଯୋଡ଼ି ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ !

କଟକ: ତ୍ରିଶୁଳିଆ ସୁବାଷ ସେତୁ ଉପରେ ସ୍କୁଟି ଓ ଚପଲ ରଖି ସ୍କୁଟି ଚାଳକ ନିଖୋଜ। କାଠଯୋଡ଼ି ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।  ସ୍କୁଟି ଚାଳକଙ୍କ ପରିଚୟ ମିଳିଛି। ସ୍କୁଟି ଚାଳକ ଜଣକ ହେଲେ କଟକ ନୂଆ ବଜାର ଅଞ୍ଚଳର ମମତା ସାହୁ ବୋଲି ଜଣାପଡିଛି। ସେ ଏକ ଘରୋଇ ସ୍କୁଲରେ ପଠା ପଢ଼ାନ୍ତି । ବୁଧବାର ସକାଳୁ ସେ ସ୍କୁଟି ନେଇ ଘରୁ ଆସିଥିଲେ ହେଲେ ଆଉ ଘରକୁ ଫେଟିନଥିଲେ । ପରିବାର ଲୋକେ ବହୁ ଖୋଜା ଖୋଜି କରିଥିବାବେଳେ ତାଙ୍କର କୌଣସି ସନ୍ଧାନ ପାଇନଥିଲେ ।

ସେପଟେ ସକାଳୁ ବହୁତ ସମୟ ଧରି ବ୍ରିଜ ଉପରେ ସ୍କୁଟି ଓ ଚପଲ ଏବଂ ସ୍କୁଟି ଚାବି ଲାଗିଥିବା ଦେଖି ସ୍ଥାନୀୟ ଲୋକେ ମର୍କତନଗର ଥାନାକୁ ଜଣାଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ପଚରା ଉଚରା କରିବା ସହ ଗାଡ଼ି ନମ୍ବର ଯାଞ୍ଚ କରିଥିଲା । ଯାଞ୍ଚ କରିବା ପରେ ସ୍କୁଟି ଚାଳକ ଜଣକ କଟକ ନୂଆ ବଜାର ବୋଲି ଜାଣିବାକୁ ପାଇ ପରିବାର ଲୋକଙ୍କୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପରିବାର ଲୋକେ ପହଞ୍ଚି ସ୍କୁଟି ଓ ଚପଲକୁ ଚିହ୍ନଟ କରିଥିବା ବେଳେ ପରିବାରରେ କୌଣସି ମାନମାଳିନ ନଥିବା କହିଛନ୍ତି ପରିବାର ଲୋକେ ।

ତେବେ ମମତା ସାହୁ କାଠଯୋଡ଼ି ନଦୀକୁ ଡେଇଁ ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ କେହି ଅପହରଣ କରିନେଇଛି ତାହା ଅସ୍ପଷ୍ଟ ରହିଛି । ମହିଳା ଜଣକ କାଠଯୋଡ଼ିକୁ ଡେଇଁ ପଡିଥିବା ସନ୍ଦେହ କରି ଅଗ୍ନିଶମ ବିଭାଗ ପକ୍ଷରୁ ସର୍ଚ୍ଚ ଅପରେଶନ ଜାରି ରହିଛି ।