ଗାଁ ଗାଁରେ ଗାଈଗୋରୁଙ୍କୁ ବ୍ୟାପୁଛି ଅଜଣା ରୋଗ

ଭୁବନେଶ୍ୱର: ଗାଈଗୋରୁଙ୍କୁ ଅଜଣା ରୋଗ । ଗୋପାଳକଙ୍କୁ ଘାରିଲାଣି ଚିନ୍ତା । ଗାଁ’କୁ ଗାଁ ରୋଗ ବ୍ୟାପୁଛି। ପୁରୀ ଜିଲ୍ଲା ପିପିଲି ଅଞ୍ଚଳରେ ବହୁ ଗାଈଗୋରୁଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସଂକ୍ରମିତ ପଶୁଙ୍କ ଶରୀରର ବିଭିନ୍ନ ସ୍ଥାନ ଫୁଲିବା ସହ ଚର୍ମରେ ଗଣ୍ଠି ପଡ଼ିବା ଭଳି ଦିଶୁଛି ଓ ଘାଆ ହେଉଛି । ଏହି ରୋଗର ଚିକିତ୍ସା ପାଇଁ ଔଷଧ ବାହାରି ନଥିବା କୁହାଯାଉଛି । ଗୋପାଳକମାନେ ପ୍ରାଣୀ ଚିକିତ୍ସକଙ୍କ ପରାମର୍ଶରେ ଔଷଧ ଦେଇ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି । ଆକ୍ରାନ୍ତ ପଶୁଙ୍କ ଘାଆ, ରକ୍ତ ଓ ଲାଳ ଦ୍ଵାରା ଅନ୍ୟ ପଶୁକୁ ରୋଗ ବ୍ୟାପୁଛି ।

ପିପିଲି ବ୍ଲକ ଓ ଏନଏଏସିର ବିଭିନ୍ନ ଗାଁରେ ଗାଈଗୋରୁ ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଉଛନ୍ତି । ଗାଈଙ୍କ କ୍ଷୀର କମି ଯାଉଛି । ପଶୁସମ୍ପଦ ବିଭାଗ ପକ୍ଷରୁ ଔଷଧ ଯୋଗାଇଦେବା  ସହିତ ନିମ୍ବ ଓ ହଳଦୀ ଲଗାଇବା ପାଇଁ ପରାମର୍ଶ ଦିଆଯାଇଛି । ଆକ୍ରାନ୍ତ ହୋଇ ନଥିବା ଗାଈଗୋରୁଙ୍କୁ ପ୍ରତିଷେଧକ ଟିକା ଦିଆଯାଉଥିବା ପ୍ରାଣୀ ଚିକିତ୍ସା ଅଧିକାରୀ କହିଛନ୍ତି ।

ଅଜଣା ରୋଗରେ ଗାଈଗୋରୁଙ୍କ ମୃତ୍ୟୁ ହେଉଥିବାରୁ ଋଣ କରି ଗାଈ କିଣିଥିବା ଗୋପାଳକ କିପରି ଋଣ ଶୁଝିବେ, ସେହି ଚିନ୍ତାରେ ପଡ଼ିଛନ୍ତି ।