ଯବାନରୁ କେମିତି ପାଇଲଟ ବାବା ବନିଗଲେ କପିଲ ସିଂ ?

1 min read

ହରିଦ୍ବାର:  ଭକ୍ତି ଓ ବିଶ୍ବାସ ମୂଳେ ଭଗବାନ । ପୌରାଣିକ ଯୁଗରେ ଅନେକ ଯୋଗ ଗୁରୁ, ଆଧ୍ୟାତ୍ମିକ ଗୁରୁଙ୍କ କଥା ଶୁଣିଥିବେ । ସେମାନଙ୍କ ସାଧନା, ଜନସେବା ଓ ଆଧ୍ୟାତ୍ମିକ ଗୁଣ ଲୋକଙ୍କୁ ପ୍ରଭାବିତ କରିଥାଏ । ସେହିପରି ଜଣେ ଆଧ୍ୟାତ୍ମିକ ଗୁରୁ ହେଉଛନ୍ତି ପାଇଲଟ୍ ବାବା । ଯବାନ ଭାବେ ଦେଶ ସେବାରେ ଦିନେ ନିଜକୁ ନିୟୋଜିତ କରିଥିଲେ । ଆଜି ସେ ଜଣେ ଆଧ୍ଯାତ୍ମିକ ଗୁରୁ । ଆସନ୍ତୁ, ଜାଣିବା ଦେଶ ସେବାରୁ ପାଇଲଟ ବାବା ହେବା ପଛର କାରଣ ।

ହରିଦ୍ଵାରର ପାବନ ଧାମ ତଥା ଏହି ଦେବଭୂମି ଗଙ୍ଗାଧାମରେ ରହିଛି ପାଇଲଟ୍ ବାବାଙ୍କ ଆଶ୍ରମ । ଗଙ୍ଗା ନଦୀ ମୁଖ୍ୟ ଘାଟରୁ ମାତ୍ର ୪ କିଲୋମିଟର ଦୂରରେ ବାବାଙ୍କ ଆଶ୍ରମ । ଆଶ୍ରମ ଭିତରେ ପ୍ରବେଶ କଲେ ମିଳିଥାଏ ଦିବ୍ଯ ଅନୁଭୂତି । ମନ୍ଦିର ଭିତରେ ରହିଛି ୧୦୫ କେଜି ଚାନ୍ଦୀରେ ନିର୍ମିତ ଶିବ ଲିଙ୍ଗ । ଏହି ଲିଙ୍ଗରେ ସାଧାରଣ ଲୋକେ କରିପାରିବେ ଜଳାଭିଷେକ । ମନ୍ଦିର କଡରେ ରହିଛି ବୁଦ୍ଧଙ୍କ ମୂର୍ତ୍ତି । ଏଥିସହ ଭାରତ ମାତା, ରାଣୀ ଲକ୍ଷ୍ମିବାଈ, ସମୁଦ୍ର ମନ୍ଥନ, ଦାଣ୍ଡି ଯାତ୍ରା, ଅର୍ଦ୍ଧ ନାଗେଶ୍ଵର ଭଳି ବିଭିନ୍ନ ପ୍ରକାର ମୂର୍ତ୍ତି ରହିଛି । ମନ୍ଦିର ତଥା ଆଶ୍ରମରେ ସ୍ଥାନ ପାଇଛି ବିଶାଳ ମହାଦେବଙ୍କ ପ୍ରତୀମା । ଯାହାର ଉଚ୍ଚତା ୧୦୮ ଫୁଟ ।

ପାଇଲଟ୍ ବାବା ଜଣେ ଜଣାଶୁଣା ଭାରତୀୟ ଆଧ୍ୟାତ୍ମିକ ଗୁରୁ । ଯିଏ ପୂର୍ବରୁ ୱିଙ୍ଗ୍ କମାଣ୍ଡର କପିଲ ସିଂ ରୂପେ ପରିଚିତ ଥିଲେ । ଭାରତୀୟ ବାୟୁସେନାର ଯୁଦ୍ଧ ବିମାନର ଜଣେ ଦକ୍ଷ ପାଇଲଟ୍ ରୂପେ କାମ କରୁଥିଲେ ସେ । କପିଲ ସିଂ ୧୯୫୭ ମସିହାରେ ପାଇଲଟ ଭାବରେ ଭାରତୀୟ ବାୟୁସେନାରେ ନିଯୁକ୍ତି ପାଇଥିଲେ । ୧୯୬୨ ମସିହାରେ ହୋଇଥିବା ଭାରତ-ଚୀନ୍ ଯୁଦ୍ଧ, ୧୯୬୫ ଓ ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧରେ ମଧ୍ୟ ସାମିଲ ହୋଇଥିଲେ । ୧୯୬୨ ଭାରତ-ଚୀନ୍ ଯୁଦ୍ଧ ସମୟରେ କପିଲ ସିଂ ଭାରତର ଉତ୍ତର-ପୂର୍ବ ଦିଗରେ NEFA ନାମରେ ଏକ MIG ବିମାନ ଉଡାଉଥିଲେ । ଏହି ସମୟରେ ତାଙ୍କ ବିମାନ ନିୟନ୍ତ୍ରଣ ହରାଇଥିଲା । ଏହି ଘଟଣାରେ ରାଡାର ସହ ବିମାନ ଚଳାଚଳ ରେଡିଓ ସହ ଯୋଗାଯୋଗ ନଷ୍ଟ ହୋଇଯାଇଥିଲା । ଏହି ଗୋଟିଏ ଘଟଣା ତାଙ୍କ ଜୀବନର ମୋଡ ବଦଳାଇ ଦେଇଥିଲା । ୩୩ ବର୍ଷ ବୟସରେ ବାୟୁସେନାରୁ ଅବସର ନେଇ ଆଧ୍ୟାତ୍ମିକ ଜୀବନ ଯାପନ କରିବା ପାଇଁ ସ୍ଥିର କରିଥିଲେ କପିଲ । ଏବେ ବାର୍ଦ୍ଧକ୍ୟ ଯୋଗୁଁ ସେ ନିଜ ଘର ଦିଲ୍ଲୀରେ ଶଯ୍ୟାସାୟୀ । କିନ୍ତୁ, ତାଙ୍କ ଦ୍ବାରା ପ୍ରତିଷ୍ଠା କରାଯାଇଥିବା ମନ୍ଦିର ଶହ ଶହ ଶ୍ରଦ୍ଧାଳୁଙ୍କ ଆସ୍ଥାସ୍ଥଳୀ ପାଲଟିଛି ।