ତାଜମହଲ, କିଛି ଜଣା କିଛି ଅଜଣା

ଆଗ୍ରା: ତାଜମହଲ । ବିଶ୍ବର ଆଶ୍ଚର୍ଯ୍ୟ କିର୍ତ୍ତି ମଧ୍ୟରୁ ଅନ୍ୟତମ । ତାଜର ଗୋଟିଏ ଝଲକ ପାଇବାକୁ ଓ ସମ୍ମୁଖରେ ଛିଡ଼ା ହୋଇ ଫଟୋଟିଏ ଉଠାଇବାକୁ ଦେଶ ବିଦେଶରୁ ଧାଇଁ ଆସିଥାନ୍ତି ଲକ୍ଷ ଲକ୍ଷ ପର୍ଯ୍ୟଟକ । ଧଳା ପଥରରେ ନିର୍ମୀତ ତାଜମହଲର ଅପରୂପ ସୌନ୍ଦର୍ଯ୍ୟ ବିଭୋର କରି ଦିଏ ଦେଖଣାହାରୀଙ୍କ ମନ । ତାଜକୁ କିଏ କହେ ପ୍ରେମର ପ୍ରତୀକ ତ କିଏ କହେ ମହିଳାଙ୍କ ହୃଦୟର ରାଣୀ । ନାରୀଙ୍କ ସହ ଜୋଡ଼ି ତାଜମହଲକୁ ନେଇ ଏମିତି ବହୁତ କଥା କୁହାଯାଇଥାଏ । ଯମୁନା ନଦୀ କୂଳରେ ଥିବା ତାଜମହଲକୁ ନେଇ ଆପଣ ବହୁତ କିଛି ଜାଣିଥିବେ । ତାଜମହଲକୁ ନେଇ ଆଜି ଏଠାରେ ଆମେ ଏମିତି କିଛି କହିବାକୁ ଚାହୁଁଛୁ ହୁଏତ ଆପଣ ଜାଣିନଥିବେ ।

ପ୍ରେମର ପ୍ରତୀକ ତାଜ

ତାଜମହଲକୁ କୁହାଯାଏ ପ୍ରେମର ପ୍ରତୀକ । ମହିଳାଙ୍କ ହୃଦୟର ରାଣୀ । ଆଉ କିଏ କହେ ବିଶ୍ବର ସବୁଠାରୁ ସୁନ୍ଦର ମହଲ । ମୋଗଲ ବାଦଶାହା ଶାହାଜାହାନ ପତ୍ନୀ ମୁମତାଜଙ୍କ ସ୍ମୃତିରେ ବନାଇଛନ୍ତି ତାଜମହଲ । ୧୬୩୧ରେ ୧୪ତମ ପିଲାକୁ ଜନ୍ମ ଦେବା ବେଳେ ମୁମତାଜଙ୍କ ମୃତ୍ୟୁ ଘଟିଥିଲା । ମୁମତାଜଙ୍କ ସ୍ମୃତିରେ ୧୬୩୨ରେ ଶାହାଜାହାନ ଏହାର ନିର୍ମାଣ ଆରମ୍ଭ କରିଥିଲେ ।

ନଷ୍ଟ ହୁଏନି ତାଜମହଲ

ଶହ ଶହ ବର୍ଷ ହେଲା ଛିଡ଼ା ହୋଇ ପୀଡ଼ି ପରେ ପୀଡ଼ି ଲୋକଙ୍କ ହୃଦୟରେ ରାଜ୍ କରୁଥିବା ତାଜମହଲର କେବେ କିଛି କ୍ଷତି ହୋଇନଥାଏ । ଏମିତି କାହିଁକି ହୋଇଥାଏ ତାହା ଏପର୍ଯ୍ୟନ୍ତ ରହସ୍ୟରେ ରହିଛି । ନିର୍ମାଣ ଶୈଳୀ ନା ଅନ୍ୟ କିଛି କାରଣ ତାହା ସ୍ପଷ୍ଟ ନଥିଲେ ବି କେହି କେହି କୁହନ୍ତି, ଯମୁନା ନଦୀ କୂଳରେ ଯଦି ତାଜ ନଥାନ୍ତା ତେବେ କେବେଠାରୁ ନଷ୍ଟ ହୋଇ ସାରନ୍ତାନି । ଏମିତି ମତ ରଖୁଥିବା ଲୋକ କୁହନ୍ତି ଯେହେତୁ ତାଜମହଲର ମୂଳଦୁଆ କାଠରେ ତିଆରି, ଏତେଦିନ ଏହା ସୁରକ୍ଷିତ ରହିବା ଅସମ୍ଭବ । ଏହା କେବଳ ସମ୍ଭବ ହୋଇ ପାରିଛି ଯମୁନା ନଦୀ ପାଇଁ । ନଦୀ ପାଣିର ଆଦ୍ରତା କାଠକୁ ଅଧିକ ମଜଭୁତ କରିଥାଏ ।

ବିକ୍ରି ହୋଇ ଯାଇଥିଲା ତାଜମହଲ

ଜାଣିଛନ୍ତି କି ତାଜମହଲ ବିକ୍ରି ହୋଇ ଯାଇଥିଲା । ଏବେ ଭାବୁଥିବେ ବିଶ୍ବ ଧରୋହରକୁ କାହିଁକି ଭାରତ ସରକାର ବିକ୍ରି କରିଦେଲେ । ନାଇଁ ନାଇଁ ଭାରତ ସରକାର ନୁହେଁ, ଭାରତର ମୋଷ୍ଟ ଓ୍ବାଣ୍ଟେଡ୍ ଠକ ନଟବରଲାଲର ଏହା କରାମତି । ଥରେ ନୁହେଁ କି ଦୁଇ ଥର ନୁହେଁ, ୩ ଥର ତାଜମହଲକୁ ବିକ୍ରି କରି ଦେଇଥିଲା ବିହାର ବାସିନ୍ଦା ନଟବରଲାଲ ଓରଫ ମିଥିଲେଶ କୁମାର । ଏ ମହାଶୟ କେବଳ ତାଜମହଲ ନୁହେଁ ଲାଲକିଲ୍ଲା ଓ ରାଷ୍ଟ୍ରପତି ଭବନକୁ ବି ବିକ୍ରି କରି ଦେଇଥିଲେ । ପେଶାରେ ଓକିଲ ନଟବରଲାଲ ପ୍ରଥମ ଚୋରି ବ୍ୟାଙ୍କରେ କରିଥିଲେ । ପଡୋଶୀଙ୍କ ଦସ୍ତଖତକୁ ଜାଲିଆତି କରି ତାଙ୍କ ବ୍ୟାଙ୍କ ଖାତାରୁ ୧୦୦୦ ଟଙ୍କା ଉଠାଇ ନେଇଥିଲେ ।

ଏକାଧିକ ବାସ୍ତୁକଳାର ମିଶ୍ରଣ

ଏକାଧିକ ବାସ୍ତୁକଳାର ମିଶ୍ରଣ ତାଜମହଲକୁ କରିଛି ସୁନ୍ଦର ଓ ମନୋରମ । ଭାରତୀୟ, ଇସଲାମ ଓ ଫାର୍ସୀ ବାସ୍ତୁକଳା ମିଶ୍ରଣର ଏକ ସୁନ୍ଦର ସୃଷ୍ଟି ହେଉଛି ତାଜ । ଓସ୍ତାଦ ଅହମଦ ଲାହୋରୀ ଏହାର ବାସ୍ତୁକାର । ସେ ଫାର୍ସୀ ଥିଲେ । ସେ ସମୟରେ ତାଜମହଲ ନିର୍ମାଣ ପାଇଁ ୩୨ ମିଲିୟନ ଟଙ୍କା ଖର୍ଚ୍ଚ ହୋଇଥିଲା । ବର୍ତ୍ତମାନ ଏହାର ମୂଏ୍ୟ ୫୨. ୮ ବିଲିୟନ ଟଙ୍କା ହେବ । ଏହାକୁ ନିର୍ମାଣ ପାଇଁ ମକରାନା, ରାଜସ୍ଥାନ, ପଞ୍ଜାବ ଓ ଚୀନରୁ ଧଳା ପଥର ଅଣାଯାଇଥିଲା । ଏହାସହ ତିବ୍ଦତର ଫଇରୋଜା, ଆଫଗାନୀସ୍ଥାନର ଲିପିସ ଲାଜୁଲୀ, ଶ୍ରୀଲଙ୍କାର ନୀଲମ ଓ ଆରବର କାରେଲିୟନ ପଥର ଏଥିରେ ବ୍ୟବହୃତ ହୋଇଛି । ଏଥିରେ ୨୮ ପ୍ରକାରର ବହୁମୂଲ୍ୟ ଶଙ୍ଖ ମଲମଲ ପଥର ଲାଗିଛି ।

୨୦ ହଜାର ଶ୍ରମିକଙ୍କ ଫଳ

ତାଜକୁ ନିର୍ମାଣ କରିବାକୁ ୨୦ ହଜାର ଶ୍ରମିକ ଲାଗିଥିଲେ । ଭାରତ, ପ୍ୟାରିସ, ତୁର୍କୀ ସାମ୍ରାଜ୍ୟ ଓ ୟୁରୋପର ଶ୍ରମିକ ନିୟୋଜିତ ହୋଇଥିଲେ । ଜିନିଷ ନବାଆଣିବା ପାଇଁ ୧୦୦୦ ହାତୀ ମଧ୍ୟ କାମରେ ଲାଗିଥିଲେ ।

ରଙ୍ଗ ବଦଳାଇଥାଲ ତାଜମହଲ

କୁହାଯାଏ ଦିନ ବଢ଼ିବା ସହ ତାଜମହଲର ରଙ୍ଗ ବି ବଦଳି ଥାଏ । ପ୍ରଥମେ ଧୂସର ଓ ପରେ ହଳଦିଆ ଦିଶେ । ଏହାପରେ ଏହା ଧଳା ଦିଶିଥାଏ । ଏପରିବି କଥା ରହିଛି, ମୁମତାଜଙ୍କ ଭାବନା ଅନୁସାରେ ତାଜର ରଙ୍ଗ ବଦଳିଥାଏ ।

ଶ୍ରମିକଙ୍କ ରକ୍ତର ପ୍ରତୀକ

୪୨ ଏକର ଜମିରେ ଛିଡ଼ା ହୋଇଛି ବିଶ୍ବର ଏହି ଅଦ୍ବିତୀୟ ଆଶ୍ଚର୍ଯ୍ୟ । ମୁଖ୍ୟ ଗମ୍ବୁଜରର ଉଚ୍ଚତା ୨୪୦ ଫୁଟ ହୋଇଥିବା ବେଳେ ଚାରମିନାରର ଉଚ୍ଚତା ୧୩୦ ଫୁଟ । ୨୦ ମହଲା ଉଚ୍ଚ କୋଠା ସହ ଏହାର ଉଚ୍ଚତା ସମାନ । କୁହାଯାଏ, ଏମିତି ବାସ୍ତୁକଳା ଭବିଷ୍ୟତରେ ଯେମିତି ଆଉ ନହେବ ସେଥିପାଇଁ ଶାହାଜାହାନ ସବୁ ଶ୍ରମିକଙ୍କ ହାତ କାଟି ଦେଇଥିଲେ । ଏହାର ଚାରିପାଖେ ଆଲ୍ଲାଙ୍କ ୯୯ଟି ନାଁ ଲେଖା ହୋଇଛି ।

କଳା ତାଜମହଲ

ଶାହାଜାହାନ ମୁମତାଜଙ୍କ ପାଇଁ ଧଳା ରଙ୍ଗର ତାଜମହଲ ନିର୍ମାଣ କରିଥିବା ବେଳେ ନିଜ ପାଇଁ ଏକ କଳାରଙ୍ଗର ଏମିତି ମୁକବରା ନିର୍ମାଣ କରିବାକୁ ଚାହିଁଥିଲେ । ହେଲେ ତାଙ୍କର ଏହି ଇଚ୍ଛା ପୂରଣ ହୋଇ ପାରି ନଥିଲା । ତାଙ୍କ ମୃତ୍ୟୁ ପରେ ମୁମତାଜ ମହଲରେ ତାଙ୍କୁ କବର ଦିଆଯାଇଥିଲା ।

ମୂଲ୍ୟବାନ ପଥର ଗାଏବ

ତାଜମହଲରୁ ବହୁ ମୂଲ୍ୟବାନ ପଥର ଗାଏବ ହୋଇ ଯାଇଛି । କୁହାଯାଏ ୧୮୫୭ ବିଦ୍ରୋହ ସମୟରେ ଇଂରେଜମାନେ ଏଥିରେ ଲାଗିଥିବା ବହୁ ମୂଲ୍ୟବାନ ପଥର କାଢ଼ି ନେଇଥିଲେ ।

ବାହାରକୁ ଢଳି ରହିଛି

୧୩୦ ଫୁଟ ଉଚ୍ଚା ୪ଟି ସ୍ତମ୍ଭ ତାଜମହଲର ମୁଖ୍ୟ ଗମ୍ବୁଜକୁ ଘେରି ରହିଛି । ଏହା ଜମିରୁ ୯୦ ଡିଗ୍ରୀ ଛିଡ଼ା ନହୋଇ ବାହାରକୁ ଢଳି ରହିଛନ୍ତି ।  ଏପରି ନିର୍ମାଣ କରାଯିବାର କାରଣ ହେଉଛି ଯଦି ଭୂମିକମ୍ପ ହୁଏ ଏହା ଯେମିତି ଦୂରରେ ପଡ଼ିବ ।

Leave a Reply