ଟ୍ରମ୍ପ ଶପଥ ନେବା ପୂର୍ବରୁ ବିଦେଶୀ ଛାତ୍ରଛାତ୍ରୀ ଓ ଷ୍ଟାଫଙ୍କୁ ଫେରି ଆସିବାକୁ ନିର୍ଦ୍ଦେଶ

ଓ୍ବାସିଂଟନ: ଆମେରିକାର ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ଶପଥ ନେବା ପରେ ଜାନୁଆରୀରେ ଲାଗୁ ହୋଇପାରେ ଟ୍ରାଭେଲ ବ୍ୟାନ୍ ନିର୍ଦ୍ଦେଶ । ଏହା ପୂର୍ବରୁ ଆମେରିକାକୁ ଫେରି ଆସିବାକୁ ବିଦେଶୀ ଛାତ୍ରଛାତ୍ରୀ ଓ ଷ୍ଟାଫଙ୍କୁ ଆମେରିକାର ବହୁ ବିଶ୍ବବିଦ୍ୟାଳୟ ନିର୍ଦ୍ଦେଶ ଦେଇଛନ୍ତି ।

ଆସନ୍ତା ଜାନୁଆରୀ ୨୦ରେ ଟ୍ରମ୍ପ ରାଷ୍ଟ୍ରପତି ଭାବେ ଶପଥ ନେବେ । ୪୭ତମ ରାଷ୍ଟ୍ରପତି ଭାବେ କାର୍ଯ୍ୟଭାର ଗ୍ରହଣ କରିବା ମାତ୍ରେ ଅର୍ଥନୀତି, ଇମିଗ୍ରେସନ ସମ୍ପର୍କିତ କେତେକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶନାମା ଜାରି କରିବାର ସମ୍ଭାବନା ଥିବାରୁ ବିଶ୍ବବିଦ୍ୟାଳୟଗୁଡିକ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

ଆମେରିକାର ଶିକ୍ଷା ଓ ସଂସ୍କୃତି ବ୍ଯାପାର ବ୍ୟୁରୋ ଓ ଅନ୍ତର୍ଜାତୀୟ ଶିକ୍ଷା ପ୍ରତିଷ୍ଠାନର ସୂଚନା ଅନୁସାରେ ଆମେରିକାରେ ଯେତିକି ବିଦେଶୀ ଛାତ୍ରଛାତ୍ରୀ ଅଛନ୍ତ ସେମାନଙ୍କ ମଧ୍ୟରୁ ଚୀନ ଓ ଭାରତୀୟ ଛାତ୍ରଛାତ୍ରୀଙ୍କ ସଂଖ୍ଯା ୫୪ ପ୍ରତିଶତ । ୨୦୦୯ରେ ଭାରତୀୟ ଛାତ୍ରଛାତ୍ରୀଙ୍କ ସଂଖ୍ଯା ୩ ଲକ୍ଷ ୩୧ ହଜାର ହୋଇଥିବାବେଳେ ବର୍ତ୍ତମାନ ସେହି ସଂଖ୍ଯା ୨୩ ପ୍ରତିଶତ ବୃଦ୍ଧି ପାଇଛି । ବିଦେଶୀ ଛାତ୍ରଛାତ୍ରୀମାନେ ଆମେରିକା ଦୂତାବାସ କିମ୍ବା କନସୁଲେଟ ନିକଟରେ ନୂଆ ଏଣ୍ଟ୍ରି ଭିସା ଆବେଦନ କରିବା ଲାଗି ପରାମର୍ଶ ଦିଆଯାଇଛି ।

ନିଜର ପ୍ରଥମ ପାଳିରେ ୨୦୧୭ ଜାନୁଆରୀରେ ଟ୍ରମ୍ପ ଏକ ଗୁରୁତ୍ବପୂର୍ଣ୍ଣ ନିଷେଧାଦେଶ ଜାରି କରିଥିଲେ । ମୁସଲିମ ବହୁଳ ଇରାକ, ସିରିଆ, ଇରାନ, ଲିବ୍ଯା, ସୋମାଲିଆ, ସୁଡାନ ଓ ୟେମନର ନାଗରିକଙ୍କ ଉପରେ ନିଷେଧାଦେଶ ଜାରି କରିଥିଲେ ଟ୍ରମ୍ପ । ଟ୍ରମ୍ପଙ୍କ ଏହି ଘୋଷଣାନାମାକୁ ନେଇ ଅସୁବିଧାରେ ପଡିଥିଲେ ଏହି ୭ଟି ଦେଶର ନାଗରିକ ।