କେନ୍ଦ୍ରାପଡ଼ାରେ ଅଜଣା ଜନ୍ତୁ ଆକ୍ରମଣରେ ୮ ମେଣ୍ଢା ମୃତ୍ୟୁ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା କଳାଗଡ଼ ଗାଁରେ ଅଜଣା ଜନ୍ତୁ ଆତଙ୍କ । ଅଜଣା ଜନ୍ତୁ ଆକ୍ରମଣରେ ପୁଣି ୮ଟି ମେଣ୍ଢାଙ୍କ ମୃତ୍ୟୁ ହୋଇଥିବା ବେଳେ, ୮ ମେଣ୍ଢା ଗୁରୁତର ଅଛନ୍ତି । ଗାଁର ମହନି ଦାସ ପ୍ରାୟ ୮୦ଟି ମେଣ୍ଢା ପାଳିଥିଲେ । ଗତ ଶନିବାର ବିଳମ୍ବିତ ରାତିରେ ମହନି ଦାସଙ୍କ ଗୁହାଳରେ ଅଜଣା ଜନ୍ତୁ ପଶି ୩୫ଟି ମେଣ୍ଢା ମାରି ଦେଇଥିଲା । ରାତି ଅନିଦ୍ରା ହୋଇ ପରିବାର ଲୋକ ଜଗିଥିଲେ । ହେଲେ ଗତକାଲି ରାତିରେ ପୁଣି ଅଜଣା ଜନ୍ତୁ ଗୁହାଳେ ପଶି ୬ଟି ଛୁଆ ମେଣ୍ଢା ଓ ୨ଟି ବଡ ମେଣ୍ଢାକୁ ମାରି ଦେଇଛି । ୮ଟି ମେଣ୍ଢା ମରିବା ସହିତ ଆଉ ୮ଟି ମେଣ୍ଢା ଗୁରୁତର ଅବସ୍ଥାରେ ଅଛନ୍ତି ।

ଅଜଣା ଜନ୍ତୁ ପାଇଁ ଏବେ କଳାଗଡ଼ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି । ଗାଁରେ ଛୋଟ ଛୋଟ ପିଲା ବୁଲାବୁଲି କରୁଛନ୍ତି । ସେମାନେ ବି ଅଜଣା ଜନ୍ତୁ ଆକ୍ରମଣର ଶିକାର ହୋଇପାରନ୍ତି ବୋଲି ଲୋକ ଆଶଙ୍କା ପ୍ରକାଶ କରିଛନ୍ତି । ଅଜଣା ଜନ୍ତୁକୁ ଧରିବାକୁ ବନ ବିଭାଗ କ୍ୟାମେରା ଲଗାଉ ବୋଲି ଲୋକ ଦାବି କରିଛନ୍ତି ।