ବିଶ୍ୱବିଦ୍ୟାଳୟ ପେନ୍‍ସନଧାରୀଙ୍କ ପେନସନ୍‍ ଅଟକିବ ନାହିଁ, ଭିତ୍ତିହୀନ ଆରୋପ ଲଗାଉଛନ୍ତି ଲେଖାଶ୍ରୀ: ବିଜେଡି

ଭୁବନେଶ୍ୱର: ବିଶ୍ୱବିଦ୍ୟାଳୟ ପେନ୍‍ସନଧାରୀଙ୍କ ପେନସନ୍‍ ଅଟକାଇବା ପାଇଁ ରାଜ୍ୟ ସରକାରଙ୍କ ପତ୍ରରେ କୌଣସି ଉଲ୍ଲେଖ କରଯାଇନାହିଁ । ସେମାନେ ପୂର୍ବଭଳି ପେନ୍‍ସନ ପାଇ ଚାଲିବେ । ପେନ୍‍ସନ୍‍ ପାଇବା ସଂକ୍ରାନ୍ତରେ ବିଜେପି ନେତ୍ରୀ ଯେଉଁ ଆରୋପ ଲଗାଉଛନ୍ତି ତାହା ଭିତ୍ତିହୀନ ଓ କପୋଳ କଳ୍ପିତ । ସରକାରଙ୍କ ବିରୁଦ୍ଧରେ ବିନା କୌଣସି ତଥ୍ୟରେ ମିଥ୍ୟା ଆରୋପ ଲଗାଇବାରେ ଲେଖାଶ୍ରୀ ସିଦ୍ଧହସ୍ତା ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ।

ବିଜେପି ନେତ୍ରୀଙ୍କୁ ଜବାବ ଦେଇ ଶ୍ରୀ ମହାନ୍ତି କହିଛନ୍ତି, ବିଶ୍ୱବିଦ୍ୟାଳୟ ପେନ୍‍ସନଧାରୀମାନଙ୍କ ଲାଇଫ୍‍ ସାର୍ଟିଫିକେଟର ଯାଞ୍ଚ ସେମାନେ ପେନ୍‍ସନ ଉଠାଉଥିବା ବ୍ୟାଙ୍କ କର୍ତ୍ତୃପକ୍ଷ ପ୍ରତିବର୍ଷ କରିଥାନ୍ତି । ଏଭଳି ପେନସନଧାରୀଙ୍କ ପାଇଁ କୌଣସି ଯାଞ୍ଚର ଆବଶ୍ୟକତା ନାହିଁ । ପେନ୍‍ସନଧାରୀମାନେ ଅତି ସହଜରେ ଏ ସଂକ୍ରାନ୍ତରେ ବିଭାଗକୁ ଅବଗତ କରିପାରିବେ । ବିଭାଗ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମା କେବଳ ସେହିମାନଙ୍କ ପାଇଁ ଉଦ୍ଦିଷ୍ଟ ଯେଉଁମାନଙ୍କ ଲାଇଫ୍‍ ସାର୍ଟିଫିକେଟ ବିଶ୍ୱବିଦ୍ୟାଳୟ ଦ୍ୱାରା ଯାଞ୍ଚ ହୋଇଥାଏ, ବ୍ୟାଙ୍କ୍‍ ଦ୍ୱାରା ନୁହେଁ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ସେ କହିଛନ୍ତି ଯେ ବିଶ୍ୱବିଦ୍ୟାଳୟ ପେନ୍‍ସନଧାରୀମାନଙ୍କ ଯାଞ୍ଚ ପାଇଁ ଭର୍ଚୁଆଲ ବ୍ୟବସ୍ଥା ହୋଇଛି । ଯେଉଁମାନେ ବ୍ୟକ୍ତିଗତ ଭାବେ ଆସିନପାରିବେ ସେମାନେ ଭର୍ଚୁଆଲରେ ଉପସ୍ଥିତ ରହିବେ । ତେବେ ଯାଞ୍ଚ ଶେଷ ହେବା ପର୍ଯ୍ୟନ୍ତ ପେନ୍‍ସନ ଅଟକାଇବା ପାଇଁ ସରକାର କୌଣସି ଠାରେ ଉଲ୍ଲେଖ କରିନାହାନ୍ତି । ପେନ୍‍ସନ ପ୍ରଦାନ ପୂର୍ବଭଳି ଜାରି ରହିବ । ଅନ୍ୟ ପକ୍ଷରେ ଯେଉଁଠାରେ ଯାଞ୍ଚ ବିଫଳ ହେବ ସେଠାରେ ପେନ୍‍ସନ ବନ୍ଦ କିମ୍ବା ଅଟକ ରଖାଯିବ । ସରକାରଙ୍କର ଏହି ନିର୍ଦ୍ଦେଶକୁ ଠିକ୍‍ ଭାବେ ନବୁଝି କେବଳ ରାଜନୀତି କରିବା ପାଇଁ ବିଜେପି ନେତ୍ରୀ ଯେଭଳି କିମ୍ଭୁତ କିମ୍ଭାକାର ଆରୋପ ଲଗାଉଛନ୍ତି ସେଥିରୁ କ୍ଷାନ୍ତ ରହିବାକୁ ଶ୍ରୀ ମହାନ୍ତି ପରାମର୍ଶ ଦେଇଛନ୍ତି ।

Leave a Reply